ଘର ଋଣ କରିଥିବା ଲୋକଙ୍କ ପାଇଁ ଖୁସି ଖବର

ଘର ଋଣ କରିଥିବା କିମ୍ବା କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। କମ୍ ହେବ ଗୃହ ଋଣର ସୁଧହାର। ୫ ବର୍ଷ ପରେ ରେପୋ ରେଟ୍ ହ୍ରାସ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ ପାଇଛି। ପୂର୍ବରୁ ରେପୋରେଟ୍ ୬.୫ ଥିବା ବେଳେ ଏବେ ଏହା ୬.୨୫ ହୋଇଛି। ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କମାନଙ୍କୁ ଋଣ ଦେଇଥାଏ। ତେଣୁ ରିଜର୍ଭ ବ୍ୟାଙ୍କ ରେପୋରେଟ୍ କମ କରିବା ପରେ ଆଗକୁ ବ୍ୟାଙ୍କଗୁଡ଼ିକ ବି ବିଭିନ୍ନ ଋଣର ସୁଧ ହାର ହ୍ରାସ କରିବେ। ଆରବିଆଇର ନୂଆ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ତାଙ୍କର ପ୍ରଥମ ମିନିଟାରୀ ପଲିସି ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
୨୦୨୩ ଫେବ୍ରୁଆରୀରେ ଶେଷ ଥର ପାଇଁ ରେପୋରେଟରେ ବୃଦ୍ଧି କରାଯାଇଥିଲା। ସେବେଠାରୁ ଏହା ୬.୫ ପ୍ରତିଶତରେ ସ୍ଥିର ଥିଲା। ସେହପିରି ୨୦୨୦ ଶେଷ ଥର ପାଇଁ ରେପୋ ରେଟ୍ ହ୍ରାସ କରାଯାଇଥିଲା। ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ଆରବିଆଇ ସାଧାରଣତଃ ରେପୋ ରେଟ୍ ବୃଦ୍ଧି କରିଥାଏ। ଏଥିସହ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅବଶ୍ୟ ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବା ନେଇ ନିଜ ପୂର୍ବ ଆକଳନରେ କାଏମ ରହିଛି ଆରବିଆଇ। ଏହାଛଡ଼ା ଖୁଚୁରା ମୁଦ୍ରାସ୍ଫୀତି ଆସନ୍ତା ବର୍ଷ ୪.୨ ପ୍ରତିଶତ ଏବଂ ଚଳିତ ବର୍ଷ ୪.୮ ପ୍ରତିଶତ ରହିବା ନେଇ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଛି। ଏହି ରେପୋ ରେଟ୍ ହ୍ରାସ ନିଷ୍ପତ୍ତି ସହ ସପ୍ତାହେ ଭିତରେ ଦେଶବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ଦ୍ବିତୀୟ ଆଶ୍ବସ୍ତି ମିଳିଛି। ପୂର୍ବରୁ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟରେ ଆୟକର ଛାଡ଼ ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରି ମଧ୍ୟବିତ୍ତଙ୍କୁ ଏକ ବଡ଼ ଆଶ୍ବସ୍ତି ଦେଇଥିଲେ ମୋଦି ସରକାର।
