Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠୁ ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

Odisha

ଆଜିଠୁ ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

Ritu Das
Browse all articles by Ritu Das
·1 year ago·2 min read
ଆଜିଠୁ ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ଆରମ୍ଭ ହେଲା ବ୍ରହ୍ମପୁରର ମା’ ବୁଢ଼ି ସାଆନ୍ତାଣିଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ବ୍ରହ୍ମପୁର ସହରର ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ୩ଶହ ବର୍ଷ ପୁରୁଣା । ସହର ବାସିନ୍ଦାଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ି ସାଆନ୍ତାଣୀ,ପରମ୍ପରା ପ୍ରକାରେ ପ୍ରତି ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ତାଙ୍କ ବାପ ଘରକୁ ବିଜେ କରିଥାନ୍ତି । ପ୍ରତି ଥର ଭଳି ଏଥର ମଧ୍ୟ ଘଣ୍ଟ, ତାଳ, ବାଜା, ବାଜଣାର ବିରାଟ ପଟୁଆରରେ ଶ୍ରଦ୍ଧାଳୁଙ୍କ ଗହଣରେ ବିଳମ୍ବିତ ରାତିରେ ମାଆ ବିଜେ କରିଛନ୍ତି । ପ୍ରତି ଦୁଇ ବର୍ଷକୁ ଥରେ ମାଆ ଶାଶୁଘରୁ ଆସିଥାନ୍ତି ବାପଘରକୁ। ଆସନ୍ତା 28ତାରିଖ ଯାଏଁ ଚାଲିବ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ଏଣୁ ଚଳିତ ବର୍ଷର ଯାତ୍ରାକୁ ନେଇ ଭକ୍ତ ଶ୍ରଦ୍ଧାଳୁ ଓ ଯାତ୍ରା କମିଟିଙ୍କ ମହଲରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା। ପରମ୍ପରା ପ୍ରକାରେ ଯାତ୍ରାର ମୁଖ୍ୟ ପୁରୋଧା ତଥା ବୁଢ଼ି ସାହାନ୍ତାଣିଙ୍କ ବାପା ରୂପେ ଦୁର୍ଗା ପ୍ରସାଦ ଦେଶୀ ବେହେରା ଅନ୍ୟ ମାନଙ୍କ ଗହଣରେ ମାଆଙ୍କ ଡାକରା ପାଇଁ ମନ୍ଦିର ଯାଇଥିଲେ। ଚଳିତ ଯାତ୍ରାରେ ଅପୂର୍ବ ଆନନ୍ଦ, ଉତ୍ସାହର ସହ ସବୁ ବର୍ଗର ସବୁ ଶ୍ରେଣୀର ଭକ୍ତ ଓ ଶ୍ରଦ୍ଧାଳୁ ଯୋଡ଼ି ହୋଇଥିଲେ। ପରମ୍ପରା ପ୍ରକାରେ ଦିନ ତମାମ୍ ସ୍ଥାୟୀ ମନ୍ଦିର ଓ ଅସ୍ଥାୟୀ ମନ୍ଦିର ନିକଟରେ ବିଭିନ୍ନ ପୂଜାର୍ଚ୍ଚନା ସହ ଚର୍ତୁଦିଗ ବନ୍ଧନର କାର୍ଯ୍ୟ ସମାପନ ହୋଇଥିଲା । ଚାଙ୍ଗୁ ବାଜା,ଘଣ୍ଟ, ତାଳ, ମହୁରୀ ର ତାଳେ ତାଳେ ପରଭା ନୃତ୍ୟ ର ଉତ୍ସବ ଭିତରେ ଭକ୍ତ ଙ୍କ ଗହଣରେ ପଟୁଆର ବାହାରିଥିଲା। ସେଠି ସମସ୍ତ ନୀତିକାନ୍ତି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା ।


ଚାଙ୍ଗୁଡ଼ିରେ ନିଆଯାଇଥିବା ଇଟମାଳା ଫୁଲମାଳ ମାଆଙ୍କ ମସ୍ତକରେ ରଖି ପୂଜାର୍ଚ୍ଚନା କରାଯାଇଥିଲା ଏବଂ ତାହା ମଥାରୁ ଖସିବା ପରେ ମାଆଙ୍କ ଆଜ୍ଞାମାଳ ସ୍ୱରୂପ ସେହି ମାଳକୁ ପୁଣି ଥରେ ଚାଙ୍ଗୁଡ଼ିରେ ରଖି ବିରାଟ ପଟୁଆରରେ ଅଣାଯାଇଥିଲା। ରାତି ସାଢେ ତିନିଟାରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଆଉ ସେଠୁ ଆରମ୍ଭ ହେଲା ମାଆଙ୍କ ବିଶ୍ୱ ପ୍ରସିଦ୍ଧ ଦ୍ୱିବାର୍ଷିକ ଯାତ୍ରା। ମାଆଙ୍କ ଏହି ଯାତ୍ରା ବହୁ ପୁରାତନ। ଇତିହାସକୁ ଦେଖିଲେ ମହୁରି ଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରୁ ଏହି ଘଟଯାତ୍ରା ପରମ୍ପରା ଆଣି ଏଠାରେ ଆରମ୍ଭ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେଠାରେ ଯାତ୍ରା କରୁଥିବା ପାଟରା ତଥା ତନ୍ତୀ ସଂପ୍ରଦାୟର କିଛି ଲୋକଙ୍କୁ ରଜା ସାଥୀରେ ଆଣି ତାହାର ମୁଖ୍ୟକୁ ଦେଶୀ ବେହେରା ଉପାଧି ଦେଇ ଯାତ୍ରା ପରିଚାଳନାର ଦାୟିତ୍ୱ ଦେଇଥିଲେ । ଆଉ ସେବେଠାରୁ ସେହି ବଂଶର ମୁଖ୍ୟ ଦେଶୀ ବେହେରା ନାମରେ ମାଆଙ୍କ ଯାତ୍ରାର ଆୟୋଜନ କରି ଆସୁଛନ୍ତି ଓ ତାଙ୍କୁ ହିଁ ବୁଢ଼ି ସାଆନ୍ତାଣିଙ୍କ ବାପା ରୂପେ ବିବେଚନା କରାଯାଉଛି ।ଚଳିତ ଯାତ୍ରାରେ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସଂସ୍କୃତି ଓ ପରମ୍ପରାର ପ୍ରତିକ ରୂପେ ଦୁଇ ବର୍ଷକୁ ଥରେ ପାଳିତ ହୋଇ ଆସୁଥିବା ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ପ୍ରଶାସନ ସହ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Argus Whatsapp Channel Mobile Top
Sponsored
from-today-onwards-the-daily-journey-of-maa-budhi-thakurani | Argus News