Ganjam Flood Report / ଗଞ୍ଜାମ ବନ୍ୟା କ୍ଷୟକ୍ଷତି ନେଇ SRCଙ୍କୁ ରିପୋର୍ଟ ହସ୍ତାନ୍ତର କଲା ଜଳସମ୍ପଦ ବିଭାଗ

Key Points
ଡ୍ୟାମ୍ ପରିଚାଳନାରେ ହୋଇନାହିଁ କୌଣସି ତ୍ରୁଟି
ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା
ଅତ୍ୟଧିକ ଲଗାଣ ବର୍ଷା ଯୋଗୁଁ ହିଁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି
ଧନେଇ ଓ ସୋରଡ଼ା ଡ୍ୟାମ୍କୁ ନେଇ ବଡ଼ ସ୍ପଷ୍ଟୀକରଣ
ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ, ଡ୍ୟାମ୍ ପରିଚାଳନାରେ ହୋଇନାହିଁ ତ୍ରୁଟି । ୩୩୪ କୋଟିର କ୍ଷୟକ୍ଷତି ରିପୋର୍ଟ SRCଙ୍କୁ ପ୍ରଦାନ କଲା ଜଳସମ୍ପଦ ବିଭାଗ । ଗଞ୍ଜାମ ଜିଲ୍ଲାରେ ହୋଇଥିବା ସାମ୍ପ୍ରତିକ ବନ୍ୟା ପରିସ୍ଥିତିକୁ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦିଆଯାଇଛି ।
ଗଞ୍ଜାମ ବନ୍ୟା କୌଣସି ମନୁଷ୍ୟକୃତ ବନ୍ୟା ନୁହେଁ କିମ୍ବା ଡ୍ୟାମ୍ଗୁଡ଼ିକର କୁପରିଚାଳନା ଯୋଗୁଁ ଏହି ସ୍ଥିତି ଉପୁଜିନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି । ରେକର୍ଡ ପରିମାଣର ଅତ୍ୟାଧିକ ଲଗାଣ ବର୍ଷା ଯୋଗୁଁ ହିଁ ଜିଲ୍ଲାରେ ଏହି ବନ୍ୟା ସୃଷ୍ଟି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ । ତାଙ୍କ ସୂଚନା ଅନୁସାରେ, ବନ୍ୟା ନିୟନ୍ତ୍ରଣ ପାଇଁ ସଠିକ୍ ସମୟରେ ଜିଲ୍ଲାର ସମସ୍ତ ଡ୍ୟାମ୍ଗୁଡ଼ିକର ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା ।
ଲଗାଣ ବର୍ଷା ଆରମ୍ଭ ହେବା ପୂର୍ବରୁ ଅନେକ ଡ୍ୟାମ୍ରେ ଜଳସ୍ତର ମଧ୍ୟମ ଧରଣର ହିଁ ରହିଥିଲା, ଯାହାଫଳରେ ଅତିରିକ୍ତ ଜଳକୁ ଧାରଣ କରିବାର କ୍ଷମତା ରହିଥିଲା । ଧନେଇ ଓ ସୋରଡ଼ା ଡ୍ୟାମ୍ର ପରିଚାଳନା ସମ୍ପର୍କରେ ସ୍ପଷ୍ଟତା ଦେଇ ସେ କହିଛନ୍ତି ଯେ ଏହି ଡ୍ୟାମ୍ଗୁଡ଼ିକର ସିଧାସଳଖ ପରିଚାଳନା ଜଳସମ୍ପଦ ବିଭାଗ ହାତରେ ନଥିଲେ ସୁଦ୍ଧା ସମନ୍ୱୟ ରଖି ଜଳ ପରିଚାଳନା କରାଯାଇଛି ।
ଅତୀତର ଅନୁଭୂତିକୁ ଦୋହରାଇ ସେ କହିଛନ୍ତି ଯେ, ଫାଇଲିନ୍ ବାତ୍ୟା ସମୟରେ ମଧ୍ୟ ଜିଲ୍ଲାର ଅନେକ ଡ୍ୟାମ୍ରେ ମଧ୍ୟମ ଧରଣର ପାଣି ରହିଥିଲା ଏବଂ ସେତେବେଳେ ଯେଉଁଭଳି ପ୍ରଶାସନିକ ସାବଧାନତା ଅବଲମ୍ବନ କରାଯାଇଥିଲା, ବାତ୍ୟା ‘ଅର୍ଣ୍ଣବ’ ସମୟରେ ମଧ୍ୟ ସେହିଭଳି ଅନେକ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ କ୍ରମାଗତ ଅତିପ୍ରବଳ ବର୍ଷା ଯୋଗୁଁ ଜଳାଶୟଗୁଡ଼ିକରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ।
ଅନ୍ୟପଟେ, ଗଞ୍ଜାମ ଜିଲ୍ଲାରେ ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗର ଭିତ୍ତିଭୂମି, ନଦୀବନ୍ଧ ଓ କେନାଲ ଆଦିର ବ୍ୟାପକ କ୍ଷତି ହୋଇଛି । ପ୍ରାରମ୍ଭିକ ଆକଳନ ଅନୁସାରେ ମୋଟ କ୍ଷୟକ୍ଷତିର ପରିମାଣ ଆନୁମାନିକ ୩୩୪ କୋଟି ଟଙ୍କା ହେବ ବୋଲି ହିସାବ କରାଯାଇଛି ।
ଏହି ସମ୍ପର୍କିତ ସବିଶେଷ କ୍ଷୟକ୍ଷତି ରିପୋର୍ଟ ଜଳସମ୍ପଦ ବିଭାଗ ପକ୍ଷରୁ ଏସ୍ଆର୍ସି ବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଆୟୁକ୍ତଙ୍କ ନିକଟକୁ ପଠାଇ ଦିଆଯାଇଛି । କ୍ଷତିଗ୍ରସ୍ତ ବନ୍ଧଗୁଡ଼ିକର ତୁରନ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।
📱 Get Argus News App
✨Related Topics
Explore more stories