Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗ୍ରାହମ ଷ୍ଟେନ୍‌ ହତ୍ୟା ମାମଲା: ୨୫ ବର୍ଷ ପରେ ଜେଲ୍‌ରୁ ବାହାରିଲେ ମହେନ୍ଦ୍ର, ଦେଲେ ବିସ୍ଫୋରକ ବୟାନ

Odisha

ଗ୍ରାହମ ଷ୍ଟେନ୍‌ ହତ୍ୟା ମାମଲା: ୨୫ ବର୍ଷ ପରେ ଜେଲ୍‌ରୁ ବାହାରିଲେ ମହେନ୍ଦ୍ର, ଦେଲେ ବିସ୍ଫୋରକ ବୟାନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ଗ୍ରାହମ ଷ୍ଟେନ୍‌ ହତ୍ୟା ମାମଲା: ୨୫ ବର୍ଷ ପରେ ଜେଲ୍‌ରୁ ବାହାରିଲେ ମହେନ୍ଦ୍ର, ଦେଲେ ବିସ୍ଫୋରକ ବୟାନ

ଗ୍ରାହମ ଷ୍ଟେନ୍‌ ହତ୍ୟା । ଏବେ ବି ସେହି ଘଟଣା ମନେପଡ଼ିଲେ ଓଡ଼ିଶାବାସୀଙ୍କ ଛାତି ଥରି ଉଠେ । ଗ୍ରାହମ ଷ୍ଟେନ୍‌ ହତ୍ୟା ମାମଲା ପୂରା ଓଡ଼ିଶାକୁ ଥରହର କରିଦେଇଥିଲା । ଆଉ ସେହି ଘଟଣା ଏବେ ବି ରାହସ୍ୟ ଘେରରେ । କାହିଁକି ଘଟିଥିଲା ଏମିତି ? କ'ଣ ସତରେ ଯେଉଁମାନଙ୍କୁ କୋର୍ଟ ଦୋଷୀ ବୋଲି ବିବେଚନା କରିଛନ୍ତି, ସେମାନେ ପ୍ରକୃତ ହତ୍ୟାକରୀ ? ଲୋକଙ୍କ ମନରେ ଏମିତି ନାନା ପ୍ରଶ୍ନ ଥିବା ବେଳେ ଜେଲ୍‌ରୁ ମୁକୁଳି ସେହି ସନ୍ଦେହକୁ ଅଧିକ ଘନିଭୂତ କରିଛନ୍ତି ମହେନ୍ଦ୍ର ହେମ୍ବ୍ରମ୍‌ ।

ବହୁଚର୍ଚ୍ଚିତ ଅଷ୍ଟ୍ରେଲିଆ ନାଗରିକ ଗ୍ରାହମ ଷ୍ଟେନ ଏବଂ ତାଙ୍କ ଦୁଇ ପୁଅଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଯାଇଥିବା ମହେନ୍ଦ୍ର ହେମ୍ବ୍ରମ୍‌ ଏବେ ଜେଲ୍‌ରୁ ମୁକୁଳିଛନ୍ତି । ଆଉ ୨୫ ବର୍ଷ ପରେ ଜେଲ୍‌ରୁ ମୁକୁଳିବା ପରେ ସେ ଦେଇଛନ୍ତି ବିସ୍ଫୋରକ ବୟାନ୍‌ । ସେ କହିଛନ୍ତି, 'କଂଗ୍ରେସ ଓ ବିଜେଡି ମୋତେ ଫସାଇଦେଲେ । ମୁଁ କାହାକୁ ମାରିନି । ମୋତେ ଫସାଯାଇଛି । ଗ୍ରାହମ ଷ୍ଟେନ୍‌ ହତ୍ୟା ମାମଲାରେ ମୋର ସମ୍ପୃକ୍ତି ନଥିଲା । ମୁଁ କେବଳ ବେଆଇନ ଧର୍ମାନ୍ତିକରଣ ଓ ଗୋ-ହତ୍ୟାକୁ ବିରୋଧ କରୁଥିଲି । କଂଗ୍ରେସ ଓ ବିଜେଡି ମୋତେ ଫସାଇ ଦେଇଛନ୍ତି । ଜାଣିଶୁଣି ମୋତେ ଜେଲ୍‌ରେ ରଖିଲେ । ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବା ପରେ ବି ମୁଁ ୧୪ ବର୍ଷ ପରେ ଜେଲ୍‌ରୁ ବାହାରିବା କଥା, କିନ୍ତୁ ମୋତେ ଚକ୍ରାନ୍ତ କରି ୨୫ ବର୍ଷ ଜେଲ୍‌ରେ ରଖିଲେ ।

ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଏବଂ ରାଜ୍ୟରେ ବିଜେଡି ସରକାର ଯୋଗୁଁ ୧୪ ବର୍ଷରେ ମୁକ୍ତ ହେବା ପରିବର୍ତ୍ତେ ୨୫ ବର୍ଷ କାରାବରଣ କରିବାକୁ ପଡିଲା। ସେତେବେଳେ ମାନ୍ୟବର କୋର୍ଟ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଜାଣିଶୁଣି ଫାଇଲକୁ ଚାପି ରଖିଥିଲା ବିଜେଡି ସରକାର ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମନୋହରପୁରରେ ଅଷ୍ଟ୍ରେଲିଆ ନାଗରିକ ଗ୍ରାହମ ଷ୍ଟେନ ଏବଂ ତାଙ୍କ ଦୁଇ ପୁତ୍ରଙ୍କୁ ହତ୍ୟା କରାଯାଇଥିଲା । ତେବେ ନିଜ ଆଚରଣ ଓ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିବାରୁ ମହେନ୍ଦ୍ରଙ୍କୁ ମୁକ୍ତ କରାଯାଇଛି। ତାଙ୍କ ମୁକ୍ତି ପରେ ଏହି ମାମଲାର ଏକମାତ୍ର ବନ୍ଦୀ ଦାରା ସିଂହଙ୍କ ମୁକ୍ତି ପାଇଁ ବାଟ ଖୋଲିଛି।

୧୯୯୯ ଜାନୁଆରୀ ୨୧ରେ ଆନନ୍ଦପୁର ବ୍ଲକ୍‌ ମନୋହରପୁରରେ ଅଷ୍ଟ୍ରେଲିଆରୁ ଆସିଥିବା ଧର୍ମ ପ୍ରଚାରକ ଗ୍ରାହାମ୍‌ ଷ୍ଟେନ୍‌ ଓ ତାଙ୍କର ଦୁଇପୁଅ ଫିଲିପ୍‌ ଓ ତିମୋଥିଙ୍କୁ ଗାଡ଼ି ଭିତରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ। ଏହି ଘଟଣାରେ ଦାରା ସିଂହ ଓ ତାଙ୍କର କିଛି ସମର୍ଥକଙ୍କୁ ଗିରଫ କରାଯାଇଥିଲା । ମହେନ୍ଦ୍ର ହେମ୍ବ୍ରମ ୧୯୯୯ରେ ଗିରଫ ହୋଇଥିବା ବେଳେ ଦାରା ୨୦୦୦ ମସିହା ୩୧ ଜାନୁଆରିରେ ଗିରଫ ହୋଇଥିଲେ।

ମହେନ୍ଦ୍ରଙ୍କୁ ପ୍ରଥମେ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରଖାଯାଇଥିଲା । ୨୦୦୩ ସେପ୍ଟେମ୍ବର ୨୨ରେ ତାଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ହୋଇଥିଲା। ତାଙ୍କୁ ଝାରପଡ଼ା ଜେଲ୍‌ରୁ ଜାମୁଝରୀ ମୁକ୍ତାକାଶ ଜେଲ୍‌, କଟକ, ବ୍ରହ୍ମପୁର, ବାରିପଦା, ଆନନ୍ଦପୁର ସବ୍‌ଜେଲ୍‌ ପରେ କେନ୍ଦୁଝର ଜେଲ୍‌କୁ ୨୦୧୧ରେ ସ୍ଥାନାନ୍ତର କରାଯାଇଥିଲା।

ଏହି ମାମଲାରେ ମୋଟ ୧୩ ଜଣ ଗିରଫ ହୋଇଥିଲେ। ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା ଏବଂ ୧୧ ଜଣ ହାଇକୋର୍ଟରୁ ମୁକ୍ତି ପାଇଥିଲେ। ମହେନ୍ଦ୍ର ହେମ୍ବ୍ରମଙ୍କ ଆଜୀବନ ଦଣ୍ଡାଦେଶ କାଏମ ରହିଥିଲା। ଅନ୍ୟପଟେ ରବୀନ୍ଦ୍ର କୁମାର ପାଲ୍‌ ଓରଫ ଦାରା ସିଂଙ୍କୁ ସେପ୍ଟେମ୍ବର ୨୦୦୩ରେ ଭୁବନେଶ୍ୱର ସିବିଆଇ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ୨୦୦୫ରେ ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ସେବେଠାରୁ ଦାରା ଓ ମହେନ୍ଦ୍ର କେନ୍ଦୁଝର ଜେଲ୍‌ରେ ଥିଲେ।

ଆଚରଣରେ ସୁଧାର ଆସିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ସରକାରଙ୍କ ଗୃହ ଓ ଆଇନ ବିଭାଗର ପରାମର୍ଶକ୍ରମେ ସରକାରଙ୍କ ନିକଟକୁ ମହେନ୍ଦ୍ରଙ୍କ ମୁକ୍ତି ପାଇଁ ପ୍ରସ୍ତାବ ପଠାଯାଇଥିଲା। ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ ଆଇନ ବିଭାଗର ଅନୁମୋଦନ ପରେ ମହେନ୍ଦ୍ର (୫୦)ଙ୍କୁ ଅବଧି ପୂର୍ବରୁ ମୁକ୍ତ (ପ୍ରିମାଚ୍ୟୁର ରିଲିଜ୍‌) କରାଯାଇଛି। ଷ୍ଟେଟ୍‌ ସେଣ୍ଟେନସ୍ ରିଭ୍ୟୁ ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଏହା କାର୍ଯ୍ୟକାରୀ ହୋଇଛି ବୋଲି ଜେଲର୍‌ ମନସ୍ୱିନୀ ନାଏକ କହିଛନ୍ତି। ଏନେଇ ଜେଲ୍‌ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇ ଅବଗତ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Graham Staines murder case: Mahendra released from jail after 25 years, gives explosive statement | Argus News