Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ଭେଜାଲ ବ୍ୟକ୍ତିତ୍ୱ.. ସୌମ୍ୟ ସ୍ମିତହାସ୍ୟ.. ଶାଣିତ ସ୍ୱରର ଅଧିକାରୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ନିର୍ଭେଜାଲ ବ୍ୟକ୍ତିତ୍ୱ.. ସୌମ୍ୟ ସ୍ମିତହାସ୍ୟ.. ଶାଣିତ ସ୍ୱରର ଅଧିକାରୀ

ଅନୁଗୁଳ କଣିହାଁ ନାଲମ ଗାଁରେ ଜନ୍ମ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ । କଟକ ଏସସିବିରୁ ଏମବିବିଏସ ଡିଗ୍ରୀ ହାସଲ ପରେ ମାତ୍ର ୬ବର୍ଷ ପାଇଁ କରିଥିଲେ ଚାକିରି । ୧୯୮୦ରେ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ଦେବେନ୍ଦ୍ର । ୧୯୮୮ରୁ ୯୦, ୯୦ରୁ ୯୩ ଏବଂ ୯୫ରୁ ୯୭ ଯାଏଁ ସାଜିଥିଲେ ରାଜ୍ୟ ବିଜେପିର ମଙ୍ଗୁଆଳ । ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଭାବେ କରିଥିଲେ କାର୍ଯ୍ୟ ।

ବୋଧହୁଏ କେବେକେବେ ନିଜକୁ ଭୋଗିବା ଭୁଲିଯାଇଥିବା, ନିଜକୁ ଭାବିବା ଭୁଲିଯାଉଥିବା କିଛି ଲୋକ ଧରାକୁ ଆସନ୍ତି । ଯେଉଁମାନେ କେବେ ଦୀପ ହୋଇ ଜଳୁଥାନ୍ତି ତ ଆଉ କେବେ ଦୀପ ଜାଳୁଥାନ୍ତି । ନିଜ ସୁଖଠୁ ଛୁଟି ନେଇ ଆସି ଗରିବ, ମଳିମୁଣ୍ଡିଆ, ସାଧାରଣ ମଣିଷଙ୍କ ବୋଝ ବୋହିବା ପାଇଁ ଯେଉଁମାନେ କାନ୍ଧରୁ ଷ୍ଟେଥୋସ୍କୋପ ଓହ୍ଲାଇ ଦିଅନ୍ତି ଓ ରାଜନୀତି ମାଧ୍ୟମରେ ଜନସେବାର ଭାରକୁ କାନ୍ଧରେ ଉଠାନ୍ତି । କାହିଁକି ନା ରାଜନୀତି, ସେମାନଙ୍କ ପାଇଁ ଗୋଟେ ବୃତ୍ତିର ନାଁ ନୁହେଁ, ସ୍ୱପ୍ନର ନାଁ ବି । ଜନସେବା, କେବଳ ଗୋଟେ ଜୟପାଠର ନାଁ ନୁହେଁ, ଜୟଯାତ୍ରାର ବି । ହେଲେ ସେ ସ୍ୱପ୍ନକୁ ପ୍ରତି ମୁହୂର୍ତ୍ତରେ ଜୀଉଁଥିବା ସୌଦାଗର ଆଉ ସେ ଜୟଯାତ୍ରାରେ ଜୟପାଠ କରୁଥିବା ମଣିଷ ଜଣକ କିନ୍ତୁ ଆଜି ସେପାରିର ଅତିଥି ।

ନିର୍ଭେଜାଲ ବ୍ୟକ୍ତିତ୍ୱ ସାଙ୍ଗକୁ ସୌମ୍ୟ ସ୍ମିତହାସ୍ୟ, ଶାଣିତ ସ୍ୱର । କହିବାକୁ ଗଲେ ଓଡ଼ିଶା ବିଜେପିର ନିଅଁ ରଖିଥିବା ଦେବେନ୍ଦ୍ର ପ୍ରଧାନଙ୍କ ଜନ୍ମ ୧୬ ଜୁଲାଇ ୧୯୪୧ରେ ଅନୁଗୁଳ କଣିହାଁ ନାଲମ ଗାଁରେ । ତାଳଚେରର ଯୁବରାଜ ହାଇସ୍କୁଲ ଓ ପରେ ଅନୁଗୁଳ କଲେଜରୁ ଇଣ୍ଟରମିଡିଏଟ୍ ବିଜ୍ଞାନ ପଢ଼ିବା ପରେ କଟକ ଏସସିବିରୁ ଏମବିବିଏସ ଡିଗ୍ରୀ ହାସଲ କରିଥିଲେ । ଡାକ୍ତର ହେବା ସମସ୍ତଙ୍କର ସ୍ୱପ୍ନ । ହେଲେ ସ୍ୱପ୍ନକୁ ପର କରି ୧୯୬୭ରୁ ମାତ୍ର ୬ ବର୍ଷ ପାଇଁ ଚାକିରି କରି ୧୯୭୩ରେ ସରକାରୀ ଡାକ୍ତରୀ ପେଶାରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ।

