ପ୍ରେତାତ୍ମା ମାଗୁଛି 4 ହାତ ଜାଗା...

ଅର୍ଗସ ବ୍ୟୁରୋ: ମୁହଁରେ ଟିକେ ନିଆଁ ପାଇବାକୁ ୧୨ ଦୁଆର ଶୁଣ୍ଢି ପିଣ୍ଡା ହେଲା ଶବ, ସେତିକିରେ ବି ନିଆଁ ମିଳିଲାନି ଯେ ଗାଁରୁ ଗାଁ ବୁଲିଲା ଶବ । କିଏ କହିଲା ଆମ ଗାଁରେ ପୋଡା ହେଲେ ଭୂତ ବାହାରିବ ତ ଆଉ କିଏ କହିଲା ଆମ ଗାଁରେ ପୋଡା ହେଲେ ପିଲା ଡରିବେ । ଅନ୍ଧ ବିଶ୍ଵାସର ଅନ୍ଧ ଗଳିରେ ମଣିଷ ଏମିତି ବିଚାର କଲା ଯେ ଝିଅକୁ ହରାଇଥିବା ବାପା-ମାଆଙ୍କ କଥା ଥରେ ଚିନ୍ତା ବି କଲେନି । ଝିଅକୁ ନପାଇ ଦୁଇଦିନ କାନ୍ଦି କାନ୍ଦି ନୟାନ୍ତ ହେଲା ପରିବାର, ପରେ ପରେ ଜଙ୍ଗଲରୁ ଝିଅର ଗଳିର ଶବ ମିଳିଲା । ଶବ ଖୋଜିବାରେ ଗାଁ ଲୋକେ ବି ସାହାଯ୍ୟ କରିଥିଲେ ହେଲେ ସେଇମାନେ ହିଁ ଶବ ପୋଡିବାକୁ ଠିଆ ପାଲା କଲେ । ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ୩ ଦିନ ପରେ ନିଆଁ ପାଇଲା ଶବ ।
୩ କି.ମିରୁ ୩୦ କି.ମି
ସହଜ ନଥିଲା ଶବ ଯାତ୍ରା
ଏ ନିଆଁ...ହୁ ହୁ ହୋଇ ଜଳୁଛି । ଉଆଁସୀ କନିଆଁ ସମାଜକୁ ପ୍ରଶ୍ନ କରୁଛି । ମୋର ଭୁଲ କଣ ଥିଲା ? ମତେ ମାରିଦିଆଗଲା...୨ ଦିନ ଜଙ୍ଗଲ ଭିତରେ ସଢିଲି । ବାପା ମୋର ଖୋଜି ପାଇଲା । ଯେତେ ଯତନରେ ବଢାଇଥିଲା, ସେତିକି କ୍ରନ୍ଦନରେ ମତେ ହରାଇଲା । ବାପାର ମୋର ଭୁଲ କଣ ଥିଲା ? ଯେଉଁ ଗାଁରେ ମୁଁ ବଢିଥିଲା ସେହି ଗାଁର ଶ୍ମଶାନରେ ମତେ ଟିକିଏ ଜାଗା ଦେଲନି । ଧନ୍ୟ ତୁମେ ଦଦା, କକା ବଡବାପା, ଗୋସିବାପା...ଆଜି ମୋ ବାପା ଗରିବ ବୋଲି ତାଙ୍କ ସହିତ ଅନ୍ୟାୟ କଲ, ଯଦି ତୁମ ଝିଅ ହୋଇଥାଆନ୍ତା ? ଅଗ୍ନିଶିଖାରୁ ଗାଁ ବାଲାଙ୍କୁ କିଛି ଏମିତି ପ୍ରଶ୍ନ ପଚାରୁଛି ପ୍ରେତତ୍ମା...
