Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Government Scheme / ମହିଳାଙ୍କୁ ବଡ଼ ଭେଟି ଦେଲେ ସରକାର

Rashmita Mishra
Browse all articles by Rashmita Mishra
·5 months ago·3 min read
ମହିଳାଙ୍କୁ ବଡ଼ ଭେଟି ଦେଲେ ସରକାର
Government Scheme

Key Points

ରାୟଗଡ଼ାକୁ ମିଳିଲା ବଡ଼ ଉପହାର । 
ମହିଳାଙ୍କୁ ବଡ଼ ଭେଟି ଦେଲେ ସରକାର ।

ରାୟଗଡ଼ାକୁ ମିଳିଲା ବଡ଼ ଉପହାର । ଏହି ଜିଲ୍ଲା ଆଜି ସାରା ରାଜ୍ୟ ପାଇଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଉଦାହରଣ ପାଲଟିଛି । ଏହି ଜିଲ୍ଲାରେ ୧୨,୭୮୩ଟି ଏସ୍‌ଏଚ୍‌ଜି ଜରିଆରେ ୧.୫୨ ଲକ୍ଷରୁ ଅଧିକ ମା' ଓ ଭଉଣୀମାନେ ଏକାଠି ହୋଇ ନିଜପାଇଁ ସୁନ୍ଦର ଭବିଷ୍ୟତ ଗଢୁଛନ୍ତି ।
ପୂର୍ବରୁ ଯେଉଁଠି ସୁଯୋଗର ଅଭାବ ଥିଲା, ମହିଳା ମାନଙ୍କର ଯୋଗଦାନର ଇଚ୍ଛାଶକ୍ତି ଆଜି ସେଠି ଏକ ନୂଆ ସମ୍ଭାବନାର ଦ୍ଵାରର ଖୋଲିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାୟଗଡ଼ା ଠାରେ ସୁଭଦ୍ରା ଶକ୍ତି ମେଳା ୨୦୨୬ ଉଦ୍‌ଘାଟନ ଅବସରରେ କହିଛନ୍ତି ।

ସୂଚନାନୁଯାୟୀ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଇଁ ୬୦୦ କୋଟିରୁ ଉର୍ଦ୍ଧ୍ବଟଙ୍କା ମୂଲ୍ୟର ୧୦୯ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୨୩୮ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୩୬୬ କୋଟିରୁ ଉର୍ଦ୍ଧ୍ବଟଙ୍କାର ୮୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି । ଏସବୁ ପ୍ରକଳ୍ପ ମଧ୍ୟରେ ସଡକ, ସେତୁ, ସ୍ବାସ୍ଥ୍ୟସେବା, ବିଦ୍ୟାଳୟ, ମହିଳା ସଶକ୍ତିକରଣ ଭଳି ଅନେକ ଭିତ୍ତିଭୂମି ଉନ୍ନୟନ ମୂଳକ ପ୍ରକଳ୍ପ ରହିଛି । ଏଥିସହିତ ୩୭ କୋଟି ଟଙ୍କା ବିନିଯୋଗରେ ମା'ମଝିଘରିଆଣୀ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ମଧ୍ୟ କରିଛନ୍ତି ।
ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ଦାବି ଅନୁଯାୟୀ ଜିଲ୍ଲାର ସମସ୍ତ ବ୍ଲକରେ ଖୁବ୍ ଶୀଘ୍ର ଇନ୍‌ଡୋର୍ ଷ୍ଟାଡିୟମ୍ କାମ ଆରମ୍ଭ ହେବ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥାର ସୁଦୃଢୀକରଣ ହେବ ଏବଂ ରାୟଗଡ଼ାରେ ମେଡିକାଲ କଲେଜ୍ ସ୍ଥାପନ ପାଇଁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି ବୋଲି କହିଥିଲେ ।

ଉପସ୍ଥିତ ଥିବା ନାରୀ ଶକ୍ତିଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାୟଗଡ଼ା ଜିଲ୍ଲାରେ ୨୦୨୫-୨୬ ଆର୍ଥିକ ବର୍ଷରେ ୪୨୧୭ଟି ଏସ୍‌ଏଚ୍‌ଜିକୁ ପାଖାପାଖି ୨୦୦ କୋଟି ଟଙ୍କାର ୠଣ ଦିଆଯାଇଛି । ଜିଲ୍ଲାରେ ୯,୩୩୫ ଏସ୍‌ଏଚଜି ପାଇଁ ୧୪ କୋଟି ଟଙ୍କାର ରିଭଲ୍‌ଭିଙ୍ଗ ଫଣ୍ଡ ଯୋଗାଇଦିଆଯାଇଛି, ୧୬୪ଟି ଜିପିଏଲ୍‌ଏଫ୍‌କୁ ୫୩.୧୪ କୋଟି ଟଙ୍କାର କମ୍ୟୁନିଟି ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ସିଆଇଏଫ) ପ୍ରଦାନ ଏବଂ ୪୧୯୫ଟି ଏସ୍‌ଏଚଜିକୁ ଜୀବନ ଜୀବିକା କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ୩୭.୫୫ କୋଟି ଟଙ୍କାର ୠଣ ଯୋଗାଇଦିଆଛି ।

