Schools Closed / ଲଗାଣ ବର୍ଷାର ପ୍ରଭାବ ଆଜି ୩ ଜିଲ୍ଲାରେ ସ୍କୁଲ ଛୁଟି

Key Points
ବନ୍ୟା ସଙ୍କଟରେ ସ୍କୁଲ ବନ୍ଦ ସୁନ୍ଦରଗଡ଼-ଭଦ୍ରକ-ଯାଜପୁର ପ୍ରଭାବିତ
ଲଗାଣ ବର୍ଷାର ପ୍ରଭାବ ଆଜି ୩ ଜିଲ୍ଲାରେ ସ୍କୁଲ ଛୁଟି
ବର୍ଷା ଓ ଜଳବନ୍ଦୀ ପାଇଁ ୩ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ
ପ୍ରବଳ ବର୍ଷା ଓ ବନ୍ୟା ସଙ୍କଟ...ଆଜି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା... ସୁନ୍ଦରଗଡ଼ର ସମସ୍ତ ସ୍କୁଲ ସହ ଭଦ୍ରକ ଓ ଯାଜପୁରର ବନ୍ୟା ପ୍ରଭାବିତ ବ୍ଲକରେ ଶିକ୍ଷାନୁଷ୍ଠାନ ବନ୍ଦ... ଲଗାଣ ବର୍ଷା ଓ ଜଳବନ୍ଦୀ ସମସ୍ୟା ପାଇଁ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ।
ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ସହ ପ୍ରତିକୂଳ ପାଣିପାଗ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ । ସରକାରୀ ସହାୟତାପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ସମେତ KVI, JNV, OAV ଏବଂ EMRS ପାଇଁ ମଧ୍ୟ ଲାଗୁ ହେବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଲଗାଣ ବର୍ଷାଜନିତ ସମ୍ଭାବ୍ୟ ସମସ୍ୟାକୁ ନଜରରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ସୁନ୍ଦରଗଡ଼ଙ୍କ ନିର୍ଦ୍ଦେଶକ୍ରମେ ଏହି ଛୁଟି ଘୋଷଣା କରାଯାଇଛି ।
ସେପଟେ ଆଜି ଯାଜପୁରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନ ନେଇଛି ନିଷ୍ପତ୍ତି । ଦଶରଥପୁର, ବରୀ, ବିଂଝାରପୁର ଓ ଯାଜପୁର ବ୍ଲକର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଗଲା । ବଡ଼ଚଣା, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକର ୪୪ଟି ସ୍କୁଲ ବନ୍ଦ ହେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।
ଖାଲିସେତିକି ନୁହେଁ ବନ୍ୟା ପରିସ୍ଥିତିକୁ ନେଇ ଭଦ୍ରକରେ ୬ଟି ବ୍ଲକର ୨୯୭ଟି ସ୍କୁଲ ଓ ୩୯୫ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ । ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ଓ ବର୍ଷାକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଆଜି ଜିଲ୍ଲାର ୬ଟି ବ୍ଲକ - ଭଣ୍ଡାରିପୋଖରୀ, ବାସୁଦେବପୁର, ତିହିଡ଼ି, ଭଦ୍ରକ, ଚାନ୍ଦବାଲି ଓ ଧାମନଗରର ୩୯୫ଟି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ।
ଲଘୁଚାପ ପରେ ଲଘୁଚାପ... ଆସନ୍ତା ସପ୍ତାହରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଯାହାର ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ । ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ବନ୍ୟା ଲାଗି ରହିଥିବା ବେଳେ ପୁଣି ଲଘୁଚାପ ହେଲେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । ... ସେପଟେ ବର୍ତ୍ତମାନର ଅବପାତ ଝାଡ଼ଖଣ୍ଡ ଉପରେ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଝାଡ଼ଖଣ୍ଡ ଓ ବିହାର ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବା ସହିତ ଦୁର୍ବଳ ହେବ ।
📱 Get Argus News App
✨Related Topics
Explore more stories