ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛି ଦୁର୍ବୃତ୍ତ

Key Points
ଜିଲ୍ଲାପାଳଙ୍କ ଫଟୋ ରଖି ଖୋଲାଯାଇଛି ଫେକ୍ whatsapp ଆକାଉଣ୍ଟ
ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ମେସଜ ପଠାଇ ମଗାଯାଇଛି ଟଙ୍କା
ସତର୍କ ରହିବାକୁ ସୂଚନା ଦେଲେ ଜିଲ୍ଲାପାଳ
ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଙ୍କ ନାମରେ ଫେକ୍ whatsapp ଆକାଉଣ୍ଟ ଖୋଲି ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଫଟୋକୁ WhatsApp ର ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ଏକ ନମ୍ବର ରୁ ଜିଲ୍ଲାର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିଛି ଠକ । ଜିଲାପାଳଙ୍କ ଫଟୋକୁ ପ୍ରୋଫାଇଲ୍ ଫୋଟ ରେ ବ୍ୟବହାର କରି ଗୋଟିଏ ନମ୍ବରରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ କରାଯାଇଛି । ତେବେ ସଂପୃକ୍ତ ନମ୍ବର ଟି ଜିଲ୍ଲାପାଳ ଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବାପରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସମସ୍ତ ସରକାରୀ ଗୃପରେ ସରକାରୀ ଅଧିକାରୀମାନଙ୍କୁ ଏବଂ ସୋସିଆଲ ମିଡିଆରେ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି ଏବଂ ଏହି ନାମକୁ ରିପୋର୍ଟ ମାରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ତେବେ ବୌଦ୍ଧ ଜିଲ୍ଲାରେ ଏହା ଚତୁର୍ଥ ଥର ଜିଲ୍ଲାପାଳ ଙ୍କ ନାମରେ ଟଙ୍କା ମାଗିଥିବା ଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଦୁର୍ବୃତ୍ତ ଙ୍କୁ ଧରି ପାରିନି ପୋଲିସ। ତେବେ ଗତ ମାର୍ଚ୍ଚ ମାସରେ ପୂର୍ବତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଙ୍କ ଫୋଟ ବ୍ୟବହାର କରି ଠିକ୍ ଏହିପରି ଟଙ୍କା ମାଗିଥିବା ବେଳେ ତିନି ବର୍ଷ ପୂର୍ବେ ୨୦୨୨ ମସିହାରେ ମଧ୍ୟ ଦୁଇ ଥର ଠିକ୍ ଏହି ପରି ପୂର୍ବତନ ଜିଲ୍ଲାପାଳ ଙ୍କ ଫୋଟ ଲଗାଇ ବିଭିନ୍ନ ଅଧିକାରୀ ଙ୍କୁ ଟଙ୍କା ମଗାଯାଇଥିଲା ଏବଂ ସେତେବେଳେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସାଇବର ସେଲ୍ ରେ ଏତଲା ମଧ୍ୟ ଦେଇଥିଲେ । ହେଲେ ପୁଣି ଥରେ ଆଜି ଏଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।