ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଦ୍ଵାଦଶାହ

ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଦ୍ଵାଦଶାହ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ସମେତ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ଭିଡ଼ ଲାଗିଛି । ଭୁବନେଶ୍ବରସ୍ଥିତ ବାସଭବନରେ ନେତା ମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ, ସାଂସଦ ଅନୁରାଗ ଠାକୁର, ତେଜସ୍ବୀ ସୁରିୟାଙ୍କ ସମେତ ଅନେକ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ନେତା ପହଞ୍ଚି ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ଯୋଗ ଗୁରୁ ବାବା ରାମଦେବ ବି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।
ସେହିପରି ଡାକ୍ତର ପ୍ରଧାନଙ୍କ ଦ୍ବାଦଶାହରେ ଗୋ ପୂଜନ କରାଯାଇଛି । ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ ଅନୁଗୁଳ ରନ୍ତଲେଇସ୍ଥିତ ଶ୍ରୀ ଗୋପାଳ ଗୋ-ଶାଳାରେ ସ୍ବତନ୍ତ୍ର ରୀତିନୀତିରେ ଗୋ ପୂଜନ କରିଛନ୍ତି । ସାମୂହିକ ହୋମ ଯଜ୍ଞ ବି କରାଯାଇଥିଲା ।
କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ମାଆ ଦରିଆ ରାମଚଣ୍ଡୀ ପୀଠ ରାମନଗରରେ ସ୍ବର୍ଗତ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ବହୁ ସଂଖ୍ୟକ ବିଜେପି କର୍ମୀ ଯୋଗ ଦେଇ ପ୍ରଥମେ ଗୋବରୀ ନଦୀ କୂଳରେ ସାମୁହିକ ଭାବେ ତିଳ ତର୍ପଣ କରିଥିଲେ । ପରେ ମା ରାମଚଣ୍ଡୀଙ୍କ ମନ୍ଦିରକୁ ଯାଇ ସ୍ବର୍ଗତଃ ପ୍ରଧାନଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରିଥିଲେ ।