ସରକାରଙ୍କ ନିର୍ଦ୍ଦେଶ, ପଞ୍ଚାୟତକୁ ଯିବେ ବରିଷ୍ଠ ଆଇଏଏସ୍ ଅଧିକାରୀ

ଅର୍ଗସ ବ୍ୟୁରୋ : ପଞ୍ଚାୟତକୁ ଯିବେ ବରିଷ୍ଠ ଆଇଏଏସ୍ ଅଧିକାରୀ । ଗାଁ ରେ ରାତି କାଟିବେ ଓ ଲୋକଙ୍କୁ ଭେଟିବେ। ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ବୁଝିବେ। ଆହାର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ୩୦ଟି ଜିଲ୍ଲା ପାଇଁ ୩୦ ଜଣ ଆଇଏଏସଙ୍କୁ ଦାୟିତ୍ବ ଦେଇଛନ୍ତି ଉନ୍ନୟନ କମିଶନର। ତୃଣମୂଳ ସ୍ତରରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିବାକୁ ସରକାର ନେଇଛନ୍ତି ଏଭଳି ପଦକ୍ଷେପ ନେଇଛନ୍ତି ।ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ କଟଅଫ୍ ଏରିଆକୁ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ।
ଆଇଏଏସ୍ ଡିକେ ସିଂଙ୍କୁ ଜଗତସିଂହପୁର, ସୁରେନ୍ଦ୍ର କୁମାରଙ୍କୁ ଯାଜପୁର, ଜି. ମାଥିଭାଥନନଙ୍କୁ ବଲାଙ୍ଗୀର, ହେମନ୍ତ ଶର୍ମାଙ୍କୁ ସମ୍ବଲପୁର, ଅରବିନ୍ଦ ପାଢୀଙ୍କୁ ପୁରୀ, ଶାଶ୍ବତ ମିଶ୍ରଙ୍କୁ ଢେଙ୍କାନାଳ, ବିଶାଲ ଦେବଙ୍କୁ ବାଲେଶ୍ବର ଓ ଉଷା ପାଢ଼ୀଙ୍କୁ ଭଦ୍ରକ ଭଳି ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୮ଟି ଖଣି ଜିଲ୍ଲା ଅନୁଗୋଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ, ରାୟଗଡା, ସୁନ୍ଦରଗଡରେ ଡିଏମଏଫ୍ ଏବଂ ଓମବାଡସିର ସମୀକ୍ଷା ସହ ଏହି ପାଣ୍ଠିରେ ହେଉଥିବା ପ୍ରକଳ୍ପଗୁଡିକୁ ମଧ୍ୟ ଭିଜିଟ କରିବାକୁ କୁହାଯାଇଛି। ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା ସହ ଲୋକଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ ବୈଠକ କରିବେ। ପ୍ରତି ଦୁଇ ମାସରେ ଅତିକମ୍ରେ ଦୁଇ ଦିନ ଜିଲ୍ଲା ଯିବାକୁ ଦିଆଯାଇଛି ନିର୍ଦ୍ଦେଶ। ଜିଲ୍ଲା ଗସ୍ତ ସାରି ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି।
