Odisha Politics / ନବୀନଙ୍କ ଲାଇନ୍ ବାହାରେ ବିଜେଡି ନେତା

Key Points
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ଏକ ପ୍ରକାର ନାପସନ୍ଦ କରୁଥିବା ବେଳେ ବିଜେଡି ନେତା କିନ୍ତୁ ଖୁବ୍ ପସନ୍ଦ କରୁଛନ୍ତି । ସେମାନେ ନବୀନଙ୍କ କଥାକୁ ପରୋକ୍ଷରେ ବିରୋଧ କରୁଛନ୍ତି । ଆଉ ବର୍ଦ୍ଧିତ ଦରମାକୁ ସମର୍ଥନ କରୁଛନ୍ତି । ନବୀନଙ୍କ ବର୍ଦ୍ଧିତ ଦରମା ନନେବା ଘୋଷଣା ପରେ ରାଜ୍ୟରେ ରାଜନୀତି ସରଗରମ ହୋଇଛି ।
ଖୋଦ ବିଜେଡି ନେତା ଗଣେଶ୍ୱର ବେହେରା ବର୍ଦ୍ଧିତ ଦରମାକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି । ସେ କହିଛନ୍ତି, ‘ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି, ସେଥିପାଇଁ ସେ ଦରମା ନେବାକୁ ମନା କରିଦେଇଛନ୍ତି । କିନ୍ତୁ ମୁଁ ଏବଂ ମୋ ଭଳି ଅନେକ ବିଧାୟକଙ୍କର ବର୍ଦ୍ଧିତ ଦରମା ନିହାତି ଆବଶ୍ୟକ । ନବୀନ ବାବୁଙ୍କର ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ । ଦଳୀୟ ବିଧାୟକଙ୍କୁ ବର୍ଦ୍ଧିତ ଦରମା ନେବା ପାଇଁ ସେ ବାରଣ କରି ନାହାନ୍ତି । ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲ୍କୁ ସମର୍ଥନ କରିଥିଲା । ତେଣୁ ଦରମା ବୃଦ୍ଧିକୁ ବିରୋଧ କରିବାର ପ୍ରଶ୍ନ କାହିଁକି ଉଠୁଛି । ବିଧାୟକମାନେ ବହୁ କଷ୍ଟରେ ଚଳୁଛନ୍ତି, ଲୋକେ ବୁଝିବା ଦରକାର ।’
ଅନ୍ୟପଟେ ନବୀନଙ୍କ ଏହି ପଦକ୍ଷେପ ପରେ ବିଜେପି ନେତା ଜୟ ନାରାୟଣ ମିଶ୍ର ତାଙ୍କୁ ଟାର୍ଗେଟ କରିଛନ୍ତି । ନବୀନଙ୍କୁ ଆକ୍ଷେପ କରି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, 'ନବୀନ ବାବୁ ବହୁତ ଧନୀ ଲୋକ, ଏସବୁ କେବଳ ସେ ଡ୍ରାମା କରୁଛନ୍ତି । ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି, ତଦନ୍ତ ହେବା ଦରକାର । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି । ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କର ସମର୍ଥନ ରହିଥିଲା । ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା' ।
'ଯେତେବେଳେ ଏହି ଦରମା ବୃଦ୍ଧି କରାଗଲା, ସେତେବେଳେ ବିଧାନସଭାରେ ନବୀନ ବାବୁ କାହିଁକି ରହିଲେ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର । ବିଧାନସଭା ଅଧିବେଶନ ଆଲୋଚନାରେ ସେ ଭାଗ ନେଇ ପାରିଥାନ୍ତେ । କିନ୍ତୁ ନେଲେନି । ସେତେବେଳେ ସେ ଏହି ବିଲ୍କୁ ବିରୋଧ କରିଥିଲେ, ସରକାର ବିଲ୍କୁ ପ୍ରତ୍ୟାହାର କରି ନେଇଥାନ୍ତେ' ।
📱 Get Argus News App
✨Related Topics
Explore more stories