୭୫ ଟଙ୍କାରେ ମିଳିବ କି ପେଟ୍ରୋଲ ?

Key Points
- ୭୫ ଟଙ୍କାରେ ମିଳିବ କି ପେଟ୍ରୋଲ ?
- GST ଲାଗିଲେ ସାଏଁ କିନା କମିବ ପେଟ୍ରୋଲ ଦାର !
ଅର୍ଗସ ବ୍ୟୁରୋ: ରାଜ୍ୟରେ କମିପାରେ ପେଟ୍ରୋଲ ଦର । କାରଣ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବା ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ସମସ୍ତ ରାଜ୍ୟ ଏ ବାବଦରେ ନିଷ୍ପତ୍ତି ଜଣାଇବା ଦରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବ ତାହେଲେ ଲିଟର ପିଛା ଦର ହାରାହାରି ୨୦ ଟଙ୍କା କମିଯିବ । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ । କିନ୍ତୁ ଏହା କେବେଠୁ ଲାଗୁ ହେବ ? ନିଷ୍ପତ୍ତି କେବେ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ତୈଳ ତର ଏବେ ପ୍ରାୟ ୧୦୦ ଉପରେ । ଅନେକ ସମୟରେ ଦାବି ହେଉଛି କି, ଦର କମୁ ବୋଲି । ଜନତାଙ୍କ ଦାବିକୁ ବିଚାରକୁ ନେଇ ଏବେ କେନ୍ଦ୍ର ନିଷ୍ପତ୍ତି ନେଇଛି ଓ ରାଜ୍ୟ ଉପରେ ନିଷ୍ପତ୍ତି ଛାଡିଛି । ତେବେ ମୋଦି ସରକାରଙ୍କ ତୃତୀୟ ଅବଧିରେ ପ୍ରଥମ ଥର ପାଇଁ ଜିଏସ୍ଟି ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ଜିନିଷ ଏବଂ ସେବା ଉପରେ ଜିଏସ୍ଟିକୁ କୋହଳ କରାଯାଇଥିବା ବେଳେ ଟିକସ ଠକେଇକୁ ରୋକିବା ଲାଗି କେତେକ ଠୋସ୍ ପଦକ୍ଷେପ ନିଆଯାଇଛି । ହେଲେ ପେଟ୍ରୋଲ୍,ଡିଜେଲ୍, ବିମାନ ଇନ୍ଧନ ସମେତ ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍ଟି ପରିସରକୁ ଅଣାଯିବ ବୋଲି ଯେଉଁ ଆଶା ରହିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପେଟ୍ରୋଲ୍ ଓ ଡିଜେଲ୍କୁ ଜିଏସ୍ଟି ଆଇନରେ ଅନ୍ତର୍ଭୁକ୍ତ କରିବା ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପୂର୍ବରୁ ବ୍ୟବସ୍ଥା କରିଥିଲେ । ଏବେ ରାଜ୍ୟଗୁଡ଼ିକୁ ଏକାଠି ହୋଇ ଏ ନେଇ ନିଷ୍ପତ୍ତି ନେବାକୁ ପଡ଼ିବ । ପେଟ୍ରୋଲ୍ ଓ ଡିଜେଲ୍ ଉପରେ କେତେ ଜିଏସ୍ଟି ଲାଗୁ କରାଯିବ ତାହା ରାଜ୍ୟମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ । ୨୦୧୭ ଜୁଲାଇ ପହିଲାରୁ ଜିଏସ୍ଟି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ପେଟ୍ରୋଲ୍, ଡିଜେଲ୍ ଏବଂ ବିମାନ ଇନ୍ଧନ (ଏଟିଏଫ୍)କୁ ଜିଏସ୍ଟି ଆଇନ ଅଧୀନରେ ଆଣିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। ଦୀର୍ଘବର୍ଷ ଧରି ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍ଟି ପରିସରଭୁକ୍ତ କିରବା ପାଇଁ ଦାବି ହୋଇ ଆସୁଥିଲେ ବି ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ।
📱 Get Argus News App
✨ତେବେ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରେ ଜିଏସ୍ଟି ଲାଗୁ ହେଲେ ଏହାର ମୂଲ୍ୟ ଲିଟର ପିଛା ପାଖାପାଖି ୨୦ ଟଙ୍କା କମିଯିବା ସମ୍ଭାବନା ରହିଛି । ତେବେ ରାଜ୍ୟମାନେ କି ନିଷ୍ପତ୍ତି ନେଉଛନ୍ତି ତାହା ସମୟ କହିବ ।