Panchak / ପଞ୍ଚକ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼, ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Key Points
ଦୀର୍ଘ ୪ ମାସପରେ ମହାପ୍ରଭୁ ଶୟନରୁ ଉଠୁଥିବାରୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।
କାର୍ତ୍ତିକ ମାସର ପଞ୍ଚକବ୍ରତ ଆରମ୍ଭ ହୋଇଛି । ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ । ସେଥିପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶକୁ ବାଦ୍ ଦେଇ ଅନ୍ୟ ୪ଟି ବେଶ ଅନୁଷ୍ଠିତ ହେବ । ଏହି ୪ ଦିନରେ ମହାପ୍ରଭୁଙ୍କୁ ଭିନ୍ନ ଭିନ୍ନ ବେଶରେ ସଜିତ କରାଯିବ । ଆଜି ପଞ୍ଚକ ବ୍ରତର ପ୍ରଥମ ଦିନ ବଡଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜିତ କରାଯାଇଛି ।
ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ଼ ଦାଣ୍ଡରେ ଭିଡ଼ ଜମିଛି । ହବିଷ୍ୟାଳିମାନେ ମଧ୍ୟ ଭୋରୁ ଶ୍ରୀମନ୍ଦିର ଯାଇ ଦର୍ଶନ କରିଛନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥ କରାଯାଇଛି । ବିଶେଷ କରି ହବିଷ୍ୟାଳୀ ଓ ବୟସ୍କ ଭକ୍ତଙ୍କୁ ନେଇ ଠାକୁରଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯାଇଛି।
ଅନ୍ୟପଟେ ଆଜି ମଧ୍ୟ ହରି ଉତ୍ଥାପନ ଏକାଦଶୀ। ଏହିଦିନ ମହାପ୍ରଭୁ ନିଦରୁ ଉଠନ୍ତି। ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରେ ମହାପ୍ରଭୂ ଶୟନ କରିଥିବା ବେଳେ ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ନିଦ୍ରାରୁ ଉଠିଥାନ୍ତି। ଶାସ୍ତ୍ର ମତରେ ଆଜିର ବଡ଼ ଏକାଦଶୀ ଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଦୀର୍ଘ ୪ ମାସପରେ ମହାପ୍ରଭୁ ଶୟନରୁ ଉଠୁଥିବାରୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।
ବିଶ୍ୱାସ ରହିଛି କାର୍ତ୍ତିକ ମାସ ସାରା ବ୍ରତ ରଖି ଯେତିକି ପୁଣ୍ୟ ମିଳେ, ପଞ୍ଚୁକ ପାଞ୍ଚଦିନରେ ବ୍ରତ ରଖିଲେ ତାଠୁ ଅଧିକ ପୁଣ୍ୟ ମିଳିଥାଏ। ତେବେ ପଞ୍ଚୁକ ଅବସରରେ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ମାର୍କେଟ ଛକଠାରୁ ବ୍ୟାରିକେଡ୍ କରାଯାଇଛି । ଲୋକମାନେ ବ୍ୟାରିକେଡ଼ରେ ଯାଇ ସିଂହଦ୍ୱାର ପଟେ ପ୍ରବେଶ କରି ଅନ୍ୟ ତିନି ଦୁଆରେ ପ୍ରସ୍ଥାନ କରିବେ ।
ସେହିଭଳି ବାବା ଧବଳେଶ୍ବରଙ୍କ ପୀଠରେ ଶନିବାରଠାରୁ ପଞ୍ଚକ ବ୍ରତ ଆରମ୍ଭ ହୋଇସାରିଚି । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମୁଛି । ପଞ୍ଚକର ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ବି ଭକ୍ତଙ୍କ ଗହଳି ଲାଗିଛି । ପଞ୍ଚକ ଓ ବଡ଼ଓଷା ପାଇଁ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା, ୧୪ଟି ଟ୍ରାଫିକ୍ ପୋଷ୍ଟ କରାଯାଇଛି ।
ଶନିବାରଠାରୁ ଚଳଚଞ୍ଚଳ ହୋଇୁଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠ। ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ମହାକାର୍ତ୍ତିକ ମାସର ଶେଷ ପର୍ବ ହେଉଛି ବାବା ଧବଳେଶ୍ୱରଙ୍କର ବଡ଼ ଓଷା । ରାତ୍ର ୩ଟାରୁ ଦ୍ଵାର ଫିଟା ଯାଇ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
📱 Get Argus News App
✨Related Topics
Explore more stories