ଏହି ଘଟଣାଟି ଗତ 30 ତାରିଖର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସୁଆଗିଝରଣ ନାଳକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁତ ଖୋଜିଥିଲେ ହେଲେ ତାଙ୍କୁ ପାଇନଥିଲେ । ଦୁଇଦିନ ପରେ ଗାଁ ନିକଟ ଜଙ୍ଗଲରୁ ଯୁବତୀ ଜଣଙ୍କର ମୃତ୍ୟଦେହ ଉଲଗ୍ନ ଅବସ୍ଥା ମିଳିଥିଲା । ଝିଅର ହତ୍ୟା ଓ ଦୁଷ୍କର୍ମ ହୋଇଥିବାନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଏ ନେଇ ଗ୍ରାମବାସୀ ବିଭିନ୍ନ ଦାବି ନେଇ ରାସ୍ତା ରୋକ କରିଥିବାବେଳେ ରବିବାର ଦିନ ରାତ୍ରିରେ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଯାଇଥିଲା ।
ହେଲେ ମୃତଦେହ ଗାଁକୁ ଆସିବା ଜାଣି ଗ୍ରାମବାସୀ ଉତ୍ୟକ୍ତ ହୋଇଥିଲେ । ଶବଦାହ ପାଇଁ 4 ହାତ ଜାଗା ଦେଲେନି । ଯେଉଁମାନେ ଯୁବତୀକୁ ନ୍ୟାୟ ଦେବା ପାଇଁ ଅଡି ବସିଥିଲେ । ସେମାନେ ଗାଁରେ ମୃତଦେହ ସତ୍କାରକୁ ଅଡି ବସିଲେ ।
📱 Get Argus News App
✨ଏଇ ଗାଁର ଝିଅ । ଏଇଠି ଚାଲିବା ଶିଖିଛନ୍ତି...ଏଇଠି ପାଠ ପଢିଛନ୍ତି । ଗାଁ ସାରା ସବୁ ସଂପର୍କୀୟ । କିଏ ଭାଇ ତ କିଏ ମଉସା । ଅନ୍ତିମ ସଂସ୍କାର ପାଇଁ ସମସ୍ତେ ପଛଘୁଞ୍ଚା ଦେଲେ । ସମସ୍ତଙ୍କ ମନରେ ଅନ୍ଧବିଶ୍ୱାସ ଥିଲା ଅବିବାହିତାଙ୍କ ମୃତଦେହ ସତ୍କାର ହେଲେ ଆତ୍ମା ଭୂତ ହୋଇ ଗାଁରେ ବୁଲିବ । ସେଥିପାଇଁ ମୃତଦେହକୁ ଅନ୍ୟତ୍ର ନିଆଗଲା । ସେଠାରେ ବି ସମାନ ଦୃଶ୍ୟ । ସିଧା ସିଧା ଶୁଣେଇ ଦେଲେ ଯେଉଁ ଗାଁର ଝିଅ ସେଠାକୁ ନେଇଯାଅ । ପୁଣି ସେଠାରୁ ଫେରାଇ ଆଉ ଗୋଟେ ଗାଁକୁ ନିଆଁ ଗଲା । ଏମିତି 5 ଖଣ୍ଡ ଗାଁ ବୁଲିଲା ଶବ । ହେଲେ ସବୁଠି ବିରୋଧ । ଶେଷରେ ରେଢାଖୋଲ ଶ୍ମଶାନକୁ ନେଇ ପରିବାର ଲୋକଙ୍କ ଉପସ୍ଥିତିରେ ଜିଲ୍ଲାପ୍ରଶାସନ ସହାୟତାରେ ଶବ ସତ୍କାର ହେଲା ।
ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେ ସ୍ମାର୍ଟସିଟିରେ ରହୁଛେ...ସ୍ମାର୍ଟ ଫୋନ ଧରୁଛେ । ନିଜ ପାଇଁ ଦେଶର ଅଗ୍ରଗତି ପାଇଁ ଚିନ୍ତା କରୁଛେ । ଯୁଗ ହିସାବରେ ନିଜକୁ ଅପଗ୍ରେଡ୍ କରୁଛେ । ହେଲେ ଅନ୍ଧବିଶ୍ୱାସ ଆଜି ବି ବଞ୍ଚିଛି...ଆମକୁ ପଛକୁ ଟାଣିନବାକୁ ବାଧ୍ୟ କରୁଛି...
ଆଉ ମୃତ ଯୁବତୀଟି ମଶାଣିରେ ଗୁମୁରି ଗୁମୁରି କାନ୍ଦୁଛି...ସମାଜକୁ ନିନ୍ଦୁଛି...