Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରିବା ମାର୍କେଟ୍‌ ଗଲେ ଡ଼ର ଲାଗୁଛି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପରିବା ମାର୍କେଟ୍‌ ଗଲେ ଡ଼ର ଲାଗୁଛି

Key Points

  • ପରିବା ମାର୍କେଟ୍‌ ଗଲେ ଡ଼ର ଲାଗୁଛି
  • ପିଆଜ କିଣିଲେ କାନ୍ଦ ଲାଗୁଛି
  • କୋବି, ବାଇଗଣ ଓ ଟମାଟୋ କଥା ପଚାରେ କିଏ ?

ଅର୍ଗସ ବ୍ୟୁରୋ: ଅଣୟାତ ପରିବା ଦର, ରୋଷେଇ ଘରେ କାନ୍ଦିଲାଣି ଗୃହିଣୀ । ସକାଳ ହେବା ମାତ୍ରେ କଣ ରୋଷେଇ ହେବ ସେହି ଚିନ୍ତାରେ ଦିନ କାଟୁଛି । କାରଣ ବେଲଗାମ ହେଲାଣି ପିଆଜ ସହ ପରିବା ଦର ।  କଟକ ବଜାରରେ ତ ଗୋଲାପୀ ୧ ନମ୍ବର ପିଆଜ ନାହିଁ, ଯାହା ଅଛି ତାର ଦାମ୍ ବି ହୁ ହୁ ହୋଇ ବଢିବାରେ ଲାଗିଛି । ସପ୍ତାହେ ତଳେ ୨୫ରୁ ୩୦ ଟଙ୍କାରେ ମିଳୁଥିଲା, ଏବେ ଦର ୪୦। ଅଚାନକ ଦର ବଢୁଥିବାରୁ ଚିନ୍ତାରେ ଖାଉଟି ।

ଅହେତୁକ ଦରବୃଦ୍ଧି, ଚିନ୍ତାରେ ଖାଉଟି । କାରଣ ୪୫ ଉପରେ ପିଆଜ ଦର । ଯଦି କ୍ଵାଲିଟି ଟିକେ ଭଲ ତାହାଲେ ଦର ୫୦ । ମହଙ୍ଗା ମାଡ଼ ଗ୍ରାହକଙ୍କ ପକେଟକୁ ବାଧୁଥିବା ବେଳେ ବ୍ୟବସାୟୀ କହିଛନ୍ତି, ରାଜ୍ୟକୁ ମହାରାଷ୍ଟ୍ରର ନାସିକରୁ ପିଆଜ ଆସୁଛି । ସେଠାରୁ ଓଡ଼ିଶା ଆସିବାକୁ ୪ ଦିନ ସମୟ ଲାଗୁଛି । ଗରମ ଓ ଗୁଳୁଗୁଳିରେ ଗାଡିରେ ନଷ୍ଟ ହୋଇଯାଉଛି ପିଆଜ । ନାସିକରେ ବି ଦର ଉଚ୍ଚା ରହିଛି, ନୂଆ ଫସଲ ବାହାରିନି। ତେଣୁ ପିଆଜ ଦରରେ ଏବେ ଲାଗିବନି ଲଗାମ୍। 

ପିଆଜ କାହିଁକି ? ଆଳୁର ଭାଉ ବି କିଛି କମ ନୁହେଁ । ଅର୍ଥାତ୍‌ ଆଳୁ ଦର ବି ହୁହୁ ହୋଇ ବଢିଲାଣି । ଆଳୁ ପିଆଜ ଛଡ଼ା ପରିବା ଦର ବି ଆକାଶ ଛୁଆଁ । ଟମାଟୋ ୬୦ କୁ ଫୁଲକୋବି ୬୦, ବାଇଗଣ ୬୦, ପୋଟଳ ଓ ଝୁଡଙ୍ଗ ୭୦, ଜହ୍ନି-ଭେଣ୍ଡି ଓ କଲରା ୮୦ ତଳେ ନାହିଁ । ଅଦା ଓ ରସୁଣ ତ ୨୦୦ ପାର୍ । ଅମଳ କମ ବେଳକୁ ଚାହିଦା ଅଧିକ । ତେଣୁ ଏମିତି ସ୍ଥିତିରେ ଦର ବଢିବା ସ୍ଵାଭାବିକ କଥା ବୋଲି ଖାଉଟି କହୁଛନ୍ତି । କଥା ହେଲା, ପ୍ରବଳ ଖରାରେ ପରିବା ଦର ବଢିବା ସ୍ଵାଭାବିକ କଥା । ହେଲେ ଏତେ ପରିମାଣରେ ବଢିଥିବାରୁ ଆକ୍ତାମାକ୍ତ ହେଲେଣି ଖାଉଟି । କେମିତି ଦର ନିୟନ୍ତ୍ରଣ ହେବ, କେମିତି ଲୋକମାନେ ଭଲପରିବା ଉଚିତ୍‌ ଦାମ୍‌ରେ ପାଇବେ ତାହାକୁ ନେଇ ଏବେ ଚର୍ଚ୍ଚା ।

 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored