Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chadakhai / ଛାଡ଼ଖାଇ ପାଇଁ ଆମିଷ ବଜାରରେ ପ୍ରବଳ ଭିଡ଼

Rashmita Mishra
Browse all articles by Rashmita Mishra
·8 months ago·2 min read
ଛାଡ଼ଖାଇ ପାଇଁ ଆମିଷ ବଜାରରେ ପ୍ରବଳ ଭିଡ଼

Key Points

ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ । ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି।

ମାସସାରା ଆମିଷ ନଖାଇ କାର୍ତ୍ତିକ ବ୍ରତ ପାଳନ୍ତି ଲୋକେ । କେହି କେହି ମାସକ ପାଳିନପାରିଲେ ପଞ୍ଚୁକ ୫ ଦିନ ଆମିଷ ଛାଡି ସାତ୍ତ୍ଵିକ ଭୋଜନ କରି କାର୍ତ୍ତିକ ବ୍ରତ ପାଳନ କରନ୍ତି । ଏ ମାସରେ ଦାନ ଧର୍ମ କରି ବର୍ଷକର ପୂଣ୍ୟ ଅର୍ଜନ କରାଯାଏ ବୋଲି କୁହାଯାଏ । କିନ୍ତୁ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ପାଳିବା ଦିନ ଘରେ ଘରେ ମାଛ ମାଂସ ଭାସେ।

ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ । ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ସେପଟେ କଟକରେ ବି ଦର ସମାନ ରହିଛି। ତେବେ ମଟନ୍ ଦର ଭିନ୍ନ ଭିନ୍ନ ସ୍ଥାନରେ ଟିକେ ତଳ ଉପର ରହିଛି। ମଟନ କିଲୋ ପ୍ରତି ୭୫୦ରୁ ୯୦୦ ଟଙ୍କା ରହିଛି।

ସକାଳୁ ସକାଳୁ ଭୁବନେଶ୍ବର, କଟକ ସମେତ ରାଜ୍ୟରେ ବିଭିନ୍ନ ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍, ମାଛ, ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି। ସକାଳୁ ସକାଳୁ ଭୁବନେଶ୍ବର ସ୍ଥିତ ୪ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ଼।

ସୂଚନା ମୁତାବକ, ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ଅଢ଼େଇ କୋଟିରୁ ଅଧିକ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦ କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଶୁକ୍ରବାର ଛାଡ଼ଖାଇ ପାଳନ ହେଉଥିବାରୁ ମଟନ ବିକ୍ରି ଖୁବ୍‌ ଜମିବ। ପ୍ରତିବର୍ଷ ଛାଡ଼ଖାଇରେ ୪ କୋଟି ଟଙ୍କାର ମଟନ ବିକ୍ରି ହେଉଥିବା ବେଳେ ଏ ବର୍ଷ ଏହା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ତେବେ ମାଛ, ମାଂସ, କଙ୍କଡ଼ା ଆଦିରୁ ଏଥର ୫ରୁ ୭ କୋଟି ଟଙ୍କାର ବେପାର ହେବା ନେଇ ଆମେ ଆଶା ରହିଛି ।

ଏବେ ରାଜଧାନୀର ୪ ନମ୍ବର ହାଟ ମଧ୍ୟରେ ୨୦ଟି ମଟନ୍ ଦୋକାନ ରହିଥିବା ବେଳେ ବଡ଼ଗଡ଼, ସୁନ୍ଦରପଦା, ରେଣ୍ଟାଲ୍‌, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀବିହାର, ବାଲିଅନ୍ତା, ହ˚ସପାଳ, ଓସ୍କାର ସିଟି, ଝାରପଡ଼ା ସମେତ ବିଭିନ୍ନ ସ୍ଥାନରେ ୩ଶହରୁ ଅଧିକ ଦୋକାନ ରହିଛି। ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଦିନ ତଳୁ ପଶ୍ଚିମବଙ୍ଗରର ନରଖୁଲଡଙ୍ଗା, ମାଲ୍‌ଦା, କ୍ଷେତ୍ରୀପୁରରୁ ୭୦ ପ୍ରତିଶତ ଛେଳି ଆସିଥିବା ବେଳେ ବଲାଙ୍ଗୀର, ନୟାଗଡ଼, ଦଶପଲା, କାକଟପୁର ଓ ନିମାପଡ଼ାରୁ ୩୦ ପ୍ରତିଶତ ଛେଳି ଅଣାଯାଇଛି। ଏବେ ବ୍ରଏଲର ଚିକେନ୍ ମୂଲ୍ୟ ୨୪୦ ଟଙ୍କା ରହିଛି। ସେହିଭଳି ବନରାଜ ୩୦୦ ଓ ଦେଶୀ ଚିକେନ୍‌ର ଦର ୫୦୦ ଟଙ୍କା ରହିଛି।

ଏହାବ୍ୟତୀତ, ଛାଡ଼ଖାଇରେ ଅନେକ ବାହାଘର ଭୋଜି ରହୁଥିବାରୁ କେବଳ ରାଜଧାନୀରେ ଚିକେନ୍ ବ୍ୟବସାୟ ଶୁକ୍ର ଓ ରବିବାର ଅଧିକ ହେବ। ଆନ୍ଧ୍ରପ୍ରଦେଶ ବ୍ୟତୀତ ପିପିଲି ଅଞ୍ଚଳରୁ ବ୍ରଏଲର ଆସିଥିବା ବେଳେ ବାରିପଦାରୁ ଦେଶୀ କୁକୁଡ଼ା ଆସିଛି। ଛାଡ଼ଖାଇରେ କିନ୍ତୁ ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି ରହିଥାଏ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chadakhai | Heavy Rush in Non-Veg Markets Ahead of Chadakhai Festival | Argus News