Hirakud Dam / ପୁଣି ଖୋଲିଲା ହୀରାକୁଦ ଗେଟ୍ ମହାନଦୀ କୂଳରେ ଆଲର୍ଟ

Key Points
ଜଳସ୍ତର ବଢ଼ିବାରୁ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ।
ପୁଣି ଖୋଲିଲା ହୀରାକୁଦ ଗେଟ୍ ମହାନଦୀ କୂଳରେ ଆଲର୍ଟ ।
୪ ଗେଟ୍ ଦେଇ ବହୁଛି ବନ୍ୟାଜଳ ନଦୀକୂଳିଆ ଲୋକେ ରୁହନ୍ତୁ ସତର୍କ ।
ଖୋଲିଲା ହୀରାକୁଦ ଗେଟ୍... ଜଳସ୍ତର ବୃଦ୍ଧି ଯୋଗୁଁ ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ, ତଳିଆ ଅଞ୍ଚଳକୁ ସତର୍କ ସୂଚନା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।
ଏହାକୁ ଦୃଷ୍ଟିରେ ରଖି ଆଜି ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହୀରାକୁଦର ୪ଟି ଗେଟ୍ ଖୋଲାଯାଇଛି । ଗେଟ୍ ଖୋଲିବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇବା ପାଇଁ ଡ୍ୟାମ୍ ପରିସରରେ ସାଇରନ୍ ବଜାଯାଇଥିଲା । ଉପରମୁଣ୍ଡରୁ କ୍ରମାଗତ ଭାବେ ବନ୍ୟାଜଳ ପ୍ରବେଶ କରୁଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।
ବର୍ତ୍ତମାନର ଜଳସ୍ତର ୬୧୧.୫୦ ଫୁଟ ରହିଛି... ୧ ଲକ୍ଷ ୫୭ ହଜାର ୪୪୨ କ୍ୟୁସେକ୍ ପ୍ରତି ସେକେଣ୍ଡରେ ଜଳ ପ୍ରବେଶ କରୁଛି ..ମହାନଦୀର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନଦୀ ଭିତରକୁ ନଯିବା ପାଇଁ ଏବଂ ସତର୍କ ରହିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି । ପରିସ୍ଥିତିକୁ ଦେଖି ଆଗକୁ ଆଉ କେତୋଟି ଗେଟ୍ ଖୋଲାଯିବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ସଜାଗ ରହିଛି ।
ରବିବାର ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍ରେ ପହଞ୍ଚିଥିବା ବେଳେ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୫୭ ହଜାର ୪୪୨ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଛି। ଅପରପକ୍ଷରେ ଜଳଭଣ୍ଡାରରୁ ମୋଟ ୯୩ ହଜାର ୪୦୬ ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୪ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ୬୦ ହଜାର ୫୨ ଘନଫୁଟ୍ ଏବଂ ବିଭିନ୍ନ କେନାଲ, ପାୱାର ଚ୍ୟାନେଲ୍ ଓ ଶିଳ୍ପ ପ୍ରତିଷ୍ଠାନର ବ୍ୟବହାର ପାଇଁ ୩୩ ହଜାର ୩୫୪ ଘନଫୁଟ୍ ଜଳ ନିଷ୍କାସନ କରାଯାଉଛି ।
୪ଟି ସ୍ଲୁଇସ୍ ଗେଟ୍ ଖୋଲାଯିବା ପରେ ମହାନଦୀ ଶଯ୍ୟାରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଡାକବାଜି ଯନ୍ତ୍ର ମାଧ୍ୟମରେ ନଦୀକୂଳିଆ ଅଞ୍ଚଳର ବାସିନ୍ଦାଙ୍କୁ ନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଉଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ପର୍ଯ୍ୟାୟରେ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ୧୦ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ଜୁଲାଇ ୧୪ ତାରିଖରେ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା। ବର୍ତ୍ତମାନ ପୁଣିଥରେ ଜଳପ୍ରବାହ ବୃଦ୍ଧି ପାଇବାରୁ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।
📱 Get Argus News App
✨Related Topics
Explore more stories