Tiranga Rally / ଘରେ ଘରେ ଉଡ଼ିବ ତ୍ରିରଙ୍ଗା... ଆଜିଠୁ ଅଭିଯାନ ଆରମ୍ଭ

Key Points
ଘରେ ଘରେ ଉଡ଼ିବ ତ୍ରିରଙ୍ଗା ଆଜିଠୁ ଅଭିଯାନ ଆରମ୍ଭ ।
୬୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ ଓଡ଼ିଶାରେ ବଡ଼ ଅଭିଯାନ ।
୨୦ ହଜାର ଲୋକଙ୍କ ସହ ବିଶାଳ ତ୍ରିରଙ୍ଗା ରାଲି ।
ପୁରା ଦେଶରେ ଆଜିଠୁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ସ୍ୱାଧୀନତା ଦିବସର ସ୍ମୃତିକୁ ଉଜ୍ଜୀବିତ କରିବା ଏବଂ ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜାତୀୟ ପତାକାକୁ କେବଳ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ସୀମିତ ନ ରଖି ପ୍ରତ୍ୟେକ ନାଗରିକଙ୍କୁ ନିଜ ଘର, କାର୍ଯ୍ୟକ୍ଷେତ୍ର ଏବଂ ଅନୁଷ୍ଠାନମାନଙ୍କରେ ତ୍ରିରଙ୍ଗା ଉତ୍ତୋଳନ କରିବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଛି ।
ତେବେ ଚଳିତ ବର୍ଷର କାର୍ଯ୍ୟକ୍ରମକୁ ଭାରତର ଜାତୀୟ ଗୀତ `ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ଵତନ୍ତ୍ର ଭାବେ ଉତ୍ସର୍ଗୀକୃତ କରାଯାଇଛି । ଆଜିଠୁ ରାଜ୍ୟରେ ମଧ୍ୟ ଆରମ୍ଭ ହୋଇଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ । ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଭୁବନେଶ୍ବର ହାତିଆସୁଣି ପଡ଼ିଆ ଠାରୁ ଲୁମ୍ବିନ ବିହାର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଛି । ଏହି ରାଲିରେ ଅଂଶ ଗ୍ରହଣ କରିବେ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କଠୁ ନେଇ ସବୁ ବର୍ଗର ବ୍ୟକ୍ତି । କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ତେବେ ଚଳିତ ବର୍ଷ ୬୦ ଲକ୍ଷରୁ ଅଧିକ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ରାଜ୍ୟର ୧୨ ହଜାରରୁ ଅଧିକ SHG ମହିଳା । ଯାହାକୁ ବିଭିନ୍ନ ଜିଲ୍ଲାରେ ବଣ୍ଟନ କରାଯିବ ।
ଆଜି ସମ୍ବଲପୁରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଆୟୋଜିତ ହେବାକୁ ଥିବା ତ୍ରିରଙ୍ଗା ରାଲିରେ ସାମିଲ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ହଜାର ହଜାର ଛାତ୍ରଛାତ୍ରୀ ଏଥିରେ ଭାଗ ନେବାକୁ ଥିବା ବେଳେ ରାଲିରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ଭରିବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ରହିଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ । ସକାଳ ୮ ଟା ୩୦ରେ ହରଘର ତ୍ରିରଙ୍ଗା ପଦଯାତ୍ରା ରିଜର୍ଭ ପୋଲିସ ପଡିଆରୁ ବାହାରିଛି ।
ଲକ୍ଷ୍ମୀଟକିଜ, ଗୋଲବଜାର, ମ୍ୟୁନସିପାଲଟି ଛକ, କଚେରୀ ଛକ ଓ ଜେଲ ଛକ ପର୍ଯ୍ୟନ୍ତ ଯିବ ଏହି ଶୋଭାଯାତ୍ରା । ସେଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବେ ସାଂସଦ ଓ ମନ୍ତ୍ରୀ । ରାସ୍ତାରେ ଥିଵା ବିଭିନ୍ନ ବରପୁତ୍ର ଓ ସହିଦ ସ୍ତମ୍ଭ ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଶୋଭାଯାତ୍ରାରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସମେତ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅନେକ ସଂଘଠନର ସଦସ୍ୟ ମାନେ ବି ସାମିଲ ହୋଇଛନ୍ତି ।
📱 Get Argus News App
✨Related Topics
Explore more stories