Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ବାଚନରେ ପରାଜୟ ପାଇଁ ସିଧା ସିଧା ନବୀନଙ୍କୁ ଟାର୍ଗେଟ କଲେ ତଥାଗତ

Odisha

ନିର୍ବାଚନରେ ପରାଜୟ ପାଇଁ ସିଧା ସିଧା ନବୀନଙ୍କୁ ଟାର୍ଗେଟ କଲେ ତଥାଗତ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ନିର୍ବାଚନରେ ପରାଜୟ ପାଇଁ ସିଧା ସିଧା ନବୀନଙ୍କୁ ଟାର୍ଗେଟ କଲେ ତଥାଗତ

 ଅର୍ଗସ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ତଥାଗତ ଶତପଥୀ। ନିର୍ବାଚନରେ ପରାଜୟ ପାଇଁ ସିଧା ସିଧା ନବୀନଙ୍କୁ ଦାୟୀ କରିଛନ୍ତି ତଥାଗତ। ସମ୍ପାଦକୀୟ ହଉ କିଛି ନୂଆରେ ତଥାଗତ ଲେଖିଛନ୍ତି ଲୋକଙ୍କର ଏକ ନୀରବ ବିପ୍ଳବ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭୋଟର ସ୍ପଷ୍ଟ କରିଦେଲେ ଯେ, ଗଣତନ୍ତ୍ରରେ ସାମନ୍ତବାଦର ସ୍ଥାନ ନାହିଁ। କେତେକ ଗୋଷ୍ଠୀ ଏହି ନିର୍ବାଚନୀ ବିପର୍ଯ୍ୟୟ ଭି.କେ.ପାଣ୍ଡିଆନଙ୍କ ଯୋଗୁ ହୋଇଥିବା କହୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜୟ ପାଇଁ ଭାରତୀୟ ଜନତା ପାର୍ଟି ଭାଜପାକୁ ଶ୍ରେୟ ଦେଉଛନ୍ତି। ନିକଟରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସରେ ଦଳୀୟ ସଭାପତି ନବୀନ କହିଥିଲେ, ଭାଜପାର ନକାରାତ୍ମକ ପ୍ରଚାରକୁ କାଉଣ୍ଟର କରିପାରିଲୁ ନାହିଁ। ବାସ୍ତବରେ ଦେଖିବାକୁ ଗଲେ ଏହି ପରାଜୟ ପାଇଁ ପାଣ୍ଡିଆନ ନୁହନ୍ତି କି ଭାଜପା ନୁହେଁ, ନିଜେ ନବୀନ ଦାୟୀ। ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍‌ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବାପରେ ନିଜ ଜନ୍ମସ୍ଥାନକୁ ଫେରିଯିବା ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ। ନବୀନ ଭାବିଥିଲେ ଯେ ସେ ଛେଳି, ମେଣ୍ଢା, ବଳଦ, ବିଲୁଆ ଯାହାକୁ ନାହିଁ ତାକୁ ଛିଡ଼ା କରିଦେଲେ ସେ ଜିତିଯିବ। ଓଡ଼ିଶାକୁ ନିଜର ଜାଗିରି ବୋଲି ଧରି ନେଇଥିଲେ।


ବିଜେଡିର ଜନ୍ମଲଗ୍ନକୁ ଦେଖିଲେ ୧୯୯୭ରେ ପ୍ରତିଷ୍ଠା ସମୟରେ ନବୀନଙ୍କ ଭୂମିକା ଅତି ନଗଣ୍ୟ ଥିଲା। ଯେଉଁମାନେ ଦଳ ଗଢ଼ିଥିଲେ ଧୀରେ ଧୀରେ ସେମାନଙ୍କୁ ଅଣଦେଖା କରାଯାଇ ମୁଷ୍ଟିମେୟ ଗୋଷ୍ଠୀଙ୍କୁ ଧରି ସେ ଶାସନ ଚଳାଇଥିଲେ। ତାଙ୍କ କାନି ଧରି କେତେକେ ପାରି ହୋଇଗଲେ। ହେଲେ ନବୀନ ବୁଝିବା ଦରକାର ଥିଲା ଯେ, ସେ କ୍ଷମତାକୁ ଆସିବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କ ପ୍ରଚୁର ଘୃଣାଭାବ ନିଅଁ ପକାଇଥିଲା। ତଥାଗତ ଆହୁରି ଲେଖିଛନ୍ତି ଯେ ନେତୃତ୍ବ ବିହୀନ କଂଗ୍ରେସର ଅଧୋଗତି ବିଜେଡିକୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ଭାଜପା ସମର୍ଥନରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି କ୍ଷମତା ଧରି ରଖିବାରେ ସକ୍ଷମ ହୋଇଥିଲା। ଏହି ସମୟ ମଧ୍ୟରେ ପ୍ୟାରୀମୋହନ ମହାପାତ୍ର ଯେଉଁ ଭିତ୍ତିଭୂମି ସୃଷ୍ଟି କରିପାରିଥିଲେ, ତାହା ଉପରେ ନିର୍ଭର କରି ବିଜୁ ଜନତା ଦଳ ଏକାକୀ ୨୦୦୯ ନିର୍ବାଚନ ଲଢ଼ି ଜିତିପାରିଥିଲା। ଏହା ସତ୍ୟ ଯେ, ନବୀନଙ୍କ ନାମରେ ଭୋଟ ଆସୁଥିଲା। କିନ୍ତୁ ପ୍ୟାରୀଙ୍କ ଭଳି ଦଳର ଆହୁରି ଅନେକ ସଦସ୍ୟ କଳସରେ ଆଞ୍ଜୁଳେ ପାଣି ଢାଳିବା ହେତୁ ବିଜୁ ଜନତା ଦଳ ୨୪ ବର୍ଷ ତିଷ୍ଠିଲା। ୨୦୧୯ ପରେ ପାଗଳାମି ଆରମ୍ଭ ହୋଇଥିଲା। ଆଜି ଯଦି କେହି କହୁଥାଏ ଯେ, ବିଜେଡି କେବଳ ନବୀନଙ୍କ ନାମରେ ୫ ଥର ଜିତିଥିଲା, ତେବେ ୬ଷ୍ଠ ଥର ପରାଜୟ ପାଇଁ ମଧ୍ୟ ସେହି ନେତା ସମ୍ପୂର୍ଣ୍ଣ ଦାୟୀ ହେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
He directly targeted Naveen for defeat in the election | Argus News