Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିତରକନିକାରେ ଚାରି ପ୍ରଜାତିର ଡଲ୍‌ଫିନ୍‌, ଓଡିଶାରେ ୭୧୦ଟି ଡଲଫିନ୍

Rashmita Mishra
Browse all articles by Rashmita Mishra
·1 year ago·2 min read
ଭିତରକନିକାରେ ଚାରି ପ୍ରଜାତିର ଡଲ୍‌ଫିନ୍‌, ଓଡିଶାରେ ୭୧୦ଟି ଡଲଫିନ୍

ଓଡିଶାରେ ୭୧୦ଟି ଡଲଫିନ୍ ଅଛନ୍ତି । ବନ ବିଭାଗ ତରଫରୁ କରାଯାଇଥିବା ଡ଼ଲଫିନ ଗଣନାରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଓଡ଼ିଶାରେ ୪୯୮ଟି ହମ୍ପବ୍ୟାକ ଡ଼ଲଫିନ ଥିବା ବେଳେ ୧୮୮ ଇରାୱାଡି ଡ଼ଲଫିନ ଅଛନ୍ତି । ରାଜନଗର ୱାଇଲଡ ଲାଇଫ ଡିଭିଜନ ରେ ସର୍ବାଧିକ ୫୦୫ଟି ଡ଼ଲଫିନ ଅଛନ୍ତି । ଚିଲିକାରେ ୧୭୪, ପୁରୀରେ ୭ଟି, ବ୍ରହ୍ମପୁରରେ ୧୩, ଭଦ୍ରକରେ ୪ ଓ ବାଲେଶ୍ୱରରେ ୭ ଟି ଡ଼ଲଫିନ ଅଛନ୍ତି । ରାଜ୍ୟରେ ୪ଟି ପ୍ରଜାତି ଡ଼ଲଫିନ ଥିବା ଜଣାପଡିଛି ।

ଗତ ୬ ବର୍ଷ ହେଲା ଓଡ଼ିଶାରେ ସବୁଠୁ ଅଧିକ ଏବଂ ଅଧିକ ପ୍ରଜାତିର ଡଲ୍‌ଫିନ୍‌ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳୁଛି। ଚଳିତବର୍ଷ ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ୭୧୦ ଡଲ୍‌ଫିନ୍‌ ଦେଖାଯାଇଥିଲା ବେଳେ କେବଳ ଭିତରକନିକରେ ୫୦୫ ଡଲ୍‌ଫିନ୍‌ଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଗହୀରମଥାରେ ୪ଟି ପ୍ରଜାତିର ଡଲ୍‌ଫିନ୍‌ ଦେଖାଯାଇଛି ବୋଲି ଗଣନା ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଜାନୁଆରି ୨୭ ତାରିଖରୁ ୨୯ ତାରିଖ ଯାଏଁ ଡଲ୍‌ଫିନ୍‌ ଗଣନା କରାଯାଇଥିଲା। ଭିତରକନିକା ସହ ଚିଲିକା, ପୁରୀ, ବ୍ରହ୍ମପୁର, ଭଦ୍ରକ ଓ ବାଲେଶ୍ବରରେ ମଧ୍ୟ ଏହି ଗଣନା କରାଯାଇଥିଲା। ଆଜି ଆସିଥିବା ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ୭୧୦ ଡଲ୍‌ଫିନ୍‌ଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଭିତରକନିକାରେ ୨୨ଟି ଇରାୱାର୍ଡ ଡଲ୍‌ଫିନ୍‌, ୫ଟି ବଟଲ୍‌ନୋଜ୍‌ ଡଲ୍‌ଫିନ୍‌, ୪୭୦ଟି ହମ୍ପବ୍ୟାକ୍‌ ଡଲ୍‌ଫିନ୍‌, ୮ଟି ସ୍ପିନର୍‌ ଡଲ୍‌ଫିନ୍‌ ଏହିପରି ମୋଟ ୫୦୫ ଡଲ୍‌ଫିନ୍‌ ଦେଖିବାକୁ ମିଳିଛି। ସେହିପରି ଚିଲିକାରେ ୧୫୯ଟି ଇରାୱାର୍ଡ ଡଲ୍‌ଫିନ୍‌ ଓ ୧୫ଟି ହମ୍ପବ୍ୟାକ୍‌ ଡଲ୍‌ଫିନ୍‌ ଏହିପରି ସମୁଦାୟ ୧୭୪ ଡଲ୍‌ଫିନ୍‌ ଚିହ୍ନଟ କରାଯାଇଛି। ଏହା ସହିତ ପୁରୀରେ ୭ଟି, ବ୍ରହ୍ମପୁରରେ ୧୩ଟି, ଭଦ୍ରକରେ ୪ଟି ଓ ବାଲେଶ୍ବରରେ ୭ଟି ଡଲ୍‌ଫିନ୍‌ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍ ଗଣନା କରାଯାଉଥିଲା। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିଷ୍ପତ୍ତି କ୍ରମେ ୨୦୧୫ ମସିହାରୁ ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍ ଗଣନା କରାଯାଉଛି। ଏହା ପୂର୍ବରୁ ଗହୀରମଥା ଓ ଭିତରକନିକାରେ ୨୦୨୧ରେ ୩୪୨, ୨୦୨୨ରେ ୫୪୦, ୨୦୨୩ରେ ୫୫୦ ଓ ୨୦୨୪ରେ ୫୦୨ଟି ଡଲ୍‌ଫିନ୍‌ ରହିଥିବା ଗଣନା ବେଳେ ଜଣାପଡ଼ିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
four-species-of-dolphins-in-bhitarkanika-710-dolphins-in-odisha | Argus News