Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Lord Jagannath / କେମିତି ହୁଏ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ? ରଥଯାତ୍ରା ଦିନ ଶ୍ରୀମନ୍ଦିରର ଅଦ୍ଭୁତ ନୀତିକାନ୍ତି

Rashmita Mishra
Browse all articles by Rashmita Mishra
·2 hours ago·2 min read
କେମିତି ହୁଏ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ? ରଥଯାତ୍ରା ଦିନ ଶ୍ରୀମନ୍ଦିରର ଅଦ୍ଭୁତ ନୀତିକାନ୍ତି
Lord Jagannath

Key Points

କେମିତି ହୁଏ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ?
ରତ୍ନସିଂହାସନରୁ ରଥ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଯାତ୍ରା
ଘଣ୍ଟ, କାହାଳୀ ଓ ହରିବୋଲରେ କମ୍ପେ ବଡ଼ଦାଣ୍ଡ
ରଥଯାତ୍ରା ଦିନ ଶ୍ରୀମନ୍ଦିରର ଅଦ୍ଭୁତ ନୀତିକାନ୍ତି

ରଥଯାତ୍ରା ଦିନ ଖୁବ୍ ଭୋରରୁ ଆଳତି, ଅବକାଶ ବଢିବା ଉତ୍ତାରୁ ତିନି ବାଡରେ ଦୈନନ୍ଦିନ ବେଶ ହୁଏ । ରୋଷରେ ହୋମ ହୋଇ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଢିଲା ପରେ ଭିତରେ ପାଣି ପଡେ ଓ ଦକ୍ଷିଣିଦ୍ୱାର ପ୍ରତିହାରୀ ଚେଟରା ବାନ୍ଧନ୍ତି । ସୁଆରବଡୁ ଥାଳି ପକାନ୍ତି, ପ୍ରତିହାରୀ ରୋଷକୁ ସକାଳଧୂପ ଡାକିଯାନ୍ତି, ବାର କୁଡୁଆ ଖେଚେଡି, ପିଠା ଓ ଟାକୁଆ ଭୋଗ ଆସି ଷୋଡଶ ଉପଚାରରେ ଭୋଗ ହୁଏ ।

ଶ୍ରୀଜୀଉମାନେ ରତ୍ନସିଂହାସନ ଛାଡିଲା ଠାରୁ ପୁନର୍ବାର ସିଂହାସନକୁ ଆସିବା ଯାଏ ପୂଜାରେ ମରୁଡ ପଡେ ନାହିଁ । ମୁଦିରସ୍ତ ବଡବାଡରେ , ପୂଜାପଣ୍ଡା ଜଗନ୍ନାଥଙ୍କ ବାଡରେ ଓ ପତିମହାପାତ୍ର ଶ୍ରୀସୁଭଦ୍ରାଙ୍କ ବାଡରେ ସିଂହାସନ ଉପରେ ଠିଆହୋଇ ମଙ୍ଗଳାର୍ପଣ କରିଥାନ୍ତି । ସୁଧସୁଆର ତିନିବାଡରେ ତିନୋଟି ପିତଳବଟାରେ ମୁଦୁଲିଠାରୁ ଅଠର ମୂର୍ତ୍ତି ପାତ୍ରସଜ ନେଇ ମଙ୍ଗଳାର୍ପଣ ପାଇଁ ଜିନିଷମାନ ଯୋଗାଇଥାନ୍ତି । ମୁଦିରସ୍ତ ତିନିବାଡରେ ଡୋରଲାଗି ପାଇଁ ପୁଷ୍ପାଞ୍ଚଳି ଓ ତୁଳୀଲାଗି କରନ୍ତି । ଏଥିପାଇଁ ନଅଟି ତୁଳୀ ରାଘବଦାସ ମଠ ପକ୍ଷରୁ ଯୋଗାଇଦିଆଯାଇଥାଏ । ପାଳିଆ ଖୁଣ୍ଟିଆ ମଣିମା, ମଣିମା ଡାକ ପକାନ୍ତି ଓ ଦଇତାପତିମାନେ ଠାକୁରଙ୍କର ରୁନ୍ଧା ଫିଟାନ୍ତି ।

ଏସମୟରେ ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯାଏ । କେବଳ ସେବା ସଂପୃକ୍ତ ସେବକ, ଦାୟିତ୍ୱରେ ଥିବା ଅଧିକାରୀ, ମନ୍ଦିର ପୋଲିସ ବ୍ୟତୀତ କୌଣସି ଗଣମାନ୍ୟ ବ୍ୟକ୍ତି ସେଠାରେ ରହିବା ନିଷେଧ ଅଟେ ।

ଶ୍ରୀଜୀଉଙ୍କର ପହଣ୍ଡି ବିଜେ ଆରମ୍ଭ ହୁଏ । ପ୍ରଥମେ ସୁଦର୍ଶନ ସାତପାହତରେ ପହଞ୍ଚିଲେ ବଡଠାକୁରଙ୍କର ରୁନ୍ଧା ଫିଟେ ଓ ବଡଠାକୁର ସାତପାହାଚକୁ ବିଜେ ହେଲେ ସୁଭଦ୍ରା ଓ ସେହି କ୍ରମରେ ମହାପ୍ରଭୁଙ୍କର ପହଣ୍ଡି ଆରମ୍ଭ ହୁଏ । ସାତପାହାଚରେ ପହଞ୍ଚିଲେ ଠାକୁରମାନଙ୍କୁ ରାଘବଦାସ ମଠ ପ୍ରଦତ୍ତ ଟାହିୟା ଲଗାଯାଏ । ଠାକୁରଙ୍କ ଆଗେ ଆଗେ ଘଣ୍ଟ, କାହାଳୀ, ତେଲେଙ୍ଗୀ ବାଜା ବାଜେ ।

ଛତାର ଛତା ଧରି ଚାଲନ୍ତି । ବିଭିନ୍ନ ଅନୁଷ୍ଠାନ ତଥା ଭକ୍ତ ବିଶେଷଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଠାକୁରମାନଙ୍କ ସାମନାରେ ହୋଇଥାଏ । ହରିବୋଲ, ହୁଳହୁଳି ଆଉ ଜୟ ଜଗନ୍ନାଥ ସ୍ୱରରେ ସଂପୂର୍ଣ୍ଣ ଅଞ୍ଚଳ ପ୍ରକମ୍ପିତ ହୋଇଥାଏ । ଦୃଢ ବ୍ୟାରିକେଡ ମଧ୍ୟରେ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ପହଣ୍ଡି ଦର୍ଶନର ସୁବିଧା ପାଇଥାନ୍ତି । ଏଥିପାଇଁ ଟିକେଟ୍ କରିବାକୁ ପଡେ । ଶ୍ରୀଜୀଉମାନେ ଆନନ୍ଦ ବଜାର ବାଇଶିପାହାଚ ମାର୍ଗ ଦେଇଯାଇ ସ୍ୱ ସ୍ୱ ରଥରେ ବିଜେ ହୁଅନ୍ତି  ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored