ଯେବେ ପ୍ରେମିକା ସାଜେ ଖଳନାୟିକା...

ପ୍ରେମିକା ସାଜିଲା ଖଳନାୟିକା । ଗୁଣ୍ଡା ଲଗାଇ ପ୍ରେମିକକୁ କଲା ଅପହରଣ । ମୁଣ୍ଡ ଜାମିନ ରଖି ପରିବାର ଲୋକଙ୍କୁ ମାଗିଲା 10 ଲକ୍ଷ । ଝାରପଡାରୁ ଖଣ୍ଡଗିରି...ପରେ ଗୋପାଳପୁରରୁ ଭୁବନେଶ୍ୱର...ରାତି ତମାମ କାରରେ ପ୍ରେମିକକୁ ବୁଲାଇବା ସହ ପ୍ଲାଷ୍ଟିକ ପାଇପ, ବାଡ଼ି ଏବଂ ବେଲ୍ଟରେ ବିଭତ୍ସ ଭାବେ ବାଡେଇବାକୁ ନିର୍ଦ୍ଦେଶ ଦେଇଥିଲା ପ୍ରେମିକା । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱରରେ ।
ସମୟ ସୋମବାର ରାତି 10ଟା । ସୋମନାଥ ସ୍ୱାଇଁଙ୍କୁ ଝାରରପଡାରୁ ଅପହରଣ କରି ଭଉଣୀଙ୍କୁ ଫୋନ କରି ଅପହରଣକାରୀ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ପ୍ରେମିକ ଦୀପକ(ଛଦ୍ନନାମ)କୁ ଜୀବନରୁ ମାରିଦେବାକୁ ଦେଉଥିଲେ ଧମକ । ଶେଷରେ ଦୀପକଙ୍କ ଭଉଣୀ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ମାମଲା ରୁଜୁ କରିବା ସହ ତିନୋଟି ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅପହରଣକାରୀଙ୍କ ମୋବାଇଲକୁ ଟ୍ରାକ କରି ଭରତପୁର ଅଞ୍ଚଳରେ ଥିବା ହୋଟେଲ ଗ୍ରୀନ ଇନରୁ ସୋମନାଥଙ୍କୁ ଉଦ୍ଧାର କରିଥିଲା ପୋଲିସ ।
📱 Get Argus News App
✨ସୂଚନାନୁଯାୟୀ ଦୀର୍ଘ ଦୁଇ ବର୍ଷ ହେବ ପ୍ରେମିକା ନିହାରିକା(ଛଦ୍ନନାମ)ଙ୍କ ସହ ଲିଭ ଇନ୍ ରେ ରହୁଥିଲେ ଦୀପକ । ପୂର୍ବ ପ୍ରେମିକ ସହ ନିହାରିକା କଥା ହେବାରୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ସହ ମାରପିଟ୍ ହୋଇଥିଲା । ଶେଷରେ ଇଏ ହେଉଛି ପରିଣତି । ପ୍ରେମିକକୁ ଅପହରଣ କରି ଯେଉଁ ବୁଢିଆଣୀ ଜାଲ ବିଛାଇଥିଲା ପ୍ରେମିକା ସେଥିରେ ସେ ନିଜେ ହିଁ ଫସି ଯାଇଛି । ପ୍ରେମିକା ସମେତ 5 ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।
ମୁଖ୍ୟ ଖଳନାୟିକା ପ୍ରେମିକା ନିହାରିକା, ରାକେଶ ଚନ୍ଦ୍ର ବାରିକ, ଶ୍ୟାମସୁନ୍ଦର ସାହୁ, ଶିବରାମ ବେହେରା ଏବଂ ଆକାଶ କୁମାର ପରିଡା ସମସ୍ତେ ଏବେ ପୋଲିସ କବଜାରେ । ସେମାନଙ୍କ ନିକଟରୁ ଅପହରଣରେ ବ୍ୟବହୃତ ଦୁଇଟି କାର ଏବଂ 8ଟି ମୋବାଇଲ ଜବତ କରିଛି ପୋଲିସ ।