୧୯୮୦ ଜାନୁଆରୀ ୧୦ରେ ବିଜେପିରେ ସାମିଲ ହେବା ପରେ ତାଙ୍କ ରାଜନୀତିର ମଇଦାନରେ ବିଧିବଦ୍ଧ ଏଣ୍ଟ୍ରି ହୋଇଥିଲା । ଦକ୍ଷ ଆଉ ସଂଘର୍ଷକୁ ପାଥେୟ କରି ମାଟିରୁ ଆକାଶ ଯାଏଁ ରାଜନୈତିକ ଯାତ୍ରାର ପଥିକ ଥିଲେ ଦେବେନ୍ଦ୍ର । ୧୯୮୦-୮୩ ବିଜେପିର ତାଳଚେର ମଣ୍ଡଳ ସଭାପତି, ୧୯୮୩-୮୮ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସଭାପତି ଭାବେ କାର୍ଯ୍ୟ କରି ଓଡ଼ିଶାରେ ବିଜେପି ସଙ୍ଗଠନକୁ ଆଗକୁ ନେବାରେ ନେଇଥିଲେ ପ୍ରମୁଖ ଭୂମିକା । ପରେ ୧୯୮୮ରୁ ୯୦, ୯୦ରୁ ୯୩ ଏବଂ ୯୫ରୁ ୯୭ ଯାଏଁ ସାଜିଥିଲେ ରାଜ୍ୟ ବିଜେପିର ମଙ୍ଗୁଆଳ । ଓଡ଼ିଶାରେ ବିଜେପିର ଇତିହାସରେ ସିଂହଭାଗ ଭୂମିକା ଡାକ୍ତର ପ୍ରଧାନଙ୍କର ଥିଲା । ଓଡ଼ିଶାର ଘରେ ଘରେ ବିଜେପିକୁ ପହଞ୍ଚାଇବାରେ ତାଙ୍କର ସକ୍ରିୟ ଭୂମିକା ପାଇଁ ତାଙ୍କୁ ରାଜ୍ୟ ବିଜେପିର ଭୀଷ୍ମ ପିତାମହ ବୋଲି ମଧ୍ୟ କୁହାଯାଏ ।

ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତା ତଥା ନିଷ୍ଠା ଓ ସମର୍ପଣ ପାଇଁ ଦେବଗଡ଼ରୁ ୧୯୯୮ ନିର୍ବାଚନ ଜିତି ଲୋକସଭା ଯାଇଥିଲେ ଦେବେନ୍ଦ୍ର । ଏହି ସମୟରେ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୯୯ରେ ସେ ପୁନଃ ନିର୍ବାଚିତ ହୋଇଥିବା ବେଳେ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା । ୨୦୦୧ରେ ସେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି ପାଇବା ସହ କେନ୍ଦ୍ରରେ ନିଜ ସ୍ଥିତି ମଜବୁତ କରିପାରିଥିଲେ ।

ଦେବେନ୍ଦ୍ର ପ୍ରଧାନ ଏମିତି ଆତ୍ମା ଯିଏ ତମାମ ଜୀବନ ଖାଣ୍ଟି ଓଡ଼ିଆଟେ ହେଇ ବଞ୍ଚିଥିଲେ, ଓଡ଼ିଶା ଉପରେ ଧୂଳି ପଡ଼ିଲେ, ଓଡ଼ିଆଙ୍କ ଆଖିରୁ ଲୁହ ଝରିଲେ ଯାହା ଛାତି ବତୁରି ଯାଉଥିଲା । ତମାମ ଜୀବନ ସେ କହୁଥିଲେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର କଥା, ପାରସ୍ପରିକ ପ୍ରିୟବୋଧର କଥା, ପରସ୍ପରର ଆସ୍ଥା ଓ ଅସ୍ତିତ୍ବ ପ୍ରତି ସମ୍ମାନବୋଧର କଥା । ସେଥିପାଇଁ ତ ଆଜି ତାଙ୍କ ସମ୍ମାନରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଓ ଭୁବନେଶ୍ବରସ୍ଥିତ ବାସଭବନ ହୋଇଛି ଲୋକାରଣ୍ୟ । ମୋଟାମୋଟି ଓଡ଼ିଶା ବିଜେପିର ବୀଜରୋପଣର ବାଇମୁଣ୍ଡି ଭାବେ ଦେବେନ୍ଦ୍ର ପ୍ରଧାନ ମନେ ରହିବେ ଯୁଗଯୁଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Union Minister, veteran BJP leader Dr Debendra Pradhan passes away at 84 | Argus News