ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଅର୍ଗସ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ଅପରପକ୍ଷରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ ବ୍ୟାପକ ପ୍ରସ୍ତୁତି କରିଛି।
କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରହିଥିଲା। ଏହି ସମୟରେ କୁମ୍ଭୀର ହିଂସ୍ର ରହୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିତରକନିକା ବନ୍ଦ ରହିଥିଲା। ଭିତରକନିକାରେ ପ୍ରଥମଥର ନିର୍ମାଣ କରାଯାଇଛି ସ୍କାଏ ଓ୍ଵାକ୍ । ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ। ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା, ଗୁପ୍ତି ଓ ଚାନ୍ଦବାଲି ପ୍ରବେଶ ଦ୍ଵାର ଦେଇ ଭିତରକନିକା ବୁଲିପାରିବେ। ନୌବିହାର, ବଉଳା କୁମ୍ଭୀର, ଦେଶୀୟ ପକ୍ଷୀ ଓ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଭିତରକନିକା ଖୋଲିଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ, ହୋଟେଲ, ଟ୍ରାଭେଲ୍ ଏଜେନ୍ସି , ଛୋଟ ବ୍ୟବସାୟ, ଟୁରିଷ୍ଟ ଗାଇଡ଼ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।
📱 Get Argus News App
✨ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ଭିତରେ ଓ ବାହାରେ ଥିବା ନଦୀନାଳଗୁଡ଼ିକରେ ୧୮୧୧ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଥିଲେ। ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୮୨୬ରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୧୫ ଅଧିକ। ଏ ବର୍ଷ କନିକା ରେଞ୍ଜର ପାଟ୍ଟଶାଳା ମାଉଥ୍ରୁ ଏଫ୍ଆର୍ଏଚ୍ ଜେଟି ମଧ୍ୟରେ ୨ଟି, ଏଫ୍ଆର୍ଏଚ୍ ଜେଟିରୁ ଖୋଳାମାଉଥ ମଧ୍ୟରେ ଗୋଟିଏ, ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ ୨୦ଫୁଟ୍ରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ଠାବ କରାଯାଇଛି। ଏହି କୁମ୍ଭୀରମାନଙ୍କର ବୟସ ୧୦୦ରୁ ୧୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଏଥିସହ ଜୟନଗର-ଖୋଳା ମଧ୍ୟବର୍ତ୍ତୀ ବାଲିପଠା, ଥାନପତିମାଉଥ୍, ଗଞ୍ଜେଇଖିଆ, ଶୁଆଯୋର, ଗୋଧରାପାଳ, ଗୁମୁରାଗାଁ ନିକଟରେ ୧୫ ଫୁଟରୁ ଅଧିକ ଲମ୍ବର କୁମ୍ଭୀର ଠାବ କରାଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଚଳିତବର୍ଷ ଅଧିକ ଧଳା କୁମ୍ଭୀର ମଧ୍ୟ ଦେଖିବାକୁ ମିଳିଛି। ଗତବର୍ଷ ୧୬ଟି ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା ବେଳେ ଏବର୍ଷ ୨୦ଟି ଧଳା କୁମ୍ଭୀର ଠାବ କରାଯାଇଛି। ଗୋପାଳଜିଉପାଟଣା, କାଳିଭଞ୍ଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ୬ଟି ୧୮/୧୯ ଫୁଟ୍ ଲମ୍ବ ଧଳା କୁମ୍ଭୀର ଦେଖାଯାଇଛି। ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ଭାରତର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ।