ଏକ ବୋଲେରୋରୁ ୧୦୭୮ କଇଁଛ ଜବତ କଲା ବନବିଭାଗ: ୩ ଗିରଫ

Key Points
କଇଁଛ ଚୋରାଚାଲାଣ ଉଦ୍ୟମ ପଣ୍ଡ
ଏକ ବୋଲେରୋରୁ ୧୦୭୮ କଇଁଛ ଜବତ
୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
କଇଁଛ ଚୋରାଚାଲାଣ ଉଦ୍ୟମ ପଣ୍ଡ । ଏକ ବୋଲେରୋରୁ ୧୦୭୮ କଇଁଛ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ମୋଟୁ ବନ ବିଭାଗ। ମାଲକାନଗିରି ବନାଧିକାରୀ ସାଇ କିରଣ ଡିଏନ ବିଶେଷ ସୂତ୍ରରୁ ଖବର ପାଇ ମୋଟୁ ବନ ବିଭାଗର ଏକ ଟିମକୁ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ ନିର୍ଦ୍ଦେଶ ଦେଇଥିଲେ। ୨ ଭାଗରେ ବିଭକ୍ତ ଟିମ କୋଣ୍ଟା ବ୍ରିଜ ଏବଂ ମୋଟୁ ବ୍ରିଜ ନିକଟରେ ପାଟ୍ରୋଲିଂ କରି ଉକ୍ତ ବୋଲେରୋକୁ ଜବତ କରିଥିଲେ। ଗାଡ଼ିରେ ଶହ ଶହ କଇଁଛ ବେଆଇନ ଭାବେ ଚାଲାଣ ହେଉଥିବା ଦେଖି ଉକ୍ତ ଗାଡି ଏବଂ ଚାଲାଣକାରୀ ମାନଙ୍କୁ ଗିରଫ କରି କାର୍ଯ୍ୟାଳୟକୁ ଆଣିଥିଲା ବନବିଭାଗ ।
ପାଖାପାଖି ୧୦୭୮ କଇଁଛ ଜବତ କରାଯାଇଥିବା ବେଳେ ସେଥିରୁ ୯୧୦ ଟି ଜୀବନ୍ତ କଇଁଛ ଏବଂ ୧୬୮ଟି ମୃତ କଇଁଛ ଥିଲା। ସମ୍ପୃକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପଡୋଶୀ ରାଜ୍ୟ ଛତିଶଗଡ଼ ସୁକମା ଜିଲ୍ଲା ଅନ୍ତର୍ଗତ ଦରନାପାଲ ଅଞ୍ଚଳର ଯୁଗଳ ଚନ୍ଦ୍ର ଦେ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଏମଭି-୭୯ ଥାନା ଅନ୍ତର୍ଗତ ସୁକୁମାର ତରଫଦାର ଏବଂ ବିଶ୍ୱନାଥ ମଣ୍ଡଳ ବୋଲି ଜଣାପଡିଛି। କଇଁଛ ଗୁଡିକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଏମଭି-୭୯ ଥାନା ଅନ୍ତର୍ଗତ ଏମପିଭି-୬୫ ଗ୍ରାମକୁ ଖାଇବା ଏବଂ ବିକ୍ରି ଉଦ୍ଦେଶ୍ୟରେ ଚାଲାଣ କରୁଥିବା ମୋଟୁ ବନ ବିଭାଗ ସୂଚନା ଦେଇଛି।