ଚିନ୍ତା ବଢାଉଛି ଜଙ୍ଗଲ ନିଆଁ

Key Points
ଖରା ସାଙ୍ଗକୁ କଲବଲ କରୁଛି ଜଙ୍ଗଲ ନିଆଁ
ବୌଦ୍ଧ କଣ୍ଟାମାଳ ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନାଗ୍ନି
ନିଆଁର ଆଁରେ ଜଳି ନଷ୍ଟ ହେଉଛି ସବୁଜ ବନାନୀ
ବାସହରା ହେଉଛନ୍ତି ବନ୍ୟ ପ୍ରାଣୀ
କିଛି ଦିନ ତଳେ ଦେଶର ସବୁଠ ଉତ୍ତପ୍ତ ଜିଲ୍ଲା ପାଲଟିଥିଲା ବୌଦ୍ଧ । ଗତ କିଛି ଦିନ ହେବ ଲଗାତାର ୪୦ ଡିଗ୍ରୀ ଅତିକ୍ରମ କରୁଛି ତାତି । ଖଇଫୁଟା ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଜିଲ୍ଲାବାସୀ । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ବିଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ବର୍ଷର ଖରା । ଜିଲ୍ଲାରେ ଅସଂଖ୍ୟ କୋଠା ବାଡ଼ି ନିର୍ମାଣ ସହ ଗଛକଟା, ମହାନଦୀର ଉତ୍ତପ୍ତ ବାଲି ତାପମାତ୍ରା ବୃଦ୍ଧିର ମୂଳ କାରଣ ବୋଲି କହିଛନ୍ତି ପରିବେଶବିତ୍ ।
ପ୍ରବଳ ଖରା, ଗରମ ସାଙ୍ଗକୁ ଜଙ୍ଗଲ ନିଆଁ ଜିଲ୍ଲାବାସୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି । ପ୍ରତିଦିନ ହୁ ହୁ ହୋଇ ଜଳି ଯାଉଛି ଅନେକ ଜଙ୍ଗଲ । ଦିନକୁ ଦିନ ନିଆଁ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି । ବୌଦ୍ଧ ବନଖଣ୍ଡ କଣ୍ଟାମାଲ ଓ ମନମୁଣ୍ଡାର ଅନେକ ଜଙ୍ଗଲରେ ନିଆଁ ଲାଗିଛି । ବନ ବିଭାଗ ପକ୍ଷରୁ ବିଭିନ୍ନ ଗାଁରେ ବନାଗ୍ନି ସଚେତନତା କରିବାକୁ ଦାବି ହୋଇଛି ।