ଏୟାର ଷ୍ଟ୍ରାଇକ୍ ହେଲେ କେମିତି କରିବା ନିଜ ସୁରକ୍ଷା ?

Key Points
ଯେତେବେଳେ ବାଜିବ ଯୁଦ୍ଧର ସାଇରନ୍, ସେତେବେଳେ କଣ ରହିବ ପ୍ଲାନ୍ ?
ଯଦି ହେବ ଏୟାର ଷ୍ଟ୍ରାଇକ୍ କେମିତି କରିବା ନିଜର ସୁରକ୍ଷା ?
ଆସନ୍ତାକାଲି ଦେଶର ୨୫୯ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍
୧୯୭୧ ପରେ ପ୍ରଥମ ଥର ଭାରତରେ ଯୁଦ୍ଧ ସ୍ଥିତି ପାଇଁ ପ୍ରସ୍ତୁତି
ଦିଲ୍ଲୀ, ଲକ୍ଷ୍ନୌ, ଶ୍ରୀନଗର ଭଳି ସ୍ଥାନରେ ଆଜି ହେଲା ରିହର୍ସାଲ୍
ତାରିଖ - ୭ ମେ ୨୦୨୫। ସମୟ ଅପରାହ୍ନ ୪ଟା । ହଠାତ୍ ଏମିତି ବାଜି ଉଠିବ ସାଇରନ୍ । ଆତ୍ମରକ୍ଷା ପାଇଁ ଏମିତି କୌଶଳ ଅବଲମ୍ବନ କରିବେ ଜନତା । ଆକାଶ ମାର୍ଗରୁ ଆକ୍ରମଣ ହେଲେ ଏମିତି ନିଜକୁ କରିବେ ସୁରକ୍ଷିତ । ରାଜଧାନୀ ଦିଲ୍ଲୀ ୟୁପିର ଲକ୍ଷ୍ନୌରୁ ନେଇ ଜମ୍ମୁ କାଶ୍ମୀରର ଶ୍ରୀନଗର ଯାଏଁ ଆଜି ଦେଖିବାକୁ ମିଳିଛି ଏହାର ଟ୍ରେଲର । ୧୯୭୧ ମସିହା ପରେ ଭାରତରେ ପ୍ରଥମ ଥର ଆସନ୍ତାକାଲି ହେବ ଯୁଦ୍ଧ ସ୍ଥିତି ପାଇଁ ଏମିତି ପ୍ରସ୍ତୁତି। ଦେଶର ୨୫୯ଟି ସ୍ଥାନରେ ହେବ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ ବା ନାଗରିକ ସୁରକ୍ଷା ଅଭ୍ୟାସ ।
ଅପରାହ୍ନ ୪ଟାରେ ପ୍ରଥମେ ପ୍ରାୟ ୫ ମିନିଟ ଧରି ସାଇରନ୍ ବାଜିବ, ମକ୍ ଡ୍ରିଲ୍ ଆରମ୍ଭ ହେବ । ଏୟାର ଷ୍ଟ୍ରାଇକ୍ ହେଲେ କେମିତି ନିଜକୁ ସୁରକ୍ଷିତ ରଖିବେ, କେମିତି କାରଖାନା, ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଗୁଡ଼ିକର ସୁରକ୍ଷା କରାଯିବ, କ୍ରାସ୍ ବ୍ଲାକ୍ ଆଉଟ୍ ବା ବିଦ୍ୟୁତ୍ ବିଭ୍ରାଟ ବେଳେ କଣ କରିବେ ସବୁର ରିହର୍ସାଲ୍ ହେବ। ପୁଣି ସାଇରନ୍ ବାଜିଲେ ମକ୍ ଡ୍ରିଲ୍ ସରିଲା ବୋଲି ଜଣାଯିବ । ଯୁଦ୍ଧ ସମୟରେ ଆକ୍ରମଣ ହୋଇଥିଲେ କେମିତି ଆହତଙ୍କୁ ଚିକିତ୍ସା ପାଇଁ ନିଆଯିବ, କେମିତି କ୍ଷୟକ୍ଷତିର ଭରଣା କରାଯିବ ସବୁ ସମ୍ପର୍କରେ ମଧ୍ୟ ପ୍ରସ୍ତୁତି ହେବ ।
ଆସନ୍ତାକାଲି ହେବାକୁ ଥିବା ମକ୍ ଡ୍ରିଲ୍ ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ସିଭିଲ ଡିଫେନସର ଅଧିକାରୀଙ୍କ ସହ ଭିଡିଓ କନଫରେନସିଂ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ। କେନ୍ଦ୍ରର ନିର୍ଦ୍ଦେଶ ପରେ ୨୫୯ଟି ସ୍ଥାନରେ ପ୍ରସ୍ତୁତି ଚାଲିଛି । କେବଳ ଜମ୍ମୁ-କାଶ୍ମୀରର ୧୭ଟି ସ୍ଥାନରେ ହେବ ମକ୍ ଡ୍ରିଲ୍ । ଜରୁରୀ ସ୍ଥିତିରେ ନିଜ ସୁରକ୍ଷା ପାଇଁ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ତାଲିମ ଦିଆଯିବ । ମକ୍ ଡ୍ରିଲ୍ ସମୟରେ ବ୍ଲାକ୍ ଆଉଟ୍ କରାଯିବ ଅର୍ଥାତ୍ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ । ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ ଓ ଭିତ୍ତିଭୂମି ଗୁଡ଼ିକୁ ସୁରକ୍ଷିତ କରିବାକୁ ନିଆଯିବ ପଦକ୍ଷେପ ।
ତେବେ ପ୍ରଶ୍ନ ଉଠିପାରେ କାହିଁକି କରାଯାଉଛି ଏ ସିଭିଲ୍ ମକ୍ ଡ୍ରିଲ୍ ? ଉତ୍ତର ହେଲା ଯୁଦ୍ଧ ସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ସହର ଗୁଡ଼ିକୁ ଟାର୍ଗେଟ୍ କରାଯାଏ । ବଡ଼ ବଡ଼ ଭିତ୍ତିଭୂମି ଉପରେ ଆକ୍ରମଣ କରାଯାଏ । କାରଖାନା, ସୁରକ୍ଷା ପ୍ରତିଷ୍ଠାନ, ବନ୍ଦର, ବିମାନ ବନ୍ଦରକୁ ଟାର୍ଗେଟ୍ କରାଯାଏ । କେବଳ ସହର ଯାଏଁ ସୀମିତ ରହିନପାରେ ଯୁଦ୍ଧ । ଗ୍ରାମାଞ୍ଚଳ ବି ଆକ୍ରମଣର ଶିକାର ହୋଇପାରେ। ଆକ୍ରମଣରୁ ଲୋକେ କେମିତି ନିଜର ସୁରକ୍ଷା କରିବେ ସେଥିପାଇଁ ମକ୍ ଡ୍ରିଲ୍ । ସାଧାରଣ ନାଗରିକଙ୍କର କମ୍ କ୍ଷତି ହେଉ ଏଥିପାଇଁ ମକ୍ ଡ୍ରିଲ୍।

