Cyclone Montha / ସରକାରୀ କର୍ମଚାରୀଙ୍କୁ ତାଗିଦ୍, କେହି ନେଇ ପାରିବେ ନାହିଁ ଛୁଟି !

Key Points
ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ ।
ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶାରେ ବର୍ଷା ଓ ପବନ ଆରମ୍ଭ । ୩ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୮ ଓ ୨୯ ତାରିଖରେ ବର୍ଷା ସହ ଝଟକା ପବନ ବୋହିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୧୫ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲା ଅଧିକ ପ୍ରଭାବିତ ହେବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରଭାବ ପଡ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି ଓ କୋରାପୁଟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ଦିଗ ବଦଳାଇପାରେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' । ମୁକାବିଲା ପାଇଁ ଆଲର୍ଟରେ ରହିଛନ୍ତି ରାଜ୍ୟ ସରକାର । ବାତ୍ୟା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ଏଥିପାଇଁ ସମସ୍ତ ବନ୍ଦରରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି । ୨୬ରୁ ୩୦ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । କୋଷ୍ଟଗାର୍ଡ ସମୁଦ୍ରରେ ପଇଁତରା ମାରୁଛନ୍ତି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଉଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ । ତାଳୁଅ ବ୍ରିଜକୁ ଜଗିବା ପାଇଁ ପୋଲିସ ଓ ତହସିଲ କର୍ମଚାରୀଙ୍କୁ ନିୟୋଜିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୫୦ଟି ବନ୍ୟା ଆଶ୍ରୟସ୍ଥଳୀ ଓ ୧୬ଟି ସ୍କୁଲକୁ ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ପାଇଁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସବୁ ବ୍ଲକ ଓ ତହସିଲର କର୍ମଚାରୀଙ୍କୁ ତଳିଆ ଅଞ୍ଚଳ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚିତ୍ରକୋଣ୍ଡା ଓ ବଣ୍ଡା ଘାଟିରେ ଭୁସ୍କଲନକୁ ଦୃଷ୍ଟିରେ ରଖି ସଜାଗ ରହିଛି ପ୍ରଶାସନ । ଜିଲ୍ଲାରେ ଓଡ୍ରାଫର ଦୁଇଟି ଟିମକୁ ସଜାଗ ରଖାଯାଇଛି ।
ସେହିପରି କୋରାପୁଟରେ ମଧ୍ୟ ଆସନ୍ତା ୨୭ରୁ ୩୦ ପର୍ଯ୍ୟନ୍ତ ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।. ଜିଲ୍ଲାପାଳଙ୍କ ବିନା ଅନୁମତିରେ କେହି ମୁଖ୍ୟାଳୟ ନ ଛାଡିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ନାମା ମାଧ୍ୟମରେ ଅବଗତ କରାଯାଇଛି । ଏଥିସହ ବ୍ଲକ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଡିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଏବଂ ସମସ୍ତ ଓଡ୍ରାଫ, ଦମକଳ ବାହିନୀଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି ।
ବାତ୍ୟା ପାଇଁ ରାୟଗଡ଼ାରେ ସଜାଗ ପ୍ରଶାସନ । ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଭୂସ୍ଖଳନ ପାଇଁ ଗୁମା, ମୁକୁନ୍ଦପୁର ଘାଟି ଏବଂ କାଶୀପୁର ସହ ପୁଟାସିଂ ପ୍ରଭୃତି ସ୍ଥାନକୁ ନଜରରେ ରଖାଯାଇଛି । ଏହା ବ୍ୟତୀତ କୌଣସି ସ୍ଥାନରେ ଯଦି ବନ୍ୟା କିମ୍ବା ଲ୍ୟାଣ୍ଡସ୍ଲାଇଡ୍ ଭଳି ସ୍ଥିତି ଉପୁଜେ ତେବେ ସ୍ଥାନୀୟ ବିଡିଓ ଏବଂ ତହସିଲଦାରଙ୍କୁ ଯୋଗାଯୋଗ କରିବାକୁ ନିବେଦନ କରଯାଇଛି । ଓଡ୍ରାଫ ଟିମକୁ ଏବଂ ଫାୟାର୍ ଟିମକୁ ଜିଲ୍ଲାରେ ସଜାଗ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ।
ସେହିପରି ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନାଗିରିରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ପୁରୀ ସମୁଦ୍ରକୁ ମନା
୩ ଦିନ ଯାଏଁ ପୁରୀ ସମୁଦ୍ରରେ ସ୍ନାନ କରିବାକୁ ମନା କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ୨୭, ୨୮, ୨୯ ତିନିଦିନ ଧରି ସମୁଦ୍ର ସ୍ନାନ ମନା । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ ଆଇନ ଅନୁଯାୟୀ କଡ଼ା ଆକ୍ସନ ନିଆଯିବ । ବାତ୍ୟାର ପ୍ରକୋପ ବଢ଼ିଲେ ପର୍ଯ୍ୟଟକଙ୍କୁ ସମୁଦ୍ର ବାଲିକୁ ମଧ୍ୟ ଛଡ଼ାଯିବ ନାହିଁ । ପୁରୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଭାତ କୁମାର ରାଉତ ଏନେଇ ସୂଚନା ଦେଇଛନ୍ତି।
📱 Get Argus News App
✨Related Topics
Explore more stories