ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ବଢ଼ିଲା ଆଶା

ବଢ଼ିଲା ଆଶା । ଗଠନ ହେଲା ବିଶେଷଜ୍ଞ ଟିମ୍ । ୟୁନିସ୍କୋକୁ ଦେବେ ସ୍ୱତନ୍ତ୍ର ରିପୋର୍ଟ । ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବାଲିଯାତ୍ରା ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଥିବା କିଛି ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ପାଇଁ ପଦକ୍ଷେପ ନିଆଯାଇଛି ।
ୟୁନିସ୍କୋର ପ୍ରକ୍ରିୟା ଅନୁଯାୟୀ ନୌବାଣିଜ୍ୟ ଇତିହାସ ଓ ବାଲିଯାତ୍ରା ଉପରେ ଦସ୍ତାବିଜ ତଥା ପ୍ରାମାଣିକ ତଥ୍ୟ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଅନୁମୋଦିତ ପ୍ରଣାଳୀ ଅନୁଯାୟୀ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରି ୟୁନିସ୍କୋରେ ଉପସ୍ଥାପନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ତେବେ କେବଳ କଟକ-ବାଲିଯାତ୍ରା ନୁହେଁ, ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ମଧ୍ୟ ଜାତୀୟ ମାନ୍ୟତା ପାଇଁ ସରକାର ଉଦ୍ୟମ କରୁଥିବା ସଂସ୍କୃତି ମନ୍ତ୍ରୀ ଗୃହରେ ଉତ୍ତର କରିଛନ୍ତି ।
ସେପଟେ ବିଗତ କିଛି ବର୍ଷ ଧରି ବାଲିଯାତ୍ରାରେ ଷ୍ଟଲ ବଣ୍ଟନ ବେଳେ ହେଉଥିବା ଦୁର୍ନୀତି କଥା ବି ଗୃହରେ ଉଠିବା ସହ ଏହାର ସମାଧାନ ଦିଗରେ ବିସ୍ତୃତ ଆଲୋଚନା ହୋଇଛି । ଏହି ପ୍ରସଙ୍ଗରେ ଆଲୋଚନା ଲାଗି କଟକ ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଏକ ବୈଠକ ଡାକିଛି ।
ଓଡ଼ିଶାର ପୁରାତନ ଓ ସ୍ବର୍ଣ୍ଣିମ ନୌବାଣିଜ୍ୟର ଐତିହ୍ୟ ବହନ କରୁଥିବା କଟକ ବାଲିଯାତ୍ରା ମହୋତ୍ସବକୁ ଖୁବଶୀଘ୍ର ଜାତୀୟ ମାନ୍ୟତା ଦେବା ଲାଗି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାତୀୟ ମାନ୍ୟତା ଦେବା ୟୁନେସ୍କୋର ଦାୟିତ୍ବ ହୋଇଥିବାରୁ ଏହି ଟିମ୍ ୟୁନେସ୍କୋ ସହ ନିୟମିତ ଆଲୋଚନାରେ ରହିଛନ୍ତି । ଖୁବଶୀଘ୍ର ୟୁନେସ୍କୋର ଏକ୍ ଟିମ୍ ମଧ୍ୟ ଓଡ଼ିଶା ଆସୁଥିବା କଥା ମନ୍ତ୍ରୀ ସୂଚନା ଦେଇଛନ୍ତି ।
