ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର

Key Points
ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଜଣ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରାଗଲାଣି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜମାକାରୀଙ୍କ ମନରେ ଉଠିଛି ଆଶା ଓ ବିଶ୍ବାସ ।
ବିଜେଡି କଲା ପ୍ରତାରଣା, ବିଜେପି କରୁଛି ପ୍ରତିଶ୍ରୁତି ପାଳନ । ନିର୍ବାଚନୀ ସଂକଳ୍ପ ମୁତାବକ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଉଛନ୍ତି ବିଜେପି ସରକାର । ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ସରକାର ନେଲେ ବଡ଼ ପଦକ୍ଷେପ । ଆସନ୍ତା ୩ରୁ ୪ ମାସ ଭିତରେ ୫ ଲକ୍ଷ ଜମାକାରୀଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଏବଂ ଜିଲ୍ଲାସ୍ତରକୁ ବିକେନ୍ଦ୍ରୀକରଣ କରାଯାଇଛି ।
ତେବେ ଗତ ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଜଣ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରାଗଲାଣି । କିନ୍ତୁ ବିଜେଡି ଶାସନ ସମୟରେ ୨୦୧୪ରୁ ୨୦୨୪ ମସିହା, ଦୀର୍ଘ ୧୦ ବର୍ଷ ମଧ୍ୟରେ କେବଳ ୨ ଲକ୍ଷ ୭୯ ହଜାର ୧୦୯ ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ କୋଟି ଟଙ୍କା ଫେରସ୍ତ କରାଯାଇଥିଲା ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜମାକାରୀଙ୍କ ମନରେ ଉଠିଛି ଆଶା ଓ ବିଶ୍ବାସ । ଗଞ୍ଜାମରୁ ବାଲେଶ୍ବର ଭଦ୍ରକରୁ ସୋର ସବୁଠି ଜମକାରୀଙ୍କ ମନରେ ଜାଗିଛି ଆଶା । ଟଙ୍କା ବୁଡିଗଲା ଭାବି ଭରସା ଛାଡ଼ି ଦେଇଥିବା ଜମାକାରୀଙ୍କ ମଧ୍ୟରେ ଫେରିଛି ନୂଆ ଆଶାର କିରଣ ।
ବିଧାନସଭାର ତଥ୍ୟ କହୁଛି ୨୪ ଲକ୍ଷ ୭୫ ହଜାର ୭୮୨ ଜମାକାରୀ ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ । ଏମାନଙ୍କର ପ୍ରାୟ ୬୮୬୦ କୋଟି ୧୪ ଲକ୍ଷ ୪୨ ହଜାର ଟଙ୍କା ଠକି ନେଇଥିଲେ ଚିଟଫଣ୍ଡ ସଂସ୍ଥା । କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ୨୦୧୩ ଜୁଲାଇରେ ଅବସରପ୍ରାପ୍ତ ଜଷ୍ଟିସ ଆର.କେ. ପାତ୍ରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ବସାଇଥିଲେ ପୂର୍ବ ସରକାର ।
ତେବେ ଜାନୁଆରୀ ୨୦୧୫ରେ ତାଙ୍କ ମୃତ୍ୟୁ ପରେ ଫେବୃଆରୀ ୨୦୧୫ରେ ଜଷ୍ଟିସ ଏମ.ଏମ ଦାସଙ୍କୁ କମିଶନର ଅଧ୍ୟକ୍ଷ ଭାବେ ତତ୍କାଳୀନ ବିଜେଡି ସରକାର ନିଯୁକ୍ତ କରିଥିଲେ । ତଦନ୍ତ କମିଶନ ସରକାରଙ୍କ ନିକଟରେ ୭ଟି ଅନ୍ତରୀଣ ତଦନ୍ତ ରିପୋର୍ଟ ମଧ୍ୟ ଉପସ୍ଥାପନ କରିଥିଲେ । ତେବେ ୫ ଫେବୃଆରୀ ୨୦୨୦ରେ ଶେଷ ହୋଇଥିଲା ତଦନ୍ତ କମିଶନର କାର୍ଯ୍ୟକାଳ । କିନ୍ତୁ ଟଙ୍କା ଫେରସ୍ତ ପାଇଁ ଆଉ ତଦନ୍ତ କମିଶନର କାର୍ଯ୍ୟକାଳ ବୃଦ୍ଧି କରିନଥିଲେ ପୂର୍ବ ସରକାର । ଏପରିକି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ କମିଶନ ବାବଦକୁ ୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ ସେତେବେଳର ସରକାର ।