କେମିତି ଥିଲେ ଦେବେନ୍ଦ୍ର, ଶେଷ ଦର୍ଶନ ବେଳେ ବଖାଣିଲେ ଅନୁଭୂତି

ଦିଲ୍ଲୀ ବାସଭବନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଲେ, ତାଙ୍କ ବିୟୋଗରେ ମୁଁ ଶୋକାଭିଭୂତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବି କଲେ ଦର୍ଶନ । ବିଜେପିର ଅନେକ ସାଂସଦ, ମନ୍ତ୍ରୀ ଓ ବରିଷ୍ଠ ନେତା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀରର କଲେ ଶେଷ ଦର୍ଶନ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ପାଇଁ ଆଜି ଦିଲ୍ଲୀସ୍ଥିତ ବାସଭବନରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୋଦି । ପାଖରେ ଥିଲେ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦେବେନ୍ଦ୍ରଙ୍କ ପତ୍ନୀ ।
ମୋଦି ଏକ୍ସରେ ଲେଖିଛନ୍ତି, ଡକ୍ଟର ଦେବେନ୍ଦ୍ର ପ୍ରଧାନ ଜୀ ଜଣେ ପରିଶ୍ରମୀ ଏବଂ ନମ୍ର ନେତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶାରେ ବିଜେପିକୁ ମଜବୁତ କରିବା ପାଇଁ ସେ ଅନେକ ପ୍ରୟାସ କରିଥିଲେ । ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ବ ଦେଇ ଜଣେ ସାଂସଦ ଏବଂ ମନ୍ତ୍ରୀ ଭାବରେ ତାଙ୍କର ଅବଦାନ ଉଲ୍ଲେଖନୀୟ । ତାଙ୍କ ବିୟୋଗରେ ମୁଁ ଶୋକାଭିଭୂତ ।
ଦେବେନ୍ଦ୍ରଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଥିଲେ ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ମନହୋରଲାଲ ଖଟର, ଲୋକସଭା ବାଚସ୍ପତି ଓମ ବିର୍ଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ବିଜେପିର ବରିଷ୍ଠ ନେତା ବିଜୟ ପାଲ ସିଂ ତୋମାର । ଜେଡିୟୁ ନ୍ୟାସନାଲ ଓ୍ବାର୍କିଂ ପ୍ରେସିଡେଣ୍ଟ ସଞ୍ଜୟ ଝା ଦିଲ୍ଲୀ ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ଦିଲ୍ଲୀ ବାସଭବନରୁ AIIMSକୁ ନିଆଯାଇଥିଲା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର । ସେଠାରେ ଶେଷ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ୍ୟ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରି ମହତାବ । ପୁରୀ ସାଂସଦ ସମ୍ବିତ ପାତ୍ର ଓ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମମତା ମହନ୍ତ, ଜଗତସିଂହପୁର ସାଂସଦ ବିଭୁ ତରାଇ ଓ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ରାଜ୍ୟ ଏବଂ ଦେଶ ପ୍ରତି ଦେବେନ୍ଦ୍ରଙ୍କ ଅବଦାନର କଥା କହିଥିଲେ ।
ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ସୁଲତା ଦେଓ, ମୁନା ଖାଁ, ସସ୍ମିତ ପାତ୍ର, ସୁବାଶିଷ ଖୁଣ୍ଟିଆ ଏବଂ ମାନସ ମଙ୍ଗରାଜ ପ୍ରମୁଖ ଦେବେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଢେଙ୍କାନାଳ ସାଂସଦ ରୁଦ୍ର ପାଣି ଦେବେନ୍ଦ୍ରଙ୍କ ଦେହାନ୍ତରେ କୋହ ସମ୍ବାଳି ପାରିନଥିଲେ । କାନ୍ଦି କାନ୍ଦି ଦେବେନ୍ଦ୍ରଙ୍କ ସହିତ ଅତୀତର ସ୍ମୃତିକୁ ମନେ ପକାଇଥିଲେ । ସେହିପରି ଜୁଏଲ ଓରାମ ମଧ୍ୟ କିପରି ଦେବେନ୍ଦ୍ରଙ୍କ ବାସଭବନକୁ ଯାଇ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସେ କଥା କହିଥିଲେ । କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଶେଷ ଦର୍ଶନ କରିଥିଲେ ।