ଜଳୁଛି ଜଙ୍ଗଲ ! ବିଧାନସଭାରେ ସାଂଘାତିକ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଜଳି ଯାଉଛି ଜଙ୍ଗଲ । କେହି କିଛି ବୁଝିବା ଆଗରୁ ଜଳି ପୋଡ଼ି ପାଉଁଶ ହୋଇଯାଉଛି ଘଞ୍ଚଳ ଜଙ୍ଗଲରେ ଥିବା ଅନେକ ଗଛ । ରୋକିବାକୁ ଚାହିଁଲେ ବି ରୋକି ପାରୁନି ବନ ବିଭାଗ । ଗତ ତିନି ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ । ବିଧାନସଭାରେ ଏଭଳି ସାଂଘାତିକ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଓଡିଶାରେ ପ୍ରତି ବର୍ଷ ବଢ଼ି ଚାଲିଛି ଜଙ୍ଗଲ ନିଆଁ । ୨୦୨୧ରେ ୨୮ ହଜାର ୫୬୯ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଥିବା ବେଳେ ୨୦୨୨ରେ ୮ ହଜାର ୪୩୮ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଛି । ସେହିପରି ୨୦୨୩ ରେ ଏହି ସଂଖ୍ୟା ବଢ଼ି ୯ ହଜାର ୭୧୧ ହେକ୍ଟରରେ ପହଁଚିଛି । ଚାରି ବର୍ଷ ମଧ୍ୟରେ ମୋଟ ୫୩ ହଜାର ୮୨୦ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇ ଯାଇଛି ।
ତେବେ ଏଇ ମାର୍ଚ୍ଚ ଆରମ୍ଭରୁ ମଧ୍ୟ ଜଳୁଛି ଜଙ୍ଗଲ । ଖରା ଅରମ୍ଭ ହେଉ ହେଉ, ଜଙ୍ଗଲ ନିଆଁ ବୋଝ ଉପରେ ନଳିତା ବିଡ଼ା ସାଜିଛି । କାରଣ ଏହି ଜଙ୍ଗଲ ନିଆଁ ତାତିକୁ ଦୁଇ ଗୁଣିତ କରୁଛି । ଦିନକୁ ଦିନ ଜଙ୍ଗଲରେ ନିଆଁ ଅତି ଭୟଙ୍କର ରୂପ ନେଉଛି। ଯାହାଫଳରେ ଏବେ ଜୀବ ଜନ୍ତୁଙ୍କ ଜୀବନ ସଙ୍କଟରେ ପଡିଛି । ମାର୍ଚ୍ଚ ଆରମ୍ଭରୁ ଶିମିଳିପାଳର ୮ ରେଞ୍ଜରେ ଲାଗିଥିବା ନିଆଁ ଜଙ୍ଗଲର ବିଭିନ୍ନ ଆଡ଼େ ମାଡି ଯାଇଥିଲା। ନିଆଁ ଏକ ପ୍ରକାର ବେକାବୁ ହୋଇ ଚାଲିଥିଲା । ଗୋଟିଏ ଜାଗାରେ ଲିଭା ହେବା ବେଳେ ଆଉ ଗୋଟେ ପଟେ ହୁତୁହୁତୁ ହୋଇ ଜଳି ଉଠୁଥିଲା।
ଅନ୍ୟପଟେ ଏଇ ମାର୍ଚ୍ଚ ମାସରେ ହିଁ ରାୟଗଡା ବନଖଣ୍ଡ ଅଧିନସ୍ଥ କୁମ୍ଭିକୋଟା ଠାରୁ ଗୁମ୍ମା ପର୍ଯ୍ୟନ୍ତ ଜଙ୍ଗଲରେ ନିଆଁ ଲାଗିଥିଲା । ଏହା ଦ୍ୱାରା ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଖାଲି ସେତିକି ନୁହେଁ ବନ୍ୟଜନ୍ତୁ ମଧ୍ୟ ପୋଡି ଯାଉଥିବା ବେଳେ କିଛି ଗାଁ ମୁହାଁ ହୋଇଥିଲେ ।
ରାୟଗଡା ବନାଞ୍ଚଳ ଅଧିନରେ ଥିବା ୧୭ଟି ସଂରକ୍ଷିତ ଓ ୨୩ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ରହିଛି । ରାୟଗଡା ଓ ମୁନିଗୁଡା ରେଞ୍ଜ ଅଧିନସ୍ଥ ୧୦୫ ହେକ୍ଟର ଜଙ୍ଗଲରେ ନିଆଁ ଲାଗିଥିବା ରାୟଗଡା ବନାଚଂଳ ପକ୍ଷରୁ କୁହାଯାଇଛି । ରାୟଗଡା ଜିଲ୍ଲାରେ ସମୁଦାୟ ୨,୨୯,୨୬୭ ହେକ୍ଟର ଜଙ୍ଗଲ ଜମି ରହିଛି । ୧୨,୯୦୦ ହେକ୍ଟରରେ କୋଦୁପାଡୁ ସଂରକ୍ଷିତ ଜଙ୍ଗଲ ପୁରି ରହିଛି । ସାଟେଲାଇଟ୍ ଯୋଗେ ନିଆଁ ଲାଗିବା ସ୍ଥାନ ଚିହ୍ନଟ ହବା ପରେ ନିଆଁ ଲିଭାଇବା ପାଇଁ ୧୫ଟି ଗୃପ କରାଯାଇଥିଲା ।