ରଥ ନିର୍ମାଣ ପାଇଁ ଆଜିଠାରୁ ଅନୁକୂଳ ହେବ ରଥକାଠ

ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି। ଏହି ପବିତ୍ର ତିଥିରେ ୨୦୨୫ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ। ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ। ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ। ଏଥିଲାଗି ଗତକାଲି ରଥଖଳାକୁ ପରିସ୍କାର କରାଯିବା ସହ ତିନି ରଥର ତିନୋଟି ଧଉରା କାଠକୁ ରଖାଯାଇଛି। ଆଜି ସ୍ବତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ।
ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାଥନା କରାଯିବ। ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ତେବେ ତିନିରଥ ନିର୍ମାଣ ପାଇଁ ମୋଟ 865 ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତବର୍ଷର 51 ଖଣ୍ଡ କାଠ ବଳକା ରହିଛି। ତେବେ ଚଳିତବର୍ଷ ରଥନିର୍ମାଣ ପାଇଁ ଆଉ 814 ଖଣ୍ଡ କାଠ ଦରକାର ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ତିନୋଟି ଟ୍ରକ୍ ଯୋଗେ 101 ଖଣ୍ଡ କାଠ ପୁରୀରେ ପହଞ୍ଚିଛି।