Cold Storage / କୋଲ୍ଡ ଷ୍ଟୋରେଜ୍ କର, ୬ କୋଟି ଦେବେ ସରକାର

Key Points
ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟର ୫୮ଟି ସବଡିଭିଜନରେ ନିର୍ମାଣ ହେବ ଶୀତଳ ଭଣ୍ଡାର । କୃଷିକ୍ଷେତ୍ରରେ ଆତ୍ମନିର୍ଭର ହେବ ଓଡ଼ିଶା । ଏନେଇ ସରକାର ୬କୋଟି ଟଙ୍କାର ସହାୟତା ଯୋଗାଇଦେବେ। ଅଭାବୀ ବିକ୍ରି ଉପରେ ରୋକ୍ ଲାଗିବା ସହ ଆଳୁ ଓ ପିଆଜ ପାଇଁ ଆଉ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହେବାକୁ ପଡିବନି।
ଗୋଟିଏ ସବଡିଭିଜନରେ ଗୋଟିଏ ଲେଖାଁଏ ଶୀତଳ ଭଣ୍ଡାର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଚାହୁଁଥିବେ ସେମାନଙ୍କୁ ୬କୋଟି ଟଙ୍କାର ସହାୟତା ଯୋଗାଇଦେବେ ରାଜ୍ୟ ସରକାର। ମହିଳା ଓ ଏସସି, ଏସଟି ବର୍ଗଙ୍କୁ ଏଥିପାଇଁ ୬.୫ କୋଟି ସହାୟତା ଦିଆଯିବ। ସେହିପରି କୃଷି ବିଭାଗ ୫୦% ବିଦ୍ୟୁତ ବିଲ୍ ଦେବା ସହ ବ୍ୟାଙ୍କରୁ ୩% ସୁଧ ହାରରେ ଋଣର ବ୍ୟବସ୍ଥା ମଧ୍ୟ କରାଇବ।
ଓଡ଼ିଶା କୋଲ୍ଡ ଷ୍ଟୋରେଜ୍ କନକ୍ଲେଭ୍ ଓ ବାୟର-ସେଲର ସମିଟରେ ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏସବୁ ଶୀତଳଭଣ୍ଡାରରେ ରାଜ୍ୟ ଭିତର ସହ ରାଜ୍ୟ ବାହାରର ଉତ୍ପାଦ ରଖାଯିବ । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।
ଶୀତଳଭଣ୍ଡାର ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ଯୋଜନା ସଫଳ ହେଲେ କେବଳ କୃଷକମାନେ ସଶକ୍ତ ହେବେ ତାହା ନୁହେଁ। ରାଜ୍ୟର ଅର୍ଥନୀତି ତଥା ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେବ। ଅନେକ ସମୟରେ ଦେଖାଦେଉଥିବା ଦରବୃଦ୍ଧି ପ୍ରସଙ୍ଗର ସମାଧାନ ହେବା ସହ କୃଷକ ମାନେ ମଧ୍ୟ ଅଭାବୀ ବିକ୍ରିର ସମ୍ମୁଖୀନ ହେବେନାହିଁ। ସେହିପରି କାମ ନମିଳିବା କାରଣରୁ ଦାଦନ ଖଟିବାକୁ ଯାଉଥିବା ରାଜ୍ୟର ବେକାର ଯୁବକ କୃଷିକ୍ଷେତ୍ର ଆଡ଼କୁ ମୁହାଁଇବେ। ଏହାଦ୍ବାରା ବିକଶିତ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସଫଳ ହେବ ବୋଲି ଆଶା ରହିଛି।
📱 Get Argus News App
✨Related Topics
Explore more stories