ହୋଲିରେ ହତ୍ୟାକାଣ୍ଡ: ବଚସା ପରେ ଘରେ ପଶି କଣ୍ଟ୍ରାକ୍ଟରଙ୍କୁ ଛୁରି ଭୁସିଦେଲା

ବ୍ରହ୍ମପୁର: ହୋଲିରେ ରକ୍ତ ରଞ୍ଜିତ ହୋଇଛି ବ୍ରହ୍ମପୁର । ଛୁରାମାଡ଼ରେ ଜଣେ ଠିକାଦାରଙ୍କ ମୃତ୍ୟୁ ହୋଇଛି । ରଙ୍ଗର ପର୍ବରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳରେ । କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଛୁରି ଭୁସିଥିବା ଅଭିଯୁକ୍ତ ପପୁନକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ।
ସୂଚନା ଅନୁସାରେ, ହୋଲି ଖେଳିବା ପରେ ଠିକାଦାର ରାମଚନ୍ଦ୍ର ନିଜ ଘରେ ଅନ୍ୟ ଜଣେ ସାଙ୍ଗଙ୍କ ସହ ବସି କଥା ହେଉଥିଲେ । ସେହି ସମୟରେ ଘରକୁ ଆସିଥିଲା ପପୁନ । କିଛି ସମୟ ପରେ କୌଣସି କାରଣକୁ ନେଇ ପପୁନ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏଥିରେ ଉତ୍ତ୍ୟକ୍ତ ପପୁନ ଏକ ଛୁରିରେ ରାମଚନ୍ଦ୍ରଙ୍କ ବେକକୁ ଆକ୍ରମଣ କରିଥିଲା ।
📱 Get Argus News App
✨ଗୁରୁତର ଆହତ ରାମଚନ୍ଦ୍ରଙ୍କୁ ଏମକେସିଜି ମେଡିକାଲ୍ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପପୁନ କାହିଁକି ରାମଚନ୍ଦ୍ରଙ୍କୁ ଛୁରି ଭୁସିଲା, ତାର ପ୍ରକୃତ କାରଣ ଜଣା ପଡ଼ିନାହିଁ । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଅନ୍ୟପଟେ କୁହା ଯାଉଛି, ରାମଚନ୍ଦ୍ରଙ୍କୁ ପପୁନ ମଦ ପିଇବାକୁ ମାଗିଥିଲା । ମଦ ନ ଦେବାରୁ ରାଗି ଯାଇ ପପୁନ ଛୁରି ଭୁସି ଦେଇଥିବା ଚର୍ଚ୍ଚା ହେଉଛି । ଛୁରି ଭୁସିବା ପରେ ସ୍ଥାନୀୟ ଲୋକ ପପୁନକୁ ଧରି ନିର୍ଧୁମ ଛେଚିଥିଲେ । ବ୍ରହ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପପୁନକୁ ଗିରଫ କରିବା ସହ ଛାନଭିନ୍ ଜାରି ରଖିଛି ।