ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ଜମିଜମା ସମସ୍ୟା ସମାଧାନ ନେଇ ବଢ଼ିଛି ଆଶା

ଦୁଇ ବର୍ଷ ମଧ୍ୟରେ ସମାଧାନ ହେବ ମହାପ୍ରଭୁଙ୍କ ଜମିଜମା ସମସ୍ୟା । ତିନିମାସ ମଧ୍ୟରେ ରାଜ୍ୟ ସରକାର ଆଣିବେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି । ଖୁବଶୀଘ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମିଳିବ ଅନୁମୋଦନ । ଦୀର୍ଘବର୍ଷ ପରେ ମହାପ୍ରଭୁଙ୍କ ଜମିଜମା ସମସ୍ୟା ସମାଧାନ ହେବା ନେଇ ଆଶା ସଞ୍ଚାର ହୋଇଛି। ତିନି ମାସ ମଧ୍ୟରେ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି । କ୍ୟାବିନେଟ ବୈଠକରେ ଅନୁମୋଦନ ଦିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। କେବଳ ଏତିକି ନୁହେଁ ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ତାଙ୍କୁ ୧୦୦ ଡ଼ିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ମଧ୍ୟ ଆଇନମନ୍ତ୍ରୀ କହିଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୩ ଲ୍ୟାଣ୍ଡ ସବକମିଟି ବୈଠକରେ ମହାପ୍ରଭୁଙ୍କ ଜମିରେ ୩୦ ବର୍ଷରୁ ଅଧିକ ସମୟ ଦଖଲରେ ଥିଲେ ଏକର ୬ ଲକ୍ଷ ଟଙ୍କା ହିସାବରେ ଡିସିମିଲକୁ ୬୦୦୦ଟଙ୍କା, ୨୦ରୁ ୩୦ ବର୍ଷ ମଧ୍ୟରେ ଥିଲେ ଏକର ୯ ଲକ୍ଷ ଟଙ୍କା ହିସାବରେ ଡିସିମିଲକୁ ୯୦୦୦ଟଙ୍କା, ୧୨ରୁ ୨୦ ବର୍ଷ ଭିତରେ ଥିଲେ ଏକରକୁ ୧୫ ଲକ୍ଷ ଟଙ୍କା ହିସାବରେ ଦେବାକୁ ହବ ବୋଲି ଏକ ଚିଠା ପ୍ରସ୍ତାବ ପରିଚାଳନା କମିଟିରେ ଆଲୋଚନା କରାଯାଇ ସରକାରଙ୍କ ପାଖକୁ ଯାଇଛି ।
ସେହିପରି ଦଖଲ ସମୟ ୧୨ ବର୍ଷରୁ କମ୍ ହୋଇଥିଲେ ସରକାରୀ ଦରରେ ଅର୍ଥ ପୈଠ କରିବାକୁ ହବ। ଯାହାକୁ ଭିଟାମାଟି ଅଧିକାର ମଞ୍ଚ ଓ ଭୂ ସମ୍ପତ୍ତି ସୁରକ୍ଷା ପରିଷଦ ତରଫରୁ ସ୍ୱାଗତ କରାଯାଇଛି। ଅନ୍ୟପଟେ ସରକାରଙ୍କ ତରଫରୁ ଧାର୍ଯ୍ୟ ପଲିସିକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ।
ସେପଟେ ଜଟଣୀ ଖୋର୍ଦ୍ଦା ଅଞ୍ଚଳର ୩୬ ଗାଁ ଲୋକଙ୍କ ଭିତରେ ନୂଆ ଆଶା ଜାଗିଛି । ୧୩ ବର୍ଷ ଧରି ଏମାନେ ନିଜ ଜମିର ବି କିଣାବିକା କରୁପାରୁନାହାଁନ୍ତି । ୨୦୧୨ରେ ଶ୍ରୀମନ୍ଦିର ପ୍ରଶାସନର ଏକ ନିଷ୍ପତ୍ତି ଅନୁସାରେ ପୁରୁଷ ପରୁଷ ଧରି ଭୋଗ ଦଖଲରେ ଥିବା ଜମିକୁ ଶ୍ରୀଜଗନ୍ନାଥଙ୍କ ନାଁରେ କରିଦିଆଯାଇଥିବାରୁ ହନ୍ତସନ୍ତ ହେଉଛନ୍ତି ହଜାର ହଜାର ଲୋକ । ଅନେକ ବାର ଆନ୍ଦୋଳନ ପରେ ବି ପୂର୍ବ ସରକାର ଠକି ଦେଇଥିବାରୁ ଏବେ ନୂଆ ସରକାର ସେମାନଙ୍କ ଦାବି ପୁରଣ କରିବେ ବୋଲି ଆଶା ରଖଛନ୍ତି ପ୍ରଭାବିତ ଲୋକ ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମୁଦାୟ ୨୪ ଜିଲ୍ଲାରେ ୬୦ ହଜାର ଏକର ଜମି ରହିଛି । ରାଜ୍ୟ ବାହାରେ ୬ ରାଜ୍ୟରେ ଅଛି ୩୯୫ ଏକର ଜମି । ଏବେ ସୁଦ୍ଦା ୩୬ ହଜାର ଏକର ଜମି ମହାପ୍ରଭୁଙ୍କ ଖାତାକୁ ଫେରିଛି । ୨୪ ହଜାର ଏକର ଫେରାଇ ବା ପାଇଁ ପ୍ରକିୟା ଜାରି ରହିଛି । ସେହିପରି ପୁରୀରେ ୮୦ ହଜାର ପରିବାର ଜଗନ୍ନାଥଙ୍କ ଜମି ପୁରୁଷ ପୁରଷ ଧରି ଭୋଗ ଦଖଲରେ ଅଛନ୍ତି । ଖୋର୍ଦ୍ଧା ଜଟଣୀରେ ୨୦୧୨ରେ ଏକ ଭୁଲ ନିଷ୍ପତ୍ତି ଯୋଗୁ ୩୬ ଗାଁର ଜମିର ମାଲିକ ଶ୍ରୀଜଗନ୍ନାଥ ମହାପ୍ରଭୁ ରହିଛନ୍ତି । ବିଭିନ୍ନ ସମୟରେ ଲେକେ ପୂର୍ବ ସରକାର ସମୟରେ ଦାବି କରୁଥିଲେ ବି ଜମି ବିବାଦର ସମାଧାନ ହୋଇପାରୁ ନଥିଲା । ଏବେ ନୂଆ ସରକାରଙ୍କ ଭରସା ପରେ ଲୋକଙ୍କ ଭିତରେ ନୂଆ ଆଶା ଜାଗିଛି ।