Videos
|
Odisha

Weather Update / ବାତ୍ୟା ମୁକାବିଲା ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ୨୦ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା

Rashmita Mishra
Browse all articles by Rashmita Mishra
·34 mins ago·2 min read
ବାତ୍ୟା ମୁକାବିଲା ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ୨୦ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା
Weather Update

Key Points

ବାତ୍ୟା ମୁକାବିଲା ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
୨୦ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା, ଓଡ଼ିଶାରେ ପଡ଼ିବ ପ୍ରଭାବ
ଗଞ୍ଜାମ, ପୁରୀ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ
୮ଟି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଆସନ୍ତା ୨୦ ତାରିଖ ପୂର୍ବାହ୍ନରେ ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।

ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ପୂର୍ବ ଦିନ ଅର୍ଥାତ୍ ୧୯ ତାରିଖରେ ଗଞ୍ଜାମ, ପୁରୀ ଏବଂ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବାରୁ ଏହି ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ଶେଷ ହେବା ପର୍ଯ୍ୟନ୍ତ ୮ଟି ଜିଲ୍ଲା -କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଞ୍ଜାମ ଓ ପୁରୀର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ଛୁଟି ବାତିଲ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ । ଆଜି ସୁଦ୍ଧା ଜିଲ୍ଲାଗୁଡ଼ିକୁ ଶୁଖିଲା ଖାଦ୍ୟ, ପିଇବା ପାଣି ଏବଂ ଔଷଧ ପଠାଯିବ। ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ପ୍ରଶାସନକୁ ସହଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଏସଆରସି କାର୍ଯ୍ୟାଳୟ ସମେତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ଭାରତୀୟ ନୌସେନାକୁ ଷ୍ଟାଣ୍ଡବାଏରେ ରଖାଯାଇଥିବା ବେଳେ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି । ବିଭିନ୍ନ ଜଳଭଣ୍ଡାରରୁ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଜଳସମ୍ପଦ ବିଭାଗ ସଚିବ ଗଞ୍ଜାମ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବେ ।

'ଅର୍ଣ୍ଣବ' ବାତ୍ୟା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମର ଅନେକ ଜଳଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି କାମ ଜାରି ରହିଛି । ଏହାସହ ଟେଲିକମ୍ୟୁନିକେସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆବଶ୍ୟକ ସ୍ଥଳେ ମୋବାଇଲ ଟାୱାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ବାତ୍ୟା ସମୟରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏଥର ସରକାର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି ।

ଭୂସ୍ଖଳନ ଆଶଙ୍କା ଥିବା ସମସ୍ତ ପାହାଡ଼ିଆ ଅଞ୍ଚଳକୁ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଗଜପତି ଜିଲ୍ଲାରେ ୧୪୭ଟି, କନ୍ଧମାଳରେ ୬୨ଟି ଏବଂ ରାୟଗଡ଼ାରେ ୫୫ଟି ଭୂସ୍ଖଳନ ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: