କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଅର୍ଥରାଶି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି। ଆଜି ପଞ୍ଚମ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ। ଫଳରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିବ। ସର୍ଭେ ପରେ ଅବଶିଷ୍ଟ ହିତାଧିକାରୀଙ୍କୁ ଆସନ୍ତା ରାଖୀ ପୂର୍ଣ୍ଣିମାରେ ଏକ ସଙ୍ଗେ ୩ଟି କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ନ ହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ ରଖି ସର୍ଭେ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅଧିକାରୀମାନେ ଦ୍ୱାରକୁ ଦ୍ୱାର ଯାଇ ୱାନ ଟୁ ୱାନ ସର୍ଭେ କରିବେ।
ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ହିତାଧିକାରୀଙ୍କର ବାୟୋମେଟ୍ରିକରେ E-KYC ଶେଷ ଦେଖାଉଛି, ତେବେ ଅଚିନ୍ତା ରୁହନ୍ତୁ। ଯେଉଁମାନେ E-KYC କରିନାହାନ୍ତି, ସେମାନେ ତୁରନ୍ତ ବାୟୋମେଟ୍ରିକ ପ୍ରକ୍ରିୟାରେ E-KYC କରନ୍ତୁ। ଯେଉଁମାନଙ୍କର OTP ଜରିଆରେ E-KYC କରିଛନ୍ତ, ସେମାନେ ବି ବାୟୋମେଟ୍ରିକ ପ୍ରକ୍ରିୟାରେ E-KYC କରିବାକୁ ପଡ଼ିବ। ସମସ୍ତଙ୍କ ଯାଞ୍ଚ ପରେ ପ୍ରକୃତ ହିତାଧିକାରୀ ପାଇପାରିବେ ଟଙ୍କା ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।
ସୂଚନାଯୋଗ୍ୟ, ହିତାଧୀକାରୀଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିସାରରିଛି। ଆଜି ମହିଳାଙ୍କ ଖାତାକୁ ଆସିବ ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା।