ଦାଦନ ଶ୍ରମିକରୁ ଡାକ୍ତରୀ ଛାତ୍ର...

Key Points
ଦାଦନ ଶ୍ରମିକରୁ ଡାକ୍ତରୀ ଛାତ୍ର। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଖୋର୍ଦ୍ଧାର ଶୁଭମ ଓ ରାୟଗଡ଼ାର ଏଙ୍କେଟିଙ୍କୁ ଦେଇଛି ନୂଆ ପରିଚୟ । ନିଟ୍ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମକେସିଜି ମେଡ଼ିକାଲ କଲେଜରେ ଉଭୟ ଛାତ୍ର ଲେଖାଇଛନ୍ତି ନାମ ।
ବଦଳିବ ପରିଚୟ, ଦାଦନ ଶ୍ରମିକରୁ ହେବେ ଡାକ୍ତର...ପ୍ରତିଭା କେବେ ଲୁଚି ରହେନା । ପ୍ରତିକୂଳ ସ୍ଥିତିରେ ବି ନିଜ ମେଧା ଶକ୍ତିର ପ୍ରମାଣ ଦେଇଛନ୍ତି ଦୁଇ ଓଡ଼ିଆ ଛାତ୍ର । ଗରିବ ପରିବାରରେ ଜନ୍ମ ହୋଇଥିଲେ ବି ଖୋର୍ଦ୍ଧା ବାଣପୁର ଅଞ୍ଚଳର ଶୁଭମ ଶବର ଓ ରାୟଗଡ଼ା ଅଞ୍ଚଳର ଏଙ୍କେଟି ପେଦେଣ୍ଟି ନିଟ୍ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ଡ଼ାକ୍ତରୀ ପାଠପଢ଼ିବା ନିମନ୍ତେ ନାମ ଲେଖାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ମୁଦୁଲିଢ଼ିହ ଗାଁର ଶୁଭମ ଶବର ନିଜ ଗାଁରୁ ଦଶମ ପାସ୍ ପରେ ଭୁବନେଶ୍ବରର ବିଜେବି କଲେଜରେ ଯୁକ୍ତ ଦୁଇ ପଢ଼ିଥିଲେ । ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବାରୁ ନିଟ ପରୀକ୍ଷା ଦେବା ପରେ ଦାଦନ ଖଟିବା ନିମନ୍ତେ ବେଙ୍ଗାଳୁରୁ ଚାଲିଯାଇଥିଲେ ଶୁଭମ ।
ଏକ ଘରୋଇ କମ୍ପାନୀରେ କାମ କରି ମାସିକ 15 ହଜାର ଟଙ୍କା ରୋଜଗାର କରୁଥିଲେ । ନିଜ ପାଠପଢ଼ା ପାଇଁ କିଛି ଟଙ୍କା ପାଖରେ ରଖି ବଳକା ଟଙ୍କା ନିଜ ଘରକୁ ପଠାଉଥିଲେ । ପରୀକ୍ଷା ଫଳ ପ୍ରକାଶ ପରେ ବଦଳିଥିଲା ଶୁଭମଙ୍କ ଭାଗ୍ୟ । ନିଟ୍ ପରୀକ୍ଷାରେ ଭଲ ର୍ୟାଙ୍କ୍ ରଖିବା ସହ ଏମକେସିଜି ମେଡ଼ିକାଲରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ଯୋଗ୍ୟ ହୋଇଥିଲେ ଛାତ୍ର ।
ସେହିପରି ରାୟଗଡ଼ା ଜିଲ୍ଲା ରାୟଗଡ଼ ବ୍ଳକ ଅଙ୍ଗୁର ଗ୍ରାମର ଏଙ୍କେଟି ପେଦେଣ୍ଟି ମଧ୍ୟ ଏମକେସିଜି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ିବା ନିମନ୍ତେ ଯୋଗ୍ୟ ହୋଇଛନ୍ତି । ଏଙ୍କେଟି ନିଜ ଗାଁ ସ୍କୁଲରୁ ଦଶମ ପାସ୍ କରିବା ପରେ ଭୁବନେଶ୍ବରର ବିଜେବି କଲେଜରେ ଯୁକ୍ତ ଦୁଇ ପଢ଼ିଥିଲେ । ଶିକ୍ଷକଙ୍କ ପ୍ରୋତ୍ସାହନରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀଣ୍ଣ ହୋଇ ଏମକେସିଜି ମେଡ଼ିକାଲ କଲେଜରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ସିଟ୍ ପାଇଛନ୍ତି । ସପ୍ତମ ଶ୍ରେଣୀ ପାଠପଢ଼ୁଥିବା ସମୟରେ ତାଙ୍କ ମାଙ୍କ ଦେହାନ୍ତ ହୋଇଥିବା ବେଳେ ଯୁକ୍ତ ଦୁଇ ପାଠପଢ଼ୁଥିବା ବେଳେ ବାପାଙ୍କୁ ହରାଇଥିଲେ ।
ଏଙ୍କେଟି । ନିଜ ବଡ଼ ବାପା ଓ ବଡ଼ ମାଙ୍କ ପାଖରେ ରହି ନାନା ସମସ୍ୟା ମଧ୍ୟରେ ପାଠପଢ଼ିଥିଲେ । ନିଟ ପରୀକ୍ଷା ସହ ଜୀବନ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଏଙ୍କେଟି । ଉଭୟ ମେଧାବୀ ଛାତ୍ର ବ୍ରହ୍ମପୁରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ରହି ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ଉଭୟ ପ୍ରତିଦିନ ଶିକ୍ଷାନୁଷ୍ଠାନରେ ପାଠପଢ଼ିବା ସମୟକୁ ବାଦ୍ ଦେଇ ଦିନକୁ ପ୍ରାୟ 10ରୁ 12 ଘଣ୍ଟା ପାଠ ପଢ଼ୁଥିଲେ । ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମର ଫଳ ମଧ୍ୟ ଉଭୟ ଛାତ୍ରଙ୍କୁ ମିଳିଛ । ଦୁଇ ଛାତ୍ରଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ କରାଯାଇଛି ସମ୍ବର୍ଦ୍ଧିତ ।
ଏଙ୍କେଟି ପେଦେଣ୍ଟି ଓ ଶୁଭମ ଶବର ଉଭୟ ଆସିବାସୀ ଅଧ୍ୟୁଷିତ ଗାଁରୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଭଲ ପାଠପଢ଼ି ସମାଜ ପାଇଁ କିଛି କରିବାର ମହତ ଉଦେଶ୍ୟ ରହିଛି । ଉଭୟ ଛାତ୍ରଙ୍କୁ ମାର୍ଗ ଦେଖାଇଥିବା ଶିକ୍ଷକ ବାସୁଦେବ ମହାରଣାଙ୍କୁ ବିଭିନ୍ନ ମହଲରେ କରାଯାଉଛି ପ୍ରଶଂସା । ଉଭୟ ଛାତ୍ର ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ନିଶ୍ଚିତ ବୋଲି କହିଛନ୍ତି ଶିକ୍ଷାନୁଷ୍ଠାନର ଶିକ୍ଷକ ।