ଛେଳି ଚରାଳିଙ୍କ ମାଳମାଳ ମେଡାଲ୍ ଓ ସାର୍ଟିଫିକେଟ

Key Points
‘ଷ୍ଟ୍ରଙ୍ଗ୍ ଓ୍ବିମେନ ଅଫ୍ ଇଣ୍ଡିଆ' ଟାଇଟଲ ଧାରକ ଏବେ ଛେଳି ଚରାଳି
ଶକ୍ତି ଉତ୍ତୋଳନରେ ପାଇଛନ୍ତି ମାଳମାଳ ମେଡାଲ୍ ଓ ସାର୍ଟିଫିକେଟ
ଏବେ ପରିବାର ପାଇଁ ଦୁଇ ଓଳି ଖାଇବା ଯୋଗାଡ କରିବା କଷ୍ଟ
ତଥାପି ଜାରି ରହିଛି ଅଭ୍ୟାସ
ଛେଳି ଚରାଉଥିବା ୨୬ବର୍ଷିୟ ମହିଳା ଜଣଙ୍କ ହେଉଛନ୍ତି ଗରିବ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦେବୀ ସିଂ । ଦିନେ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏବେ ସେ ଛେଳି ଚରାଉଛନ୍ତି। ନିଜ କ୍ୟାରିୟରରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ,ଜମ୍ମୁ ଓ ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ସଫଳତା ହାସଲ କରିବା ସହ ୪ ଥର ‘ଷ୍ଟ୍ରଙ୍ଗ୍ ଓମେନ୍ ଅଫ୍ ଇଣ୍ଡିଆ’ ଓ ୫ ଥର ‘ଷ୍ଟ୍ରଙ୍ଗ୍ ଓମେନ୍ ଅଫ ଓଡ଼ିଶା’ ବିବେଚିତ ହୋଇଥିଲେ। ମାଳମାଳ ମେଡାଲ୍ ଓ ସାର୍ଟିଫିକେଟ ।
ହେଲେ ବାର୍ଦ୍ଧକ୍ୟ ଯୋଗୁ ବାପା ଆଉ ମୂଲ ଲାଗିବାକୁ ଯାଇପାରୁ ନାହାନ୍ତି । ପରିବାରର ସ୍ଥିତି ଏବେ ଦୟନୀୟ । ଦୁଇଓଳି ଖାଇବା ଯୋଗାଡ଼ କରିବା ବି ସମ୍ଭବ ହେଉନି। ଭଙ୍ଗା ଚାଳଛପର ଘରେ ନିଜ ମେଡାଲ୍ ତକ ସାଇତି ରଖିବାକୁ ବି ଜାଗା ନାହିଁ। ସକାଳ ହେଲେ ପେଟପାଟଣା ପାଇଁ ଛେଳି ଚରାଇବାକୁ ବାଡ଼ି ଧରି ଘରୁ ବାହାରି ଯାଉଛନ୍ତି।
ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଡା ବ୍ଲକ୍ ଲକ୍ଷ୍ମୀପୁର ଗ୍ରାମର ପିତା ଚୁନୁ ସିଂ ଓ ମାତା ବିଦି ସିଂଙ୍କ ୫ମ ସନ୍ତାନ ହେଉଛନ୍ତି ଦେବୀ ସିଂ । ପିଲାଟିବେଳୁ ଖେଳକୁଦ ପ୍ରତି ଥିଲା ଅହେତୁକ ଆଗ୍ରହ । ନିଜର ଶକ୍ତିକୁ ପରଖି ଶକ୍ତି ଉତ୍ତୋଳନରେ କ୍ୟାରିୟର କରିବାକୁ ସ୍ଥିର କରିଥିଲେ । ୨୦୧୩ ମସିହାରୁ ଅଭ୍ୟାସ ଆରମ୍ଭ । ଏବେ ନିଜ ଝିଅର କ୍ୟାରିୟରକୁ ଆଗକୁ ବଢେଇବା ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ତାଙ୍କ ବାପା , ମା ଓ ଭଉଣୀ ।
ମୟୂରଭଞ୍ଜ ଜିମ୍ନାସିୟମର ଅଧ୍ୟକ୍ଷ ନବକୁମାର ସାହୁ ଦେବୀଙ୍କ ପାଇଁ ସାଜିଥିଲେ ମାର୍ଗଦର୍ଶକ। ନିଜସ୍ବ ସହାୟତାରେ ଦେବୀ ଙ୍କ ସହ ଅନେକ ଗରିବ ପରିବାରର ଯୁବତୀଙ୍କୁ ଭାରୋତ୍ତଳନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇଛନ୍ତି । ହେଲେ ଅର୍ଥ ଓ ସାମର୍ଥ୍ୟ ଅଭାବରୁ ଆଗକୁ ଆଉ ସହଯୋଗ କରିବା ସମ୍ଭବ ହେଉନାହିଁ । ସରକାର ଯଦି ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତେବେ ଦେବୀ ଓ ଅନ୍ୟ ଯୁବତୀ ମାନେ ନିଶ୍ଚିତ ରାଜ୍ୟ ଓ ଦେଶର ଟେକ ରଖନ୍ତେ ବୋଲି କହିଛନ୍ତି ଜିମ୍ନାସିୟମର ଅଧ୍ୟକ୍ଷ ।
📱 Get Argus News App
✨
ଅଭାବ ଅନଟନ ସତ୍ତ୍ବେ ସେ ନିଜ ଜୀବନକୁ ଶକ୍ତି ଉତ୍ତୋଳନ ପାଇଁ ଉତ୍ସର୍ଗ କରିଦେଇଛନ୍ତି ଦେବୀ। ଏବେ ବି ଘରକାମ ଭିତରେ ଦୈନିକ ୪ରୁ ୫ ଘଣ୍ଟା ଅଭ୍ୟାସ ଜାରି ରଖିଛନ୍ତି। ସରକାରୀ ଚାକିରି ଖଣ୍ଡେ ଯୋଗାଇ ଦେବା ସହ କ୍ରୀଡ଼ାଭ୍ୟାସ ପାଇଁ ବ୍ୟବସ୍ଥା କରିବାକୁ ଦେବୀ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।