ରାଜାଙ୍କ ଆଲିସାନ୍ ଫାର୍ମ ହାଉସ୍କୁ ନେଇ ଜଙ୍ଗଲ ମନ୍ତ୍ରୀ କହିଲେ...

ରାଜା ଚକ୍ରଙ୍କର ଆଲିସାନ୍ ଫାର୍ମ ହାଉସ୍ ନିର୍ମାଣ ସମ୍ପର୍କରେ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ନିଜେ ଖୋଳିଥିବା ଗାତରେ ରାଜା ଚକ୍ର ନିଜେ ପଡ଼ିବେ । ରାଜା ଚକ୍ରଙ୍କର ଫାର୍ମହାଉସର କିଛି ଅଂଶ ରାଜସ୍ଵ ବିଭାଗ ଓ ଅନ୍ୟ କିଛି ଅଂଶ ବନ ବିଭାଗ ଅଧିନରେ ଅଛି । ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।
ସେପଟେ ରାଜା ଚକ୍ରଙ୍କର କେନ୍ଦୁଝର ବାସଭବନରେ ପହଞ୍ଚି ଦ୍ୱିତୀୟ ଥର ଖୋଳତାଡ଼ କରିଛି EOW । ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସିରେ ଟଙ୍କା ହେରଫେର୍ ମାମଲାରେ ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କ କେନ୍ଦୁଝର ଜଗନ୍ନାଥପୁର ବାସଭବନରେ ପୁଣି ଚଢ଼ାଉ କରିଛି EOW । ଏହା ସହ ଯୋଡ଼ା ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନ୍ୟ ଏକ ଟିମ୍ ତଦନ୍ତ କରୁଥିବା ସୂଚନା ମିଳିଛି ।
ତେବେ ଧିରେ ଧିରେ ଖୋଲୁଛି ରାଜା ଚକ୍ର ଓ ସହଯୋଗୀଙ୍କ ଗୋଟିଏ ପରେ ଗୋଟେ କଳା ଚିଠା । ଗନ୍ଧମାର୍ଦ୍ଧନ କୋପରେଟିଭ୍ ସୋସାଇଟି ଦୁର୍ନୀତି ମାମଲାରେ EOWର ତନାଘନା ପରେ ଦୁର୍ନୀତିର ଦ୍ବିତୀୟ ମୁଖ୍ୟ କାର୍ପଟଦାର ସୁଶାନ୍ତ ସାମଲକୁ EOW ପକ୍ଷରୁ ଜେରା କରାଯାଇଛି । ରାଜା ସହ ମିଶି ସୋସାଇଟି ଅଫିସ ଉପରେ ସୁଶାନ୍ତ କରିଥିଲା କବଜା । ଶ୍ରମିକ ଓ ସ୍ଥାନୀୟ ବାସିନ୍ଦାଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ କରିଥିଲେ ହଡପ୍ । ବବି- ପାଣ୍ଡିଆନଙ୍କ ଛତ୍ରଛାୟାରେ ରାଜା ଓ ସୁଶାନ୍ତ ଦେଖାଉଥିଲେ ବହପ ।
EOW ସ୍କାନରରେ ବିଜେଡି ନେତା ରାଜା ଚକ୍ର ଓ ସହଯୋଗୀଙ୍କ କଳା କାରନାମା। ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଧନ କୋପରେଟିଭ୍ ଲୋଡିଙ୍ଗ ସୋସାଇଟି ଘୋଟାଲର ଦ୍ବିତୀୟ ମୁଖ୍ୟ କାର୍ପଟଦାର ସୁଶାନ୍ତ ସାମଲ ଓରଫ ବାବୁଲାକୁ ଜେରା କରିଛି ଅର୍ଥନୈତିକ ଅପରାଧିକ ଶାଖା। କେନ୍ଦୁଝର ଶୁଆକାଟୀ ସ୍ଥିତ OMC ଗନ୍ଧମାର୍ଦ୍ଦନ ଖଣିର ପ୍ରଭାବିତ ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ଗଠନ ହୋଇଥିଲା ଗନ୍ଧମାର୍ଦ୍ଦନ କୋ-ଅପରେଟିଭ୍ ଲୋଡିଙ୍ଗ ସୋସାଇଟି। ଅଭିଯୋଗ ହୋଇଛି ଏହି ସୋସାଇଟି ଉପରେ କବଜା କରି ବିକାଶ ପାଇଁ ଆସୁଥିବା ଅର୍ଥ ହଡପ କରିଥିଲା ରାଜ୍ ଚକ୍ର। ଏଥିରେ ତାର ମୁଖ୍ୟ ସହଯୋଗୀ ଥିଲା ସୁଶାନ୍ତ ସାମଲ । ଯିଏକି ୨୦୧୦/୧୧ରେ ଖଣି ଚୋରି ମାମଲାରେ ଗିରଫ ହୋଇଥିଲା।
ରାଜା ସହ ମିଶି ସୋସାଇଟି ଉପରେ କବଜା କରିବାକୁ ସୁଶାନ୍ତ କରିଥିଲା ଚକ୍ରାନ୍ତ। ଆଉ ଏଥିରେ ସହଯୋଗ କରିଥିଲେ ବିଜେଡିର ସେତେବଳର କ୍ଷମତାଶାଳୀ ନେତା ବବି ଦାସ । ବବିଙ୍କ ଛତ୍ରଛାୟାରେ ରହି ସୋସାଇଟି ଅର୍ଥକୁ ହଡ଼ପ କରିଥିଲେ ରାଜା ଓ ସୁଶାନ୍ତ। ଏଥିରେ ଉଭୟଙ୍କୁ ଭରପୁର ସହଯୋଗ କରିଥିଲେ ତତକାଳୀନ କେନ୍ଦୁଝର ଏସପି ଓ ଜିଲ୍ଲାପାଳ। ସୋସାଇଟିର ଯେଉଁ ସଦସ୍ୟମାନେ ରାଜାକୁ ବିରୋଧ କରିଥିଲେ ସେମାନଙ୍କୁ ମିଛ ମାମଲାରେ ଫଶାଇ ଗିରଫ କରାଯାଉଥିଲା। ଯାହାର ସୁଯୋଗ ନେଇ ସୁଶାନ୍ତ ସୋସାଇଟି ଅଫିସକୁ ନିଜ ଘରକୁ ଉଠାଇ ନେଇଥିଲା। EOW ଏ ସମସ୍ତ ପ୍ରସଙ୍ଗରେ ସୁଶାନ୍ତକୁ ଜେରା କରିଥିବା ଜଣାପଡ଼ିଛି।