KIIT କାଣ୍ଡ: ଉଚ୍ଚସ୍ତରୀୟ କମିଟିରେ ହାଜର ହେବେ ଆଉ ୩ ନିର୍ଦ୍ଦେଶକ, ଛାତ୍ର ବି କହିବେ ସେ ଦିନ ଘଟିଥିଲା କ'ଣ ?

ଭୁବନେଶ୍ଵର: କିଟ୍ ବିଶ୍ଵବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଓ ତା ପରବର୍ତ୍ତୀ ଘଟଣାକୁ ନେଇ ଅଚ୍ୟୁତଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । କିଟ୍ର ଗୋଟିଏ ପରେ ଗୋଟିଏ କେଳେଙ୍କାରୀର ଗୁମର ଖୋଲୁଥିବା ବେଳେ ଜାତୀୟ ମାନବାଧିକାର କମିଶନ ମଧ୍ୟ ତଦନ୍ତ କରୁଛନ୍ତି । ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଥିବା ବେଳେ ଆଉ ୩ ଜଣଙ୍କୁ ନୋଟିସ୍ ଜାରି ହୋଇଛି ।
ଉଚ୍ଚସ୍ତରୀୟ କମିଟି କିଟ୍ର ଆଉ ୩ ଜଣ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ହାଜର ହେବା ଲାଗି ଜାରି କରିଛନ୍ତି ନୋଟିସ୍ । କିଟ୍ର ଡିରେକ୍ଟର, ଅଫ ଷ୍ଟୁଡେଣ୍ଟ ଆଫେୟାର୍ସ, ଡିଜି ଇଣ୍ଟରନ୍ୟାସନାଲ ରିଲେସନ୍ସ, ଡିରେକ୍ଟର ଆଡମିନିଷ୍ଟ୍ରେଟିଭ୍ଙ୍କୁ ହାଜର ହେବାକୁ ନୋଟିସ୍ ହୋଇଛି । ସେହିପରି କିଟ୍ର ୩ ଜଣ ଛାତ୍ରଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ୍ ଦେଇଛି ଉଚ୍ଚସ୍ତରୀୟ କମିଟି ।
ସେପଟେ ଗୁରୁବାର କିଟ୍ ବିଶ୍ଵବିଦ୍ୟାଳୟକୁ ଯାଇ ଜାତୀୟ ମାନାବାଧିକାର କମିଶନଙ୍କ ଟିମ୍ ଛାନଭିନ୍ କରିଥିଲା । ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ବିଶ୍ଵବିଦ୍ୟାଳୟରେ କଣ ଘଟିଥିଲା ? କିଭଳି କର୍ତ୍ତୃପକ୍ଷ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାନବାଧିକାର କ୍ଷୁଣ୍ଣ କରିଥିଲେ ତାହା ପଚାରି ବୁଝିଥିଲେ ।
📱 Get Argus News App
✨ଆଜି କିଟ୍ର ୨ ମହିଳା କର୍ମଚାରୀଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ ଜେରା କରିଛନ୍ତି । ସକାଳୁ ରାଜ୍ୟ ଅତିଥି ଭବନରେ ହାଜର ହୋଇଥିଲେ କିଟ୍ର ଦୁଇ ମହିଳା କର୍ମଚାରୀ । ସେମାନଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛନ୍ତି ।
ସେପଟେ କିଟ୍ ମାମଲାକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ । ମାମଲାରେ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି । ଅସଦାଚରଣ କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ୧୩ ଜଣ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ କମିଟି ପଚରାଉଚରା କରିଛି ।
ଏଥିସହ ସ୍ଥିତି ସ୍ଵାଭାବିକ ପାଇଁ ଓ କ୍ଲାସ ସ୍ଵାଭାବିକ ଭାବେ ପରିଚାଳନା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟର ୪ ଜଣ ପ୍ରଫେସର ଙ୍କୁ ନେଇ ଗୋଟିଏ କମିଟି ଗଠନ ହୋଇଛି । ସେହି କମିଟି ପ୍ରତି ୧୫ ଦିନରେ ଥରେ କିଟ୍ ଗସ୍ତ କରି ତର୍ଜମା କରିବେ ।