ବ୍ରହ୍ମପୁର MKCG ପାଇଁ ଖୁସି ଖବର, ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇଲା

Key Points
ପ୍ରଥମେ ମେଡିକାଲ୍ ଅଧିକ୍ଷକ DMETଙ୍କୁ ଜଣାଇଲେ ।
ତାପରେ SCB ରୁ ଏକ୍ସପର୍ଟ ଗଲେ MKCG ।
IREL ଯୋଗାଇ ଦେଇଛି ସବୁ ଉପକରଣ ।
ମେଡ଼ିକାଲର ଅଧିକ୍ଷକ ପ୍ରଫେସର ଡ଼ା.ସୁଚିତ୍ରା ଦାଶ ଦେଇଛନ୍ତି ସୂଚନା । ଗତ କିଛି ବର୍ଷ ପୂର୍ବରୁ ହାର୍ଟ ଲଙ୍ଗ୍ ମେସିନ ଏମକେସିଜିକୁ ଅଣାଯାଇ ସାରିଛି । ମେଡିକାଲ୍ ଅଧିକ୍ଷକ DMETଙ୍କୁ ଜଣାଇବା ପରେ ମେସିନ୍ ଚଳାଇବା ପାଇଁ ବର୍ତ୍ତମାନ କଟକ ଏସସିବିରୁ ଜଣେ ପ୍ରଫ୍ୟୁଜନିଷ୍ଟ ଏମକେସିଜିରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଏହି ହାର୍ଟ ଲଙ୍ଗ୍ ମେସିନକୁ ଚଳାଇବା ଲାଗି ଆବଶ୍ୟକ ଉପକରଣ ଇଣ୍ଡିଆନ୍ ରେୟାର୍ ଆର୍ଥ ଲିମିଟେଡ଼ ତଥା IREL ଯୋଗାଇ ଦେଇଛି । ଏହାସହ ଆଉ କିଛି ଉପକରଣ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏମକେସିଜି ମେଡିକାଲରେ ଉପଲବ୍ଧ ରହିଛି । ତେଣୁ ଖୁବଶୀଘ୍ର ତଥା ସପ୍ତାହେ ମଧ୍ୟରେ ଓପନ ହାର୍ଟ ସର୍ଜରୀ ଆରମ୍ଭ ହେବ । ଯାହାଦ୍ବାରା ରୋଗୀଙ୍କୁ ବେଶୀ ଖର୍ଚ୍ଚାନ୍ତ ହୋଇ ଘରୋଇ ମେଡ଼ିକାଲକୁ ଯିବାକୁ ପଡ଼ିବ ନାହିଁ ।
ଏମକେସିଜି ମେଡିକାଲର କାର୍ଡିଓ ଥୋରାସିକ୍ ଏବଂ ଭାସ୍କୁଲାର ଅସ୍ତ୍ରୋପଚାର ତଥା ସିଟିଭିଏସ ବିଭାଗ ମଧ୍ୟରେ ଓପନ ହାର୍ଟ ସର୍ଜରୀ ଆରମ୍ଭ ହେବ । ଗତ ୨୦ ବର୍ଷ ପୂର୍ବରୁ ଏମକେସିଜି ମେଡିକାଲରେ ଓପନ ହାର୍ଟ ସର୍ଜରୀ ଆରମ୍ଭ ହୋଇଥିବାବେଳେ କୌଣସି କାରଣରୁ କିଛିଦିନ ପରେ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ପୁଣି ଏହି ସର୍ଜରୀ ଆରମ୍ଭ ହେବାକୁ ଥିବା ବେଳେ ଏହି ସେବା ପାଇବା ନିମନ୍ତେ ଅନେକ ରୋଗୀ ଅପେକ୍ଷାରତ ରହିଥିବା କହିଛନ୍ତି CTVS ବିଭାଗର ଡ଼ାକ୍ତର ।
ଓଡ଼ିଶାର ଦ୍ବିତୀୟ ସରକାରୀ ମେଡିକାଲ ଭାବେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଓପନ ହାର୍ଟ ସର୍ଜରୀ ଆରମ୍ଭ ହେବାକୁ ଥିବା ବେଳେ ମାଗଣାରେ ଏହି ସେବା ପାଇ ବହୁ ରୋଗୀ ଉପକୃତ ହୋଇପାରିବେ ।