ଶୁଖୁଛି ନଦୀ, ଶୁଖିଲା ପଡ଼ିଛି ପୋଖରୀ

Key Points
କଟକ ସହର ପ୍ରତି ମାଡ଼ି ଆସୁଛି ବଡ଼ ବିପଦ !
ହ୍ରାସ ପାଉଛି ଭୂତଳ ଜଳସ୍ତର
ଶୁଖୁଛି ନଦୀ, ଶୁଖିଲା ପଡ଼ିଛି ପୋଖରୀ
ଉତ୍କଟ ହେଉଛି ପାନୀୟଜଳ ସମସ୍ୟା
ପୂର୍ବରୁ ସହରରେ ଥିଲା ୧୪୪ ପୋଖରୀ
ଏବେ ୭୦ରେ ସୀମିତ ସଂଖ୍ୟା
କଟକ ସହର ପ୍ରତି ମାଡ଼ି ଆସୁଛି ବଡ଼ ବିପଦ ! ହ୍ରାସ ପାଉଛି ଭୂତଳ ଜଳସ୍ତର। ଶୁଖୁଛି ନଦୀ, ଶୁଖୁଛି ପୋଖରୀ । ପୂର୍ବରୁ କଟକ ସହରରେ ସରକାରୀ ଓ ଘରୋଇ ମିଶି ପାଖାପାଖି ୧୪୪ଟି ପୋଖରୀ ରହିଥିବା ବେଳେ ବର୍ତ୍ତମାନ ତାହା ୭୦ ରେ ସୀମିତ ହୋଇଛି। ସେପଟେ କଟକବାସୀଙ୍କ ଜୀବନ ରେଖା କୁହାଯାଉଥିବା ମହାନଦୀ ଓ କାଠଯୋଡି ନଦୀରେ ବି ସମାନ ଅବସ୍ଥା। ଯୋବ୍ରା ନିକଟରେ ବ୍ୟାରେଜ ଥିବାରୁ କିଛି ମାତ୍ରାରେ ମହାନଦୀର ଜଳ ସଂରକ୍ଷଣ ହେଉଛି କିନ୍ତୁ କାଠଯୋଡି ନଦୀରେ କୌଣସି ବ୍ୟାରେଜ କିମ୍ବା ଚେକ ଡ୍ୟାମ ନଥିବା କାରଣରୁ ସବୁ ପାଣି ସମୁଦ୍ରକୁ ଚାଲି ଯାଉଛି। ଆଉ ଶୁଖିଲା ପଡିଛି କାଠଯୋଡି ନଦୀ।
୨୦୧୪ରେ "ଜର୍ଣ୍ଣାଲ ଅଫ କେମିକାଲ ଆଣ୍ଡ ଫାର୍ମାସେଟିକାଲ ରିସର୍ଚ୍ଚ" ପକ୍ଷରୁ ପ୍ରକାଶିତ ଭୂତଳ ଜଳ ଗୁଣବତ୍ତା ରିପୋର୍ଟରେ ଏନେଇ ସତର୍କ କରାଯାଇଥିଲା। କଟକ ସହରରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପାନୀୟଜଳର ବ୍ୟବହାର ମଧ୍ୟ ବଢୁଛି। ଜଳ ଅମଳ ପ୍ରକ୍ରିୟା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କଲେ ହିଁ ଏସବୁ ସମସ୍ୟା ଦୂର ହେବ ବୋଲି ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ଏ ଦିଗରେ କଟକ ମହାନଗର ନିଗମ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ।
କଟକରେ ବନ୍ଦ ପଡ଼ିଥିବା ପୋଖରୀର ପୁନରୁଦ୍ଧାର, ନଦୀ କିମ୍ବା ବର୍ଷା ଜଳ ସଂରକ୍ଷଣ କରିବାରେ ଫେଲ ମାରିଛି ସିଏମସି। ପାଣି ବଦଳରେ ଦଳ ଓ ଗଛଲତାରେ ଭର୍ତ୍ତି ହୋଇଛି ପୋଖରୀ । ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଅବଗତ କରାଯାଇଛି ବୋଲି କହିଛନ୍ତି ସିଏମସି ମେୟର।