ଏଣିକି ନିଜସ୍ୱ କଥିତ ଭାଷାରେ ପାଠ ପଢିବେ ଜନଜାତି ବର୍ଗର ଛାତ୍ରଛାତ୍ରୀ

Key Points
ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଗରେ ଆଉ ରହିବନି ଭାଷାଗତ ପ୍ରତିବନ୍ଧକତା
ଏଣିକି ନିଜସ୍ୱ କଥିତ ଭାଷାରେ ପାଠ ପଢିବେ ଜନଜାତି ବର୍ଗର ଛାତ୍ରଛାତ୍ରୀ
ଆଦିବାସୀ ପିଲାଙ୍କ ଡ୍ରପ ଆଉଟ ରୋକିବାକୁ ନିଯୁକ୍ତି ହେବେ ବହୁ ଭାଷୀ ଶିକ୍ଷକ
ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଗରେ ଆଉ ରହିବନି ଭାଷାଗତ ପ୍ରତିବନ୍ଧକତା । ଏଣିକି ନିଜସ୍ୱ କଥିତ ଭାଷାରେ ପାଠ ପଢିବେ ଜନଜାତି ବର୍ଗର ଛାତ୍ରଛାତ୍ରୀ । ଆଦିବାସୀ ପିଲାଙ୍କ ଡ୍ରପ ଆଉଟ ରୋକିବାକୁ ନିଯୁକ୍ତି ହେବେ ବହୁ ଭାଷୀ ଶିକ୍ଷକ । ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ ।
ଆଦିବାସୀ ପିଲାମାନଙ୍କ ମଧ୍ୟରେ ଶିକ୍ଷାଗତ ବିଫଳତା ଏବଂ ଅଧାରୁ ପାଠପଢ଼ା ଛାଡିବାର ଘଟଣା ବହୁତ ଅଧିକ ରହୁଛି । ଯାହାର ମୂଳ କାରଣ ହେଉଛି ଶିକ୍ଷାଦାନରେ ଭାଷାଗତ ପ୍ରତିବନ୍ଧକ । ଅର୍ଥାତ ପିଲାମାନେ ସେମାନଙ୍କ ମାତୃଭାଷାରେ ପାଠ ପଢୁ ନଥିବାରୁ ଏଭଳି ସମସ୍ୟା ଦେଖା ଦେଉଛି । ତେଣୁ ଏହାର ସମାଧାନ ପାଇଁ ଜାତୀୟ ଶିକ୍ଷାନୀତି ଆଧାରରେ ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେବାକୁ ସୁପାରିଶ କରିଛି ଉଚ୍ଚ ସ୍ତରୀୟ କମିଟି ।
📱 Get Argus News App
✨କମିଟି କହିଛି, 21ଟି ଜନଜାତି ଭାଷା ଯଥା ସାନ୍ତାଳୀ, ସୌରା, କୋୟା, କୁଇ, କୁଭି, କିଶାନ, ଓରାମ, ମୁଣ୍ଡାରୀ, ଜୁଆଙ୍ଗା, ବୋଣ୍ଡା, ଗଡାବା, ହୋ, ଗୋଣ୍ଡି, ପରୋଜା, ଖାରିଆ, ଦିଦାୟୀ, ବିଞ୍ଝାଲ, ପାଉଡି ଭୂୟାଁ, ଭୂମିଆ, ଭତ୍ରା ଏବଂ ଭୁଞ୍ଜିଆରେ ଦକ୍ଷତା ସମ୍ପନ୍ନ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇପାରିବ । ଆବଶ୍ୟକତା ଅନୁଯାୟୀ ବହୁଭାଷୀ ଶିକ୍ଷକଙ୍କ ନିଯୁକ୍ତି ପର୍ଯ୍ୟାୟକ୍ରମେ କରାଯାଇପାରିବ । ତେବେ ପ୍ରଥମ ପର୍ଯ୍ୟାୟରେ ବହୁଭାଷୀ ଯୋଗ୍ୟତା ଥିବା ପ୍ରାୟ 10,000 ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛି ଉଚ୍ଚସ୍ତରୀୟ କମିଟି । ଗଣଶିକ୍ଷା ମନ୍ତ୍ରୀ ମଧ୍ୟ କହିଛନ୍ତି ଖୁବଶୀଘ୍ର ସରକାର ତାହା କରିବାକୁ ଯାଉଛନ୍ତି ।
ସରକାରଙ୍କ ଫୋକସରେ ଆଦିବାସୀ ବର୍ଗ । ଅଧାରୁ ପାଠ ଛାଡୁଥିବା ପିଲାଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଜନଜାତି ବର୍ଗ । ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ମାଧ୍ୟମିକ ସ୍ତରରେ ଏବେ ଡ୍ରପ ଆଉଟ ସଂଖ୍ୟା 12.8 ପ୍ରତିଶତ । ତେବେ ସରକାର ଏହାକୁ ସଂପୂର୍ଣ କମାଇବାକୁ ଅଣ୍ଟାଭିଡିଛନ୍ତି ।