Gajalaxmi Puja / ଦିନକ ପରେ ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

Key Points
ଦିନକ ପରେ ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା
ମାଆଙ୍କ ଆଗମନ ପୂର୍ବରୁ ଜୋରଦାର ପ୍ରସ୍ତୁତି
ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର
ସଜେଇ ହେଲାଣି ଅନୁଗୋଳ ସହର । ଦିନକ ପରେ ପୂଜା ପାଇବେ ଧନଦାତ୍ରୀ ମା ମହାଲକ୍ଷ୍ମୀ । ମାଙ୍କ ଆଗମନ ପୂର୍ବରୁ ଅନୁଗୋଳ ସହରରେ ପ୍ରସ୍ତୁତି ଜୋରଦାର । କିଏ ମୂର୍ତ୍ତି ନିର୍ମାଣକୁ ଶେଷ ସ୍ପର୍ଶ ଦେଉଛି ତ ଆଉ କିଏ ତୋରଣ ନିର୍ମାଣକୁ ଦେଉଛି ଅଧିକ ଗୁରୁତ୍ବ । ପୂଜା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଶିଳ୍ପୀ ଓ କାରିଗର । ନିଜ ନିଜର ପୂଜା ମଣ୍ଡପ ଗୁଡିକୁ ଅଧିକ ଆକର୍ଷଣୀୟ କରିବାକୁ ସତେ ଯେମିତି ଚାଲିଛି ପ୍ରତିଯୋଗୀତା । ଚଳିତ ବର୍ଷ ସହର ମଧ୍ୟରେ ୩୦ରୁ ଅଧିକ ମଣ୍ଡପରେ ଗଜଲକ୍ଷ୍ମୀଙ୍କୁ ପୂଜା କରାଯିବ। ସେହିଭଳି ସହର ବାହାରେ ୬୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମା । ଅନୁଗୋଳରେ ରାଜ୍ୟ ତଥା ରାଜ୍ୟ ବାହାରର କାରିଗର ମୂର୍ତି ନିର୍ମାଣରେ ଲାଗିପଡିଛନ୍ତି ।
ପୂଜା ପାଇଁ ସାରା ସହରରେ ଛାଇ ଗଲାଣି ଆଲୋକର ତୋରଣ। ଚଳିତ ଥର ବଜାର ଛକ ପୂଜା କମିଟି ବର୍ଷା ଋତୁର ଦୃଶ୍ୟ ସଦୃଶ ସାଜସଜା ମଧ୍ୟରେ ମାଙ୍କୁ ପୂଜା କରୁଥିବା ବେଳେ ସହରର ସବୁଠୁ ପୁରୁଣା ଲକ୍ଷ୍ମୀ ବଜାର ଆଲୋକ ସଜା ଉପରେ ଅଧିକ ଗୁରୁତ୍ଵ ଦେଉଛି । ସେହିପରି ସହରର କାଞ୍ଚନ ବଜାର ପୂଜା କମିଟି ଅଯୋଧ୍ୟା ରାମ ମନ୍ଦିର ସଦୃଶ ବିଶାଳ କାୟ ତ୍ବରଣ ମଧ୍ୟରେ ମା ଙ୍କୁ ପୂଜା ପାଇଁ ଚଳାଇଛି ପ୍ରସ୍ତୁତି । ସେପଟେ ପୂଜା ପୂର୍ବରୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ସମନ୍ବୟ ବୈଠକ। ପୂଜା ସମୟରେ ଡାକବାଜି ଯନ୍ତ୍ରର ଉଚ୍ଚ ଶବ୍ଦ ବ୍ୟବହାରକୁ ବାରଣ କରାଯାଇଛି।
ରାତି ୧୦ଟା ପରେ ଡାକବାଜି ଯନ୍ତ୍ର ବଜାଇବା ସଂପୂର୍ଣ୍ଣ ନିଷେଧ କରାଯିବା ସହ ଡିଜେ ସାଉଣ୍ଡ ଉପରେ ଲାଗିଛି କଟକଣା। ସେହିପରି ପୂଜା ଓ ଭସାଣିରେ ଆତସବାଜି ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପୂଜା ସମୟରେ ମେଲୋଡି ଓ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମକୁ ରାତି ୧୦ଟା ସୁଦ୍ଧା ସାରିବାକୁ ହୋଇଛି ନିଷ୍ପତ୍ତି ।ଅକ୍ଟୋବର 6 ତାରିଖରୁ ଆରମ୍ଭ ହୋଇ 15 ତାରିଖ ପର୍ଯ୍ୟନ୍ତ ଚାଲିବ ଲକ୍ଷ୍ମୀ ପୂଜା । ପୂଜାକୁ ଶାନ୍ତି ଶୃଙ୍କଳାର ସହ ସମାପନ ପାଇଁ ପ୍ରଶାସନିକ ସ୍ତରରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅନୁଗୋଳ ସହର।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories