Historic Baliyatra Cuttack / ଆଉ କେଇଟା ଦିନର ଅପେକ୍ଷା ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା

Key Points
ଆଉ କେଇଟା ଦିନ ପରେ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା ଦୁଲୁକିବ ମହାନଦୀ ପଠା । ଲାଗିବ ଲକ୍ଷାଧିକ ଲୋକଙ୍କ ଗହଳି ଚହଲି। କୋଟି କୋଟି ଟଙ୍କାର ଚାଲିବ କିଣା ବିକା। ଚଳିତଥର ଐତିହାସିକ କଟକ ବାଲିଯାତ୍ରାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବା ପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ, ଆଜି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ। କଟକ ଇନ କଟକ, ଓରମାସ, ଉଭୟ ସାଂସ୍କୃତିକ ମଞ୍ଚ ସହ ପୁରା ବାଲିଯାତ୍ରା ପଡିଆ ବୁଲି ବାଲିଯାତ୍ରା ବିଷୟରେ ଅବଗତ ହୋଇଛନ୍ତି।
ମୁଖ୍ୟତଃ ଚଳିତଥର ଅଧିକ ପ୍ରବେଶ ଓ ପ୍ରସ୍ଥାନ ପଥ ସହ ଆପାତକାଳୀନ ଯାତାୟାତ ପାଇଁ ମହାନଦୀ କୂଳେ କୂଳେ ଗ୍ରୀନ କରିଡର ବ୍ୟବସ୍ଥା ରହିବ ।ବଡ଼କଥା ହେଉଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ମେଳା ପଡ଼ିଆରେ ଇଣ୍ଟିଗ୍ରେଟେଡ଼ କଂଟ୍ରୋଲରୁମ ସହ ମା ଓ ଶିଶୁଙ୍କ ଯତ୍ନ ନେବା ପାଇଁ "ମଦର ଚାଇଲଡ଼ କେୟାର ୟୁନିଟ" ବ୍ୟବସ୍ତା କରାଯିବ ବୋଲି କହିଛନ୍ତି ଆରଡ଼ିସି।
ଏଥିସହ ପଢ଼ନ୍ତୁ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର: ଏମାନଙ୍କୁ ୫ କେଜି ଅଧିକ ଚାଉଳ ମିଳିବ
ଅନ୍ୟପଟେ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ସହ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଅତିଥି ମାନଙ୍କୁ ଆଣିବା ପାଇଁ ସିଲଭର ସିଟି ବୋଟ କ୍ଲବକୁ ବି ଆକର୍ଷଣୀୟ ଢଙ୍ଗରେ ସଜା ଯିବ।ଏହାଛଡା ୧୬ ପାର୍କିଂ ସହ ଟ୍ରାଫିକ ପରିଚାଳନା ଉପରେ ଫୋକସ କରିଛି କମିଶନରେଟ ପୋଲିସ।ପର୍ଯ୍ୟାପ୍ତ ପୋଲିସ ଏଡ଼ ପୋଷ୍ଟ, ୱାଚ ଟାୱାର ,ସିସିଟିଭି ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କଟକ ଡ଼ିସିପି। ଆରଡିସିଙ୍କ ସହ କଟକ ଜିଲ୍ଲାପାଳ, କଟକ ଡିସିପି , ସିଏମସି କମିଶନର ଓ ସବୁ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି।
ତେବେ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ନେଇ ଥିବା ଦ୍ଵନ୍ଦ ହାଇକୋର୍ଟଙ୍କ ଗ୍ରୀନ ସିଗ୍ନାଲ ପରେ ଦୂର ହୋଇଯାଇଛି। ଯାହାକୁ ଦୃଷ୍ଟିରେ ରଖି ଉପର ପଡ଼ିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକର ଐତିହ୍ୟ ଓ ପରମ୍ପରା ପ୍ରଦର୍ଶନ କରାଯିବ। ଉପର ପଡ଼ିଆରେ ସ୍ଥାନ ପାଇବ କଟକର ସାଂସ୍କୃତିକ ଐତିହ୍ୟ ଦହିବରା ଆଳୁଦମ, ଠୁଙ୍କାପୁରୀ, ତାରକସୀ ଓ ହସ୍ତଶିଳ୍ପ, ମାଟିରେ ତିଆରି ସାମଗ୍ରୀ ଓ ପାତ୍ର, ବାଉଁଶରୁ ତିଆରି ସାମଗ୍ରୀ, ଶିଙ୍ଗ କାମ, ଶିଳ, ଚକି ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ସମେତ ଦୋଳି ଆଦିର ସମ୍ଭାର ଉପର ପଡ଼ିଆରେ ସ୍ଥାନ ପାଇବ।
ତଳ ପଡ଼ିଆରେ ୬୦ ଏକର ଜମିରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଆରମ୍ଭ ହୋଇଯାଇଛି ବିଦ୍ୟୁତ୍ ମରାମତି କାମ। ଖୁଣ୍ଟ ପୋତିବା ସହ ତାର ଭିଡ଼ିବା କାମ ଆରମ୍ଭ କରି ଦେଇଛନ୍ତି ଟାଟା ପାୱାର କର୍ମଚାରୀ। ସେହିପରି ରାସ୍ତା ଓ ପ୍ଲଟ ପାଇଁ ଆରମ୍ଭ ହୋଇଯାଇଛି ମାପଚୁପ କାମ। ପ୍ରଥମେ ରାସ୍ତା ଚିହ୍ନଟ ଓ ପରେ ପ୍ଲଟ ଚିହ୍ନଟ ପ୍ରକ୍ରିୟା କରାଯିବ। ପ୍ଲଟ ପଞ୍ଜିକରଣ ୧୨ ତାରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ ଠାରେ ଜାରି ରହିବ।
ଚଳିତ ବର୍ଷ ଓରମାସ ବ୍ୟତୀତ ସମୁଦାୟ ୧୬୫୪ଟି ଷ୍ଟଲ ହେବ । ଏହା ସହ ଏକ ଆପ୍ ମଧ୍ୟ ପ୍ରଶାସନ ପକ୍ଷରୁ ତିଆରି କରାଯାଇଛି। ଯାହାଦ୍ୱାରା ଜଣେ ବ୍ୟକ୍ତି କେଉଁଠାରେ କେଉଁ ଜିନିଷର ସମ୍ଭାର ଏବଂ ଜନସାଧାରଣଙ୍କ ପାଇଁ ଥିବା ସୁବିଧା ସୁଯୋଗ ଅଛି ତାହା ସେ ପାଇ ପାରିବ।
📱 Get Argus News App
✨Related Topics
Explore more stories