ଓଡ଼ିଶାରେ ଭରପୁର ସୁନା ଖଣି, ୧୦ ଜିଲ୍ଲାରେ ସୁନା ଖଣି ଥିବା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ଵର: ରାଜ୍ୟରେ ରହିଛି ଭରପୁର ସୁନା ଖଣି । ପ୍ରାୟ ୧୦ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବେ ସୁନା ଥିବାର ସୂଚନା ମିଳିଛି । ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଅଣତାରକା ପ୍ରଶ୍ନରେ ଏ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।
ଖଣି ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ, ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥରର ସନ୍ଧାନ ମିଳିଛି । ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ (GSI) ସଂସ୍ଥା ଦ୍ଵାରା ତମ୍ବାପଥର ପାଇଁ ଜି-୨ ସ୍ତରରେ ଅନ୍ଵେଷଣ କଲା ବେଳେ ଦେବଗଡ଼ରେ ମିଳିଛି ସୁନାପଥରର ସନ୍ଧାନ ।
ସେହିଭଳି କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ମାଙ୍କଡ଼ଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି । ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ (ଧୂଷୁରା ପାହାଡ଼) ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ଵେ।ଣ୍ ନିମନ୍ତେ ଜାରି ରହିଛି ପ୍ରାରମ୍ଭିକ ଅନୁସନ୍ଧାନ ।
📱 Get Argus News App
✨
ଏହା ଛଡ଼ା ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବରେ ସୁନା ଥିବାର ସୂଚନା ମିଳିଛ, ଯାହାର ସବିଶେଷ ଅନୁସନ୍ଧାନ କରାଯାଇ ନାହିଁ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।