Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶ୍ୱବାସୀଙ୍କ ପାଇଁ ଖୁସି ଖବର, ସୁସ୍ଥ ହୋଇଛନ୍ତି ମହାପ୍ରଭୁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଶ୍ୱବାସୀଙ୍କ ପାଇଁ ଖୁସି ଖବର, ସୁସ୍ଥ ହୋଇଛନ୍ତି ମହାପ୍ରଭୁ

Key Points

ବିଶ୍ୱବାସୀଙ୍କ ପାଇଁ ଖୁସି ଖବର
ଜ୍ୱରରେ ପଡିଥିବା ମହାପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି
ଆଜିଠାରୁ ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା କାହାଳୀ ବାଜିବ,ମଣିମା ଡାକ ମଧ୍ୟ ଶୁଭିବ

ଶ୍ରୀମନ୍ଦିରରେ ପୁଣି ବାଜିଛି ଘଣ୍ଟଘଣ୍ଟା କାହାଳୀ ପୁଣି ଶୁଣିବାକୁ ମିଳିଛି ମଣିମା ମଣିମା ଡାକ। କାରଣ ବିଶ୍ୱନିୟନ୍ତା ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଖଳିଲାଗି ଏକାଦଶୀରେ ଦଶମୂଳ ସେବନ ପରେ ଏବେ ସଂପୂର୍ଣ୍ଣ ସୁସ୍ଥ । ଶୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଖଳିକୁ ଦିଅଁଙ୍କୁ ଲାଗି କରାଯିବା ପରେ ଦଇତାପତି ଓ ପତିମହାପାତ୍ର ସେବାୟତ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିଥିଲେ। ଏଥିସହ ମହାପ୍ରଭୁଙ୍କୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରାଯାଇଛି। ଅଣସରରେ ବିନା ତୁଳସୀ ଓ ଧଳା ଫୁଲରେ ଚତୁର୍ଦ୍ଧାମୂରତୀ ପୂଜା ପାଉଥିବା ବେଳେ ମହାପ୍ରଭୁଙ୍କଠାରେ ତୁଳସୀ ଓ ରଙ୍ଗୀନ ଫୁଲ ଲାଗି କରାଯାଇଛି। ଆଜି ଅଣସର ଦ୍ୱାଦଶୀରେ ପରମ୍ପରା ଅନୁଯାୟୀ ଦଇତାପତି ସେବାୟତମାନେ ଶ୍ରୀନହରକୁ ଖଳି ବିଜେ କରାଇବା ସହ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିବେ ।
ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ୪ ଦିନ ବାକି ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ବିଶ୍ଵକର୍ମା ମାନେ ପ୍ରଭା କାମ ସାରି ରୂପକାରଙ୍କୁ ଦେବା ପରେ ସେଥିରେ ରୂପକାର ସେବକ ମାନେ କୀର୍ତ୍ତିମୁଖ ଓ ଉଭୟ ପାର୍ଶ୍ଵରେ ମଗରମୁଣ୍ଡ ଚିତ୍ର କରୁଛନ୍ତି । ଗତକାଲି ଭୋଇ ସେବକମାନେ ରଥଚାଳି ଭାଙ୍ଗିବା ସହ ତେଣ୍ଟିଆ ସାହାଯ୍ୟରେ ତିନି ରଥର ୧୨ଟି ଦୁଆରଘଡା ଉଠାଇଛନ୍ତି । ସମସ୍ତ ତିନିରଥର ଚାରିଟି ଲେଖାଏଁ ଦୁଅରଘଡା ଉଠିବା ପରେ ସପ୍ତମ ହରିବୋଲ ପଡିବା ସହ ଆଗକୁ ସିଂହାସନ, ପ୍ରଭା ଇତ୍ୟାଦି କାମ କରାଯିବ ବୋଲି କହିଛନ୍ତି ଭୋଇ ସର୍ଦ୍ଦାର।

ଗତବର୍ଷ ଚାରମାଳ ଉପରେ ବଡଠାକୁର ପଡିଯିବା ଘଟଣାକୁ ନଜରରେ ରଖି ଏବର୍ଷ ଖୁବ୍ ସତର୍କତା ଆପଣାଯାଉଛି। ତିନିରଥରେ ଚାରମାଳକୁ ପକାଯାଇ ପରୀକ୍ଷା କରାଯିବା ସହ ଦଉଡି ସାହାଯ୍ୟରେ ଚାରମାଳ ମପାଯାଇଛି। ସେପଟେ ଚିତ୍ରକର ସେବକ ମାନେ ନାଟଗୋଡ, ଅଁଳାବେଡା, ହଂସଫଟା, କନିଆପଟା, ପାର୍ଶ୍ୱଦେବାଦେବୀ, କଳସ, ଓଲଟା ଶୁଆରେ ତୂଳୀ ଧରି ରଙ୍ଗ ଦେଉଛନ୍ତି ।

ଆଜି ଅନୁଷ୍ଠିତ ହେବ ଚଳିତ ରଥଯାତ୍ରାର ତୃତୀୟ ତଥା ଶେଷ ରଥ ସମନ୍ବୟ ବୈଠକ । ଦିନ 11ଟାରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏଥିରେ ରଥନିର୍ମାଣ ଠାରୁ, ଶୃଙ୍ଖଳିତ ନୀତିକାନ୍ତି , ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା, ଆଇନକାନୁନ ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ସମସ୍ତ ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଆଲୋଚନା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
good-news-for-the-world-mahaprabhu-lord-jagannath-has-recovered | Argus News