ବିମାନ ବନ୍ଦରରୁ ସମ୍ମିଳନୀ ସ୍ଥଳ ଯାଏ ମିଳିଲା ଓଡ଼ିଆ ସଂସ୍କୃତିର ଝଲକ

Key Points
ଓଡ଼ିଶାର ଆତିଥେୟତାରେ ପ୍ରବାସୀ ଭାରତୀୟ ଆତ୍ମ ବିଭୋର
ବିମାନ ବନ୍ଦରରୁ ସମ୍ମିଳନୀ ସ୍ଥଳ ଯାଏ ମିଳିଲା ଓଡ଼ିଆ ସଂସ୍କୃତିର ଝଲକ
ପ୍ରବାସୀଙ୍କୁ ପରସା ଗଲା ଭଳିକି ଭଳି ଓଡ଼ିଆ ଖାଦ୍ୟର ସମ୍ଭାର
ଅତିଥୀଙ୍କ ମନମୋହୁଛି ଏକାଧିକ ଉତ୍ସବ ଓ ପ୍ରଦର୍ଶନୀର ସମାହାର
ଅର୍ଗସ ବ୍ୟୁରୋ: ବହୁ ପ୍ରତିକ୍ଷିତ ୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀର ହୋଇଛି ଶୁଭାରମ୍ଭ। ଭୁବନେଶ୍ଵର ଜନତା ମଇଦାନରେ ଜମିଛି ପ୍ରବାସୀ ମହାକୁମ୍ଭ। ପ୍ରଥମ ଦିନରୁ ହିଁ ଓଡ଼ିଶାର ସତ୍କାରରେ ଆତ୍ମ ବିଭୋର ହୋଇଛନ୍ତି ପ୍ରବାସୀ ଅତିଥି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ସହ ଅତିଥୀଙ୍କୁ ପରିଚିତ କରାଇବା ପାଇଁ ବିମାନ ବନ୍ଦରରୁ ଜନତା ମଇଦାନ ଯାଏ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଜନତା ମଇଦାନରେ ତିଆରି ହୋଇଛି ଭିନ୍ନ ଭିନ୍ନ ପାଭିଲିୟନ। ଯେଉଁଥିରେ ଓଡ଼ିଆ ପର୍ବ ପର୍ବାଣୀ ଓ ପରମ୍ପରାକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା, ସୁନାବେଶଠାରୁ ଆରମ୍ଭ କରି ଦୋଳ ବିମାନ, ମାର୍ଗଶିର ମାସର ମାଣ ବସା, ଓଡ଼ିଆ ଘରେ ଚିତା, ଧାନ କେଣ୍ଡା, ତୁଳସୀ ଚଉଁରା ଆଦି ପ୍ରଦର୍ଶିତ ହୋଇଛି। ଜଗନ୍ନାଥଙ୍କ ବଡ଼ ସିଂହାର ବେଶକୁ ନେଇ ବାଲୁକା କଳା ତିଆରି କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସେହିପରି ରାମାୟଣକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଏବେ ବି ଜୀବନ୍ତ ଥିବା ପରମ୍ପରାକୁ ପଟ୍ଟ ଚିତ୍ର, ମୂର୍ତ୍ତି, ତାଳ ପତ୍ର ପୋଥିରେ ପ୍ରଦର୍ଶିତ କରାଯାଇଛି । ଆଉ ବିଶ୍ଵରୂପ ରାମ ଷ୍ଟଲରେ ମଧ୍ୟ ରାମାୟଣର କଥା ବସ୍ତୁକୁ ମୁଖା ଓ ପୋଷ୍ଟ କାର୍ଡରେ ଶୋ କେସ କରାଯାଇଛି । ସେହିପରି ଓଡ଼ିଶାର ଅନ୍ୟତମ ଐତିହ୍ୟ ସ୍ଥଳୀ କୋଣାର୍କ, ଧଉଳି ଶାନ୍ତିସ୍ତୁପ, ମୁକ୍ତେଶ୍ଵର ପ୍ରସ୍ତର ତୋରଣର ପ୍ରତିକୃତି ଗୁଡ଼ିକର ନିଖୁଣତାରେ ମୋହିତ ହୋଇଛନ୍ତି ପ୍ରବାସୀ ଅତିଥି ।
କେବଳ ଏତିକି ନୁହେଁ, ପ୍ରବାସୀ ଭାରତୀୟ ଦିବସର କାର୍ଯ୍ୟକ୍ରମରେ ଅନ୍ୟତମ ଆକର୍ଷଣ ପାଲଟିଛି ଓଡ଼ିଶାର ହସ୍ତ ତନ୍ତ, ହସ୍ତ ଶିଳ୍ପ ଓ କଳା କାରିଗରୀ । ସମ୍ବଲପୁରୀ, ପଶାପାଲି, ଟସର ସିଲ୍କ ଶାଢ଼ୀ, ପିପିଲିର ଚାନ୍ଦୁଆ, କଣ୍ଟିଲୋର କଂସା ପିତ୍ତଳ, ଡୋକ୍ରା କାରୁକାର୍ଯ୍ୟ, ଡଙ୍ଗରିଆ ହସ୍ତଶିଳ୍ପ ତିଆରି ସାମଗ୍ରୀ ଦେଖି ବିମୋହିତ ହେବା ସହ କିଣାକିଣି ବି କରୁଛନ୍ତି ପ୍ରବାସୀ ଅତିଥି । ପ୍ରବାସୀ ଭାରତୀୟଙ୍କ ସତ୍କାରରେ ପରସା ଯାଇଛି ଭଳିକି ଭଳି ଦେଶୀ ଓଡ଼ିଆ ଖାଦ୍ୟର ସମ୍ଭାର । କଦଳୀ ମଞ୍ଜା - ମାଣ୍ଡିଆ ସୁପ, ହେଙ୍ଗୁ ଖେଚୁଡି, ଭଜା ମୁଗ ଡାଲି, ଗୋଟା ପୋଟଳ କଶା, ଜହ୍ନି ଆଳୁ ରାଇ, ଟମାଟୋ ଖଜୁରୀ ଖଟା, ଦହି ବରା ଭଳି ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟର ମଜା ନେଇଛନ୍ତି ପ୍ରବାସୀ ଅତିଥି । ସେହିପରି ଛେନା ପୋଡ଼, ଛେନା ଝିଲି ଆଦି ମିଠା ଏବଂ ମଣ୍ଡା, କାକରା ଭଳି ଓଡ଼ିଆ ପିଠା ଅତିଥିଙ୍କୁ ଖୁବ ପସନ୍ଦ ଆସିଛି।
📱 Get Argus News App
✨ଭୁବନେଶ୍ବରରେ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ କିନ୍ତୁ ପ୍ରବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି ଶ୍ରୀକ୍ଷେତ୍ର ପୁରୀ। ବେଳାଭୂମିରେ ନୃତ୍ୟ ଗୀତ ସଙ୍ଗୀତ ମହୋତ୍ସବ ସହ କଳା, ଭାସ୍କର୍ଯ୍ୟ ଓ ପୁଷ୍କ ପ୍ରଦର୍ଶନୀ ସହ ଗୁଡି ଉତ୍ସବ ଅତିଥୀଙ୍କ ମନ ମୋହୁଛି। ବିଚ୍ ସ୍ପୋର୍ଟସ ମଧ୍ୟ ବିଶେଷ ଆକର୍ଷଣ ପାଲଟିଛି। ପଲ୍ଲୀଶ୍ରୀ ମେଳାରେ ୨୫୦ରୁ ଅଧିକ ଷ୍ଟଲରେ ଓଡ଼ିଆ ହସ୍ତକଳା, ଚିତ୍ର ଓ ବିଭିନ୍ନ ଦ୍ରବ୍ୟ ପ୍ରତି ଆକର୍ଷିତ ହେଉଛନ୍ତି ପ୍ରବାସୀ ଭାରତୀୟ। ଖାଲି ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର କିମ୍ବା ବେଳାଭୂମି ନୁହେଁ ବରଂ ପୁରୀ ଜିଲ୍ଲାର କୋଣାର୍କ, ସାତପଡା,ଐତିହ୍ୟ ଗ୍ରାମ ରଘୁରାଜପୁର, ରାମଚଣ୍ଡି ଆଦି ଦର୍ଶନୀୟ ସ୍ଥାନରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା।
ଶ୍ରୀମନ୍ଦିର ଐତିହ୍ୟ ଦେଖିବା ପାଇଁ ପ୍ରବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ପ୍ରାୟ ସବୁ ଦେଶର ପ୍ରତିନିଧି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନର ଅନୁଭୁତି ନେଇଛନ୍ତି। ଅତିଥୀଙ୍କ ସୁରକ୍ଷା ପାଇଁ ଶ୍ରୀକ୍ଷେତ୍ରରେ ୨୮ ପ୍ଲାଟୁନ ୨ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ପ୍ରବାସୀଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ଟିମ୍ ଯୋଗାଇ ଦିଆଯାଇଛି। ତିନି ଦିନ ବ୍ୟାପି ଚାଲିବ ପ୍ରବାସୀ ଭାରତୀୟ ସମ୍ମିଳନୀ । ଓଡ଼ିଶାରେ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଥିବାରୁ ଅତିଥୀଙ୍କୁ ସର୍ବୋତ୍ତମ
ଅନୁଭୁତି ଦେବାକୁ ସୱୁ ପ୍ରକାର ଉଦ୍ୟମ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।