ଖାଲିସେତିକି ନୁହେଁ ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍‌ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍ । ମହିଳା ଓ ଶିଶୁଙ୍କ ପାଇଁ ଏଥିରେ ୫ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ତୃଣମୂଳ ସ୍ତରରେ ମହିଳା ମାନଙ୍କ ଆର୍ଥିକ ଅଂଶ ଗ୍ରହଣକୁ ଆହୁରି ସୁଦୃଢ କରିବା ପାଇଁ ସ୍ବୟଂ ସହାୟକ ଉଦ୍ୟୋଗୀ ମାର୍ଟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି ।

ଓଡିଶାରେ ଆଜି ମହିଳା ମାନେ ସବୁ କ୍ଷେତ୍ରରେ ଅଗୁଆ ଅଛନ୍ତି ଯାହା ଫଳରେ ବିକାଶର ନେତୃତ୍ବ ନେଉଛନ୍ତି । ଗ୍ରାମାଞ୍ଚଳରେ ବିକାଶର ଏହି ଯେଉଁ ଜୟଯାତ୍ରା ଆମେ ଦେଖୁଛୁ, ତାର ନେତୃତ୍ବ ନେଉଛନ୍ତି ଆମର ଏସ୍‌ଏଚ୍‌ଜି ଗୋଷ୍ଠୀର ମା ମାନେ । ମୋର ଦୃଢ ବିଶ୍ବାସ ଆଗାମୀ ଦିନରେ ମା ମାନଙ୍କ ଏଭଳି ଯୋଗଦାନରେ ଓଡିଶା ନିଶ୍ଚିତଭାବରେ ବିକଶିତ ଓଡିଶା ହେବ ଏବଂ ପ୍ରତ୍ୟେକ ମା ଗର୍ବରେ କହିବେ, ଆମେ ହେଉଛୁ ଓଡିଶା ବିକାଶର ଅଂଶୀଦାର ।

ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାୟଗଡା ଜିଲ୍ଲା ଆଦିବାସୀ ସଂସ୍କୃତି ଓ ସମୃଦ୍ଧ ଐତିହ୍ୟର ଏକ ଅନନ୍ୟ ପ୍ରାଣକେନ୍ଦ୍ର । ଏହି ଜିଲ୍ଲା ତାର ଅନନ୍ୟ ପରମ୍ପରା, ଐତିହ୍ୟ, ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟ ପାଇଁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।

ସେ ପୁଣି କହିଥିଲେ ୨୦ ମାସର ଆମ ସରକାର ରାଜ୍ୟର ସବୁ ବର୍ଗଙ୍କ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି। ଆମ ରାଜ୍ୟର ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି । ଜନଜାତି ଭାଇ, ଭଉଣୀଙ୍କୁ ବିକାଶର ମୁଖ୍ୟଧାରାରେ ସାମିଲ କରିବା ପାଇଁ ଚଳିତ ବର୍ଷ ବଜେଟ୍‌ରେ ୬୮,୮୮୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା, ସୁରକ୍ଷା ଓ ଜଙ୍ଗଲ ଅଧିକାର ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯାଉଛି।
ଆଗାମୀ ଦିନରେ ହିଣ୍ଡାଲ୍‌କୋ ୧୫ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏହାର ସମ୍ପ୍ରସାରଣ କରିବାକୁ ଯାଉଛି। ୨୫ ହଜାର କୋଟି ଟଙ୍କା ନିବେଶରେ ବେଦାନ୍ତ ଆଲୁମିନା ରିଫାଇନାରୀ, ୭୬୫୩ କୋଟି ଟଙ୍କା ବିନିଯୋଗରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଭଳି ଅନେକ ପ୍ରକଳ୍ପ ରାୟଗଡା ଜିଲ୍ଲାରେ ପ୍ରତିଷ୍ଠା ପାଇବାକୁ ଯାଉଛି ଜିଲ୍ଲାବାସୀଙ୍କୁ କହିଛନ୍ତି ।

ଶେଷରେ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ଶ୍ରୀ କାଡ୍ରାକା ଆପାଲା ସ୍ବାମୀ, ବିଷମ-କଟକ ବିଧାୟକ ଶ୍ରୀ ନୀଳମାଧବ ହିକ୍କା, ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ୍ ଗମାଙ୍ଗ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଭାବକୁ ପ୍ରଶଂସା କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବରେ ଓଡିଶା ଆଜି ବିକାଶ ପଥରେ ଅଗ୍ରସର ହେଉଛି । ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, କୃଷି, ଭିତ୍ତିଭୂମି ଆଦି ସମସ୍ତ କ୍ଷେତ୍ରରେ ବିକାଶ ସିଧା ସିଧା ଦେଖାଯାଉଛି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାୟଗଡା ଜିଲ୍ଲାର ଆହୁରି ବିକାଶ ହେବ ବୋଲି ସେମାନେ ଆଶା ରଖିଛନ୍ତି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government Scheme | Government Announces Major Gift for Women | Argus News