Job Scam / ସରକାରୀ ଚାକିରି ନାଁରେ କୋଟି କୋଟି ଟଙ୍କାର ବଡ଼ ଠକେଇ

Key Points
ଚାକିରି ଦେବା ନାଁରେ ଶତାଧିକ ଯୁବକ ଯୁବତୀଙ୍କଠାରୁ ଲୁଟ୍
କୋଟିଏରୁ ଅଧିକ ଟଙ୍କା ଠକିନେଲେ ଦୁର୍ବୃତ୍ତ
ବନ୍ଧା ହେଲେ ଠକ ଟ୍ରଷ୍ଟ ଚଳାଇଥିବା ୩ ଜଣ
ଟ୍ରଷ୍ଟ ନାମରେ ଠକ ୪୨୦ । ସରକାରୀ ଚାକିରି ନାଁରେ କୋଟି କୋଟି ଟଙ୍କାର ବଡ଼ ଠକେଇ, ଗଞ୍ଜାମର ବିଭିନ୍ନ ବ୍ଲକକୁ ଲମ୍ବିଛି ଚେର, ଶ୍ରୀ ଜଗନ୍ନାଥ ଟ୍ରଷ୍ଟର ୩ ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରି ଅଧିକ ଖୋଳତାଡ଼ କରୁଛି ବ୍ରହ୍ମପୁର ପୋଲିସ ।
ସୂଚନାନୁଯାୟୀ ଚାକିରି ଦେବା ନାଁରେ ଶହ ଶହ ଯୁବକ ଯୁବତୀଙ୍କଠାରୁ ଲୁଟ୍ । ୧୨,୫୦୦ ରୁ ୨୦,୦୦୦ ଟଙ୍କା ଦିଅନ୍ତୁ, ଆପଣଙ୍କର ସରକାରୀ ଚାକିରି ପକ୍କା । ଏମିତି କିଛି ଢଙ୍ଗରେ ଲୁଟୁଥିଲେ ଟ୍ରଷ୍ଟ ସଦସ୍ୟ । ଚାକିରି ନାଁରେ ଗଞ୍ଜାମ ଜିଲ୍ଲାର ଶହ ଶହ ଯୁବକ ଯୁବତୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଶ୍ରୀ ଜଗନ୍ନାଥ ହ୍ୟୁମାନ୍ ଏମ୍ପପାୱାରମେଣ୍ଟ ଟ୍ରଷ୍ଟ ନାମକ ଏକ ସଂସ୍ଥାର ୩ ଜଣଙ୍କୁ ଗିରଫ କରିଛି ।
ସେହି ୩ ଜଣ ହେଲେ ଟ୍ରଷ୍ଟ ମୁଖ୍ୟ ତଥା ଭଦ୍ରକ ଜିଲ୍ଲା ପାଟନା ମିଶ୍ରପୁର ଗ୍ରାମର ସ୍ମୃତି ପ୍ରଭା ମହଙ୍କୁଡ(୩୩), ଓଡ଼ିଶା ମୁଖ୍ୟ ତଥା ଗଞ୍ଜାମ ଜିଲା ରମ୍ଭା ନିକଟ ଗଡ଼ହୁମାର ପ୍ରଶାନ୍ତ କୁମାର ବେହେରା(୪୩) ଓ ଟ୍ରଷ୍ଟର ଗଞ୍ଜାମ ମୁଖ୍ୟ ଗୋଳନ୍ଥରା କୋଠାର ସିଂର ନିରୁପମା ମହାନ୍ତି(୪୩) । ଏମାନଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କଠାରୁ ନକଲି ନିଯୁକ୍ତି ପତ୍ର ଜବତ କରିଛି ।
ଏଥିସହ ପଢ଼ନ୍ତୁ: ଏଥର ଓଡ଼ିଶାରେ ଅସହ୍ୟ ଶୀତ ସହ ଘନ କୁହୁଡ଼ି...ଅସମ୍ଭାଳ ଜାଡ଼ରେ ଥରୁଛି ଉତ୍ତରଭାରତ
ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଚଢ଼େଇୟାପଲ୍ଲୀର ଗୋପାଳକୃଷ୍ଣ ସେଠୀ ପାଠ ପଢ଼ା ସରିବା ପରେ ଚାକିରି ସନ୍ଧାନରେ ଥିଲେ । ବ୍ରହ୍ମପୁରରେ ଅଫିସ୍ ଖୋଲିଥିବା ଶ୍ରୀଜଗନ୍ନାଥ ଟ୍ରଷ୍ଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖାଲିଥିବା ସରକାରୀ ଚାକିରି ଦେଉଥିବା ସେ ଜାଣିବାକୁ ପାଇଲେ । ସେ ସେହି ସଂସ୍ଥାର ଯୋଗାଯୋଗରେ ଆସିଲେ ।
ସଂସ୍ଥା ପକ୍ଷରୁ ଚାକିରି ପ୍ରତିଶ୍ରୁତି ଦିଆଯାଇ ତାଙ୍କଠାରୁ ୧୨୫୦୦ ଟଙ୍କା ଆଦାୟ କରାଯାଇଥିଲା। ହେଲେ ଅନେକ ମାସ ଯାଏଁ ଚାକିରି ମିଳିଲାନି। ଟ୍ରଷ୍ଟ କର୍ମଚାରୀଙ୍କଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଏ ସଂସ୍କାର କେଳେଙ୍କାରୀ ବାବଦରେ ଖୋଳତାଡ଼ କଲେ। ପରେ ସେ ବ୍ରହ୍ମପୁର ଏସପିଙ୍କ ଅଫିସରେ ଅଭିଯୋଗ କଲେ ପରେ ସେହି ସଂସ୍ଥାର ୩ ଜଣଙ୍କୁ ଗିରଫ କରି ପୋଲିସ ପଚରା ଉଚରା କରୁଛି । ଏହା ପରେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବ୍ରହ୍ମପୁର ପୋଲିସ ।
📱 Get Argus News App
✨Related Topics
Explore